ଗିଫ୍ଟ ଦୋକାନରୁ ବଡ ପରଦା
ଗିଫ୍ଟ ଦୋକାନରେ କାମ କରିବା ଠାରୁ ଆରମ୍ଭ କରି ଅଧାରୁ ପାଠ ଛାଡିବା ଏହି କାହାଣୀ ହେଲା ଷ୍ଟାଣ୍ଡଅପ କମେଡି କିଙ୍ଗ ଭାବେ ପରିଚିତ ମୁନାବର ଫାରୁକିଙ୍କ କାହାଣୀ । ସବୁବେଳେ ଅନ୍ୟକୁ ହସାଉଥିବା ମଣିଷଟିର ଜୀବନରେ ରହିଛି ଅନେକ ଦୁଃଖ ଓ ସଂଘର୍ଷ । ତେବେ ଏହି ସଂଘର୍ଷ ଆଜି ତାଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇବାରେ ସମର୍ଥ ହୋଇଛି ।
ପୁପଲାର କମେଡିଆନ୍ ତଥା ‘ବିଗ୍ ବସ୍-୧୭’ ବିଜେତା ମୁନବର ଫାରୁକି ପୂର୍ବତନ ଟେନିସ୍ ତାରକା ସାନିଆ ମିର୍ଜାଙ୍କ ପଡ୍କାଷ୍ଟରେ ନିଜ ପିଲାଦିନର କଠିନ ସଂଘର୍ଷମୟ ଦିନଗୁଡ଼ିକୁ ମନେ ପକାଇଛନ୍ତି । ଯାହାବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହା ବର୍ତ୍ତମାନ ଅନେକଙ୍କ ପାଇଁ ପ୍ରେରଣା ପାଲଟିଛି । ସେ କହିଛନ୍ତି ଯେ ମାତ୍ର ୮ ବର୍ଷ ବୟସରେ ସେ କାମ କରିବା ଆରମ୍ଭ କରିଥିଲେ । ଏକ ଛୋଟ ଦୋକାନରେ ବିଭିନ୍ନ ସାମଗ୍ରୀ ବିକ୍ରି କରି ଦୈନିକ ୧୦ରୁ ୨୦ ଟଙ୍କା ରୋଜଗାର କରୁଥିଲେ। ଯାହା ପରେ ୧୧ ବର୍ଷ ବୟସରେ ସେ ଏକ ଗିଫ୍ଟ ସପ୍ରେ ପ୍ରାୟ ୨ରୁ ୪ ମାସ କାମ କରିଥିଲେ। ତେବେ ଏକ ବାସନ ଦୋକାନରେ କାମ କରିବା ତାଙ୍କର ପ୍ରଥମ ନିୟମିତ ଚାକିରି ଥିଲା। ପାଠପଢ଼ାରେ ଅତ୍ୟନ୍ତ ମେଧାବୀ ଥିବା ଏବଂ ନିଜ ଶ୍ରେଣୀରେ ସବୁବେଳେ ପ୍ରଥମ ହେଉଥିବା ସତ୍ତ୍ୱେ ଘୋର ଆର୍ଥିକ ଅନଟନ କାରଣରୁ ତାଙ୍କୁ ଷଷ୍ଠ ଶ୍ରେଣୀ ପରେ ଅଧାରୁ ପାଠପଢ଼ା ଛାଡ଼ିବାକୁ ପଡ଼ିଥିଲା ବୋଲି ସେ ଦୁଃଖର ସହ ପ୍ରକାଶ କରିଛନ୍ତି । ତେବେ ସେ ପଢ଼ିବାକୁ ବହୁତ ଚାହୁଁଥିଲେ କିନ୍ତୁ ପରିସ୍ଥିତି ତାଙ୍କୁ ଅନୁମତି ଦେଇନଥିଲା। ତେବେ ଛୋଟବୟସରୁ କାମ କରିବା ଦ୍ୱାରା ତାଙ୍କୁ ଜୀବନରେ ଅନେକ କିଛି ଶିଖିବାକୁ ମିଳିଛି ବୋଲି ସେ ଅନୁଭବ କରୁଛନ୍ତି। ସେହିଭଳି ତାଙ୍କୁ ସର୍ବଦା ବ୍ୟସ୍ତ ରହିବାକୁ ଭଲ ଲାଗେ ଏବଂ ସେ ବିନା ଛୁଟିରେ ପ୍ରତିଦିନ କାମ କରିପାରିବେବୋଲି ମତ ଦେଇଛନ୍ତି । ତାଙ୍କ ମତରେ କଠିନ ପରିଶ୍ରମ କରିବା ଓ ରୋଜଗାର କରିବାରେ ତାଙ୍କୁ କେବେ ବି ଥକ୍କାପଣ ଅନୁଭବ ହୁଏ ନାହିଁ । ଅନ୍ୟମାନେ ତାଙ୍କୁ ବହୁତ ପରିଶ୍ରମୀ ବୋଲି କହୁଥିଲେ ବି ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନରେ ସମାନ ଭାବେ ସଂଘର୍ଷ ଓ ପରିଶ୍ରମ କରିଥାନ୍ତି ବୋଲି ସେ ବିଶ୍ୱାସ କରନ୍ତି। ଗୁଜରାଟର ଜୁନାଗଡ଼ରେ ଜନ୍ମଗ୍ରହଣ କରିଥିବା ମୁନବର କିଶୋରାବସ୍ଥାରେ ନିଜ ମାଆଙ୍କ ଦେହାନ୍ତ ପରେ ପରିବାରକୁ ସାହାଯ୍ୟ କରିବା ଏବଂ ନିଜ ଖର୍ଚ୍ଚ ତୁଲାଇବା ପାଇଁ ମୁମ୍ବାଇ ଚାଲିଆସିଥିଲେ। ଯେଉଁଠି ପିଲାଦିନରୁ କମ୍ ଲୋକଙ୍କ ସହ ମିଶୁଥିବା ଏବଂ ଗୁଜରାଟୀ ମାତୃଭାଷା ହୋଇଥିବା କାରଣରୁ ତାଙ୍କୁ ହିନ୍ଦୀ କହିବାରେ ବହୁତ ଅସୁବିଧା ହେଉଥିଲା। ନିଜ ଉଚ୍ଚାରଣକୁ ନେଇ ଲୋକେ ମଜାକ୍ ଉଡ଼ାଇବେ ବୋଲି ତାଙ୍କ ମନରେ ଭୟ ରହୁଥିଲା, କିନ୍ତୁ ପରବର୍ତ୍ତୀ ସମୟରେ ଲୋକଙ୍କ ସେହି ପରିହାସ ହିଁ ତାଙ୍କୁ ଭଲ ଭାବେ ହିନ୍ଦୀ ଶିଖିବାକୁ ପ୍ରେରିତ କରିଥିଲା । ମୁମ୍ବାଇର ଡୋଙ୍ଗ୍ରି ଅଞ୍ଚଳ ସ୍ଥିତ ନଳ ବଜାରରେ ଥିବା ଏକ ବାସନ ଦୋକାନରେ ଦୀର୍ଘ ବର୍ଷ ଧରି କାମ କରିବା ସହ ସେ ଜଣେ ଗ୍ରାଫିକ୍ ଆର୍ଟିଷ୍ଟ ଭାବେ ମଧ୍ୟ ସେ କାର୍ଯ୍ୟ କରିଥିଲେ। ଏହାପରେ ଧୀରେ ଧୀରେ ଷ୍ଟାଣ୍ଡଅପ୍ କମେଡି ଦୁନିଆରେ ପାଦ ଥାପି ନିଜର କମେଡି ଭିଡିଓ ଓ ୟୁଟ୍ୟୁବ୍ ପରଫରମାନ୍ସ ଜରିଆରେ ଦର୍ଶକଙ୍କ ଅମାପ ଭଲପାଇବା ସାଉଁଟିଥିଲେ । ଏହାପରେ ଆଉ ପଛକୁ ଫେରି ଚାହିନାହାନ୍ତି ମୁନାବର । ସେହି ଯାତ୍ରା ଆଜି ତାଙ୍କୁ ଏହି ସଫଳତା ପ୍ରଦାନ କରିଛି ।




