ୱେଟରରୁ ସୁପରଷ୍ଟାର
ପିଲାଦିନୁ ସିନେମାକୁ ଭଲ ପାଉଥିବା ଜଣେ ଯୁବକ ଯେବେ ବଲିଉଡରେ କ୍ୟାରିୟର ଗଢ଼ିବାକୁ ପାଦ ଥାପିଥିଲେ, ସେତେବେଳେ ତାଙ୍କୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଅନେକ ପ୍ରତ୍ୟାଖ୍ୟାନ ଓ କାଷ୍ଟିଂ କାଉଚ୍ ଭଳି ସମସ୍ୟାର ସାମ୍ନା କରିବାକୁ ପଡ଼ିଥିଲା । ଏପରିକି ଦିନେ କାମ ସନ୍ଧାନରେ ଜଣେ ପ୍ରୋଡ୍ୟୁସରଙ୍କ ଘରକୁ ଯିବା ସମୟରେ ତାଙ୍କ ପଛରେ କୁକୁର ଲଗାଯାଇଥିଲା । ତେବେ ଏତେ ସବୁ ସଂଘର୍ଷ ପରେ ବର୍ତ୍ତମାନ ସେ ବଲିଉଡର ଅନ୍ୟତମ ଶୀର୍ଷ ସୁପରଷ୍ଟାର୍ ପାଲଟିଛନ୍ତି, ସେ ହେଉଛନ୍ତି ରଣବୀର ସିଂ । କ୍ୟାରିୟରରେ 'ଧୁରନ୍ଧର', 'ଧୁରନ୍ଧର ୨', 'ପଦ୍ମାବତ' ଏବଂ 'ବାଜିରାଓ ମସ୍ତାନୀ' ଭଳି ଅନେକ ସୁପରହିଟ୍ ଫିଲ୍ମ ଭେଟି ଦେଇଛନ୍ତି। ଏହି ସଫଳତା ପଛରେ ଲୁଚି ରହିଛି ଏକ କଠିନ ସଂଘର୍ଷର କାହାଣୀ । ସେ ଆମେରିକାର ଇଣ୍ଡିଆନା ୟୁନିଭର୍ସିଟି ବ୍ଲୁମିଂଟନରେ ଟେଲିକମ୍ୟୁନିକେସନ ପଢ଼ୁଥିବା ସମୟରେ ନିଜ ଖର୍ଚ୍ଚ ତୁଲାଇବା ପାଇଁ 'ଷ୍ଟାରବକ୍ସ' କଫି ହାଉସରେ ୱେଟର ଓ ସର୍ଭର ଭାବେ ପାର୍ଟ-ଟାଇମ୍ ଚାକିରି କରିବା ସହ ଅଧିକ ପଇସା ରୋଜଗାର କରିବା ପାଇଁ ବଟର ଚିକେନ୍ ମଧ୍ୟ ବିକ୍ରି କରୁଥିଲେ। ଅନେକ ପରିଶ୍ରମ ପରେ ନିଜ ପ୍ରତିଭା ବଳରେ ଆଜି ସେ ବଲିଉଡର ସୁପରଷ୍ଟାର ତାଲିକାରେ ସାମିଲ ହୋଇ ପାରିଛନ୍ତି ।




