ଆଦିତ୍ୟ ଓ ୟାମୀ ଛାଡୁଛନ୍ତି ମୁମ୍ବାଇ

ଆଦିତ୍ୟ ଓ ୟାମୀ ଛାଡୁଛନ୍ତି ମୁମ୍ବାଇ
Ipsita Picture
By: Ipsita
Published On

 

ବଲିଉଡର ଚର୍ଚ୍ଚିତ ଦମ୍ପତି ଅଭିନେତ୍ରୀ ୟାମୀ ଗୌତମ ଓ ଚଳଚ୍ଚିତ୍ର ନିର୍ମାତା ଆଦିତ୍ୟ ଧର ମାୟାନଗରୀ ମୁମ୍ବାଇ ଛାଡ଼ି ହିମାଚଳ ପ୍ରଦେଶରେ ସ୍ଥାୟୀ ଭାବେ ବସବାସ କରିବାକୁ ନିଷ୍ପତ୍ତି ନେଇଥିବା ରିପୋର୍ଟ ପ୍ରକାଶ ପାଇଛି । ବୃତ୍ତିଗତ କାର୍ଯ୍ୟ ବ୍ୟତୀତ ନିଜର ବ୍ୟକ୍ତିଗତ ଓ ପାରିବାରିକ ଜୀବନକୁ ଗ୍ଲାମର ଦୁନିଆରୁ ଦୂରରେ ରଖିବା ଲକ୍ଷରେ ଏହି ଦମ୍ପତି ହିମାଚଳ ପ୍ରଦେଶର ମଣ୍ଡିଠାରେ ରହିବାକୁ ବାଛିଛନ୍ତି । ତେବେ ଫିଲ୍ମ ଓ ବିଭିନ୍ନ ପ୍ରୋଜେକ୍ଟ କାମ ପାଇଁ  ଯଦିଓ ସେମାନେ ମୁମ୍ବାଇ ଗସ୍ତ ଜାରି ରଖିବେ, ହେଲେ ନିଜର ସ୍ଥାୟୀ ଠିକଣା ଭାବେ ହିମାଚଳକୁ ବାଛିଛନ୍ତି । ହିମାଚଳ ପ୍ରଦେଶ ସହ ୟାମୀଙ୍କର ନିବିଡ଼ ସମ୍ପର୍କ ରହିଛି, କାରଣ ସେ ବିଳାସପୁରରେ ଜନ୍ମଗ୍ରହଣ କରିଥିଲେ ଏବଂ ଚଣ୍ଡୀଗଡ଼ରେ ବଢ଼ିଥିଲେ । ତାଙ୍କର ସମ୍ପର୍କ ଏହି ରାଜ୍ୟ ସହ ଗଭୀର ଭାବେ ଯୋଡ଼ିହୋଇ ରହିଛି । ମଣ୍ଡିର ଗୋହରଠାରେ  ପାରମ୍ପରିକ ରୀତିନୀତି ଅନୁଯାୟୀ ଆଦିତ୍ୟଙ୍କ ସହ ତାଙ୍କର ବିବାହ ସମ୍ପନ୍ନ ହୋଇଥିଲା । ଅନ୍ୟପଟେ ନୂଆଦିଲ୍ଲୀର ଏକ କାଶ୍ମୀରୀ ପଣ୍ଡିତ ପରିବାରରେ ଜନ୍ମିତ ଓ ବଢ଼ିଥିବା ଆଦିତ୍ୟ ୨୦୦୬ରୁ ମୁମ୍ବାଇରେ କାର୍ଯ୍ୟରତ ଥିଲେ ବି, ସେ ୟାମୀଙ୍କ ନିଷ୍ପତ୍ତିରେ ରାଜି ବୋଲି ଆଲୋଚନା ହେଉଛି । ଏହା ପୂର୍ବରୁ ମଧ୍ୟ ଅନେକ ସେଲିବ୍ରିଟି ମୁମ୍ବାଇ ଛାଡି ନିଜର ସ୍ଥାୟୀ ବାସିନ୍ଦା ଭାବେ ଅନ୍ୟ ସ୍ଥାନକୁ ବାଛିଛନ୍ତି । ନିକଟରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନିତ ହୋଇଥିବା ଏହି ଦମ୍ପତି ମେ ୨୦୨୪ରେ ପୁତ୍ରସନ୍ତାନ 'ବେଦବିଦ୍'ଙ୍କୁ ସ୍ୱାଗତ କରିଥିଲେ ।

Tags: