ସ୍ମୃତିରେ ...

ସ୍ମୃତିରେ ...
Ipsita Picture
By: Ipsita
Published On

ଓଡ଼ିଶା ସଙ୍ଗୀତ ଇଣ୍ଡଷ୍ଟ୍ରୀରେ ଭିସ୍ମପିତାମହଙ୍କ ତାଲିକା  ଖୁବ ଲମ୍ବା । ଏଠାରେ ଏଭଳି  ଅନେକ ସଙ୍ଗୀତକାରଙ୍କର ଜନ୍ମ ହୋଇଛି, ଯେଉଁମାନେ ଓଡ଼ିଶାର ସଙ୍ଗୀତକୁ କାଳଜୟୀ କରିଛନ୍ତି । ସେହିଭଳି କିଛି ଶ୍ରେଷ୍ଠ ସଙ୍ଗୀତକାରଙ୍କୁ  ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଏହି ସ୍ବତନ୍ତ୍ର ଉପସ୍ଥାପନା...ଓଡ଼ିଆ ସଙ୍ଗୀତ ଇଣ୍ଡଷ୍ଟ୍ରୀ ସର୍ବଦା ଶ୍ରୋତାଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ରଖିଥାଏ । ଗୋଟିଏ ଓଡିଆ ଯେଉଁଠି ବି ଥିଲେ ଓଡିଆ ଗୀତ ଗୁଣଗୁଣେଇବାକୁ କେବେ ବି ଭୁଲି ନଥାଏ । ସେହିଭଳି ଏହି ଇଣ୍ଡଷ୍ଟ୍ରୀକୁ ସମୃଦ୍ଧ କରିବାରେ ହାତ ରହିଛି ଏକାଧୀକ କିମ୍ବଦନ୍ତୀ ସଙ୍ଗୀତକାରଙ୍କର । ଯେଉଁମାନଙ୍କର ରଚନା, ମନମୁଗ୍ଧକର କଣ୍ଠ ସ୍ବର, ଲୟ ଓ ତାଳ ଆଦି ଓଡିଶା ସଙ୍ଗୀତକୁ କରିଛି ଆହୁରି ସୁମୁଧର । ସେମାନଙ୍କର କଣ୍ଠର ଲାଳିତ୍ୟ ଶ୍ରୋତାଙ୍କ ହୃଦୟରେ ଘର କରି ରହିଛି । ସେମାନଙ୍କର ଅବର୍ତମାନ କାହିଁ କେଉଁ ଦିନରୁ ହୋଇଥିଲେ ବି ଆଜି ବି ସେମାନେ ନିଜନିଜର ସଙ୍ଗୀତ ମାଧ୍ୟମରେ ଜୀବନ୍ତ ହୋଇ ରହିଛନ୍ତି । ଏହି କିମ୍ବଦନ୍ତୀ ସଙ୍ଗୀତକାରଙ୍କ ଅବଦାନ ପାଇଁ ଓଡିଆ ଗୀତ ଆଜି ସାରା ବିଶ୍ବରେ ପ୍ରସିଦ୍ଧି ଲାଭ କରିଛି ।

ପ୍ରଣବ କିଶୋର ପଟ୍ଟନାୟକ

ପ୍ରଣବ କିଶୋର ପଟ୍ଟନାୟକ ଓଡ଼ିଆ ସଙ୍ଗୀତ ଜଗତର ଜଣେ ଅନ୍ୟତମ ଶ୍ରେଷ୍ଠ ଗାୟକ, ଯିଏକି ପାଞ୍ଚ ଦଶନ୍ଧିରୁ ଅଧିକ ସମୟ ଧରି ଓଡିଆ ସଙ୍ଗୀତ ଜଗତରେ ଆଧିପତ୍ୟ ବିସ୍ତାର କରିରହିଥିଲେ ।  ଅଗଷ୍ଟ ୨୧, ୨୦୨୬ରେ ୮୮ ବର୍ଷରେ ତାଙ୍କର ଦେହାନ୍ତ ହୋଇଛି, ତାଙ୍କ କଣ୍ଠ ଆଜି ନିରବି ଯାଇଛି ସତ ହେଲେ ସେ ଶ୍ରୋତାଙ୍କ ହୃଦୟରେ ସବୁବେଳେ ତାଙ୍କ ସଙ୍ଗୀତ ମାଧ୍ୟମରେ ଜୀବନ୍ତ ରହିବେ । ୧୯୩୮ ମସିହା ଜାନୁଆରୀ ୨୦ ତାରିଖରେ ଜନ୍ମଗ୍ରହଣ କରିଥିବା ପ୍ରଣବ ପଟ୍ଟନାୟକ ତାଙ୍କ ପିତା ଦ୍ୱାରା ଅତ୍ୟନ୍ତ ଅନୁପ୍ରାଣିତ ହୋଇଥିଲେ, ଯିଏକି ସ୍ୱର୍ଗତ ଲାଲ ମୋହନ ପଟ୍ଟନାୟକ (ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି) ଥିଲେ । ସେ ଓଡ଼ିଶୀ, ଲୋକଗୀତ, ଭକ୍ତିଗୀତ ଓ ଭଜନ, ସେମି କ୍ଲାସିକାଲ୍, ପାରମ୍ପରିକ, ହିନ୍ଦୀ ଗୀତ ଏବଂ ଗଜଲ ଭଳି ସଙ୍ଗୀତର ବିଭିନ୍ନ ବିଭାଗରେ ନିଜର କଣ୍ଠଦାନ କରିଛନ୍ତି। ଗୁରୁ କୁନାଲ ଆଦିନାରାୟଣଙ୍କ ତାଲିମ ଅଧୀନରେ ସେ ଆନୁଷ୍ଠାନିକ ଭାବେ ସଙ୍ଗୀତ ଜଗତରେ ପାଦ ଥାପିଥିଲେ । ୧୯୫୮ ମସିହାରେ "ମା" ଫିଲ୍ମ ମାଧ୍ୟମରେ ସେ ପ୍ରଥମ ଥର ପାଇଁ ପ୍ରଚ୍ଛଦପଟ ଗାୟକ (ପ୍ଲେବ୍ୟାକ୍ ସିଙ୍ଗର) ଭାବରେ ନିଜର ସଙ୍ଗୀତ କ୍ୟାରିୟର ଆରମ୍ଭ କରିଥିଲେ । ତାଙ୍କୁ ହେମଲତା, ବାଣୀ ଜୟରାମ, ଏସ. ଜାନକୀ, ପି. ସୁଶୀଳା, ନିର୍ମଳା ମିଶ୍ର, ଭୂପିନ୍ଦର ସିଂହ, ଉଷା ମଙ୍ଗେସକର ଏବଂ ହୈମନ୍ତୀ ଶୁକ୍ଲାଙ୍କ ଭଳି ପ୍ରସିଦ୍ଧ ଗାୟକ-ଗାୟିକାଙ୍କ ସହ ଗାଇବାର ସୁଯୋଗ ମିଳିଥିଲା । ସେ ଏକମାତ୍ର ଓଡ଼ିଆ ପ୍ରଚ୍ଛଦପଟ ଗାୟକ, ଯିଏକି ଓଡ଼ିଶା ସରକାରଙ୍କ ଦ୍ୱାରା ଏକାଧିକ ଥର "ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ ପୁରସ୍କାର"ରେ ସମ୍ମାନିତ ହୋଇଛନ୍ତି । ସଙ୍ଗୀତ ଦୁନିଆର ଶ୍ରେଷ୍ଠ ପୁରସ୍କାର ଜୟଦେବ ପୁରସ୍କାରରେ ମଧ୍ୟ ସେ ସମ୍ମାନୀତ ହୋଇଛନ୍ତି । ତାଙ୍କ ଗୀତଗୁଡ଼ିକର କଣ୍ଠଶୈଳୀ ଅତ୍ୟନ୍ତ ବ୍ୟାପକ ଏବଂ ତାଙ୍କର ଗାଇବାର ନିଆରା ଶୈଳୀ ଅତୁଳନୀୟ । ତାଙ୍କ ଗୀତ ଶ୍ରୋତାମାନଙ୍କୁ ସୃଷ୍ଟିର ସର୍ବୋଚ୍ଚ ସତ୍ତାକୁ ଉପଲବ୍ଧି କରାଏ । ସେ ଓଡ଼ିଶା ଏବଂ ଓଡ଼ିଶା ବାହାରର ପ୍ରାୟ ସମସ୍ତ ସଙ୍ଗୀତ ନିର୍ଦ୍ଦେଶକଙ୍କ ଅଧୀନରେ ୨୦୦ରୁ ଅଧିକ ଓଡ଼ିଆ ଫିଲ୍ମରେ ନିଜର ସ୍ୱର ଦେଇଛନ୍ତି । ଓଡିଆ ସଙ୍ଗୀତ ଦୁନିଆର ଅନେକ କଳାକାରଙ୍କର ସେ ଥିଲେ ମାର୍ଗଦର୍ଶକ ଓ ପ୍ରେରଣା । ଅନେକ ତାଙ୍କୁ ଦେଖି ତାଙ୍କଠାରୁ ଶିଖି ଏହି ସଙ୍ଗୀତ ଦୁନିଆରେ ପାଦ ଥାପିଥିଲେ । ତାଙ୍କ ପଥ ଅନୁସରଣ କରି ଅନେକଙ୍କୁ ସେମାନଙ୍କ କ୍ୟାରିୟରରେ ସଫଳତା ମିଳିଛି । ସେ ଆଜି ନାହାନ୍ତି ସତ ହେଲେ ତାଙ୍କ ଗୀତ ଓଡିଆ ସଙ୍ଗୀତ ତଥା ଓଡିଆ ଶିଳ୍ପୀ ଓ ଦର୍ଶକଙ୍କ ପାଇଁ ସବୁବେଳେ ଅଭୁଲା ହୋଇ ରହିବ ।

1111111

ଅକ୍ଷୟ ମହାନ୍ତି

ଖୋକା ଭାଇ ନାମରେ ବେଶ ଜଣାଶୁଣା ଥିଲେ ବିଶିଷ୍ଟ ସଙ୍ଗୀତଜ୍ଞ ଅକ୍ଷୟ ମହାନ୍ତି । ୧୨ ଅକ୍ଟୋବର ୧୯୩୬ରେ କଟକଠାରେ ଜନ୍ମିତ ସମସ୍ତଙ୍କ ପ୍ରିୟ ଖୋଖା ଭାଇ  ଏକାଧାରାରେ ଥିଲେ ଜଣେ  ଗାୟକ, ସଙ୍ଗୀତଜ୍ଞ, ଗାଳ୍ପିକ, ଔପନ୍ୟାସିକ ଓ ଭ୍ରମଣ କାହାଣୀ ଲେଖକ ଥିଲେ । ସେ ଓଡ଼ିଆ କଥାଚିତ୍ର, ପଲ୍ଲୀଗୀତ, ଭଜନମାନଙ୍କରେ କଣ୍ଠଦାନ କରିଛନ୍ତି, ତାଙ୍କୁ ଓଡ଼ିଆ ଆଧୁନିକ ଓ ସୁଗମ ସଙ୍ଗୀତର ଜନ୍ମଦାତା ବୋଲି କୁହାଯାଇଥାଏ । ଓଡ଼ିଶାର ଅନେକ ଲୋକକଥା ଓ ଗୀତକୁ ନେଇ ସେ ସଙ୍ଗୀତ ସଂଯୋଜନା କରିଛନ୍ତି, ଯାହା ଆଜି ବି ଶ୍ରୋତାଙ୍କ ହୃଦୟରେ ଜୀବନ୍ତ ରହିଛି । ଅକ୍ଷୟ ପୂର୍ବର କେନ୍ଦ୍ରାପଡ଼ା ଓ ଏବର କଟକ ଜିଲ୍ଲାର ବାଙ୍କିମୁଣ୍ଡେଇ ଗାଁରେ ବାପା ବିଚିତ୍ରାନନ୍ଦ ମହାନ୍ତି ଓ ମାଆ ସୁବର୍ଣ୍ଣ ମଞ୍ଜରି ଦେବୀଙ୍କଠାରୁ ଜନ୍ମଗ୍ରହଣ କରିଥିଲେ । ମାତ୍ର ୨୨ ବର୍ଷ ବୟସରେ କଟକ ଆକାଶବାଣୀଠାରେ ସରକାରୀ ଚାକିରିରେ ଯୋଗ ଦେଇଥିଲେ, ହେଲେ ସାତ ବର୍ଷ ପରେ ଚାକିରି ଛାଡ଼ି ପୁରା ସମୟ ସଙ୍ଗୀତପାଇଁ ହିଁ ଦେଇଥିଲେ । କେବଳ ସଙ୍ଗୀତ ନୁହେଁ ତିନୋଟି କଥାଚିତ୍ରରେ ମଧ୍ୟ ସେ ଅଭିନୟ କରିଛନ୍ତି ଓ ଯାଯାବର କଥାଚିତ୍ରରେ ସହନିର୍ଦ୍ଦେଶନା ଦେଇଛନ୍ତି । ଏହାସହ ଲେଖକ ଭାବେ ସେ ୧୮ରୁ ଅଧିକ ବହି ଲେଖିଛନ୍ତି । ୧୯୪୮ ମସିହାରେ ଅକ୍ଷୟ ଆକାଶବାଣୀର ପ୍ରତିଷ୍ଠା ଦିବସରେ ଜଣେ ଶିଶୁଶିଳ୍ପୀ ଭାବରେ ଅଂଶଗ୍ରହଣ କରିଥିଲେ । ଏହା ତାଙ୍କର ସଂଗୀତ କ୍ଷେତ୍ରରେ ପ୍ରଥମ ପ୍ରବେଶ । ୧୯୫୫ ମସିହାରୁ ସେ ଜଣେ ସ୍ୱୀକୃତିପ୍ରାପ୍ତ ବେତାର ଶିଳ୍ପୀ । ୧୯୫୭ ମସିହାରେ ଦିଲ୍ଲୀରେ ଅନୁଷ୍ଠିତ ଯୁବଉତ୍ସବ ତାଙ୍କ ପରିଚାଳିତ ସମବେତ ସଙ୍ଗୀତ ପ୍ରଥମ ସ୍ଥାନ ଅଧିକାର କରିଥିଲା । ଅକ୍ଷୟଙ୍କର ପ୍ରଥମ ଚଳଚ୍ଚିତ୍ର ଗୀତ ଥିଲା ପଚାଶ ଦଶକରେ ମୁକ୍ତିଲାଭ କରିଥିବା ଗାଇଆଳ ଭାଇ ଧରିଛି ଶୁଣ । ୧୯୫୯ର ମା କଥାଚିତ୍ରର ଗୋରି ଗୋରି ଗୋରି ଥିଲା ତାଙ୍କର ପ୍ରଥମ ପ୍ରଚ୍ଛଦ ଗୀତ । ସେ ମୋଟ ୧୨୯ ଗୋଟି କଥାଚିତ୍ରରେ କଣ୍ଠଦାନ କରିଛନ୍ତି । ୧୯୬୫ରେ ନିର୍ଦ୍ଦେଶକ ନିତାଇ ପାଲିତଙ୍କ ମଲାଜହ୍ନ କଥାଚିତ୍ର ପାଇଁ ସେ ସଙ୍ଗୀତ ତିଆରି କରିଥିଲେ । "ରକତ ଟଳମଳ" ଗୀତଟି ସେହି କଥାଚିତ୍ରର ଏକ ଜଣାଶୁଣା ଗୀତ । ସେ ୭୫ଟି ଓଡ଼ିଆ କଥାଚିତ୍ରରେ ସେ ତିଆରି କରିଛନ୍ତି ସଙ୍ଗୀତ ଓ ୯୨ଟି କଥାଚିତ୍ରରେ ଗୀତିକାର ସାଜିଛନ୍ତି । ଫକୀର ମୋହନ ସେନାପତିଙ୍କ "ପେଟେଣ୍ଟ ମେଡିସିନ"କୁ ନେଇ ସେ ତିଆରି କରିଥିବା ନାଟକ ଆକାଶବାଣୀର ଶ୍ରେଷ୍ଠ ନାଟକ ପୁରସ୍କାର ଜିଣିଥିଲା । ସାଲବେଗଙ୍କ ରଚନା 'କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ' ଭିତରେ ସେ ଓଡ଼ିଆ ଭଜନରେ ନୂଆ ଧାରା ଆରମ୍ଭ କରିଥିଲେ । 'ସାତ ଦରିଆପାରେ'ର ଦେଶ ପାଇଁ କଥା, "ହେ ଫଗୁଣ ତୁମେ'ର ଉଦାସୀ ମନ ଆଉ 'ରାଜାଝିଅ ସାଙ୍ଗେ"ର ହାଲକା ଫୁଲକା ଭାବ; ଦୁଃଖଭରା 'ରକତ ଟଳମଳ' ଆଉ ଭାବୁକ 'ଚକୋରି ଝରାନା ଲୁହ' - ଏଇ ସବୁ ଗୀତ ଭିତରେ ଅକ୍ଷୟ ନିଜ ପାଇଁ ଗୋଟିଏ ନିଆରା ପରିଚୟ ତିଆରିକରି ଯାଇଛନ୍ତି ଓଡ଼ିଆ ପ୍ରାଣରେ । ୨୦୦୨ ମସିହାରେ ଏହି ମହାନ ସଙ୍ଗୀତଜ୍ଞଙ୍କର ପରଲୋକ ଘଟିଥିଲା ।

Akshaya_Mohanty

ପ୍ରଫୁଲ୍ଲ କର

୧୬ ଫେବୃଆରୀ ୧୯୩୯ରେ ପୁରୀରେ ଜନ୍ମିତ ପ୍ରଫୁଲ୍ଲ କରହେଲେ ଓଡିଶାର କିମ୍ବଦନ୍ତୀ ସଙ୍ଗୀତକାର । ଜଣେ ଗାୟକ, ଗୀତିକାର, ଗାଳ୍ପିକ ଓ ସ୍ତମ୍ଭକାର ଭାବେଥିଲା ତାଙ୍କର ଅନନ୍ୟ କ୍ଷାତି । ସେ ୧୯୬୦ ମସିହାରେ ତାଙ୍କ ସଙ୍ଗୀତ ଜୀବନ ଆରମ୍ଭ କରିଥିଲେ । ୭୦ରୁ ଅଧିକ ଓଡ଼ିଆ କଥାଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେବା ସହିତ ୮ଥର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲେ ପ୍ରଫୁଲ୍ଲ କର । ତାଙ୍କ ପିତାଙ୍କ ନାମ ପିତା ବୈଦ୍ୟନାଥ କର ଓ ମାତାଙ୍କ ନାମ ସୁଶିଳା କର ଥିଲା । ତାଙ୍କ ପରିବାରରେ ସଂଗୀତମୟ ପରିବେଶ ଥିଲା । ତାଙ୍କ ପିତାଙ୍କର ବଡ଼ ଭାଇ କ୍ଷେତ୍ରମୋହନ କର ଜଣେ ତବଲାବାଦକ ଥିଲେ, ଯାହା ତାଙ୍କୁ ପିଲାଦିନରୁ ହିଁ ପ୍ରେରିତ କରିଥିଲା । ପ୍ରଫୁଲ୍ଲ କର, ପୁରୀର ଗଦାଧର ହାଇସ୍କୁଲ ଓ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟରୁ ଶିକ୍ଷାଗ୍ରହଣ କରିଥିଲେ । ଏହାପରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ କଳା ଓ ଆଇନରେ ସ୍ନାତକ ଉପାଧି ଲାଭ କରିଥିଲେ । ପରବର୍ତ୍ତୀ ସମୟରେ ସେ ଅଖିଳ ଭାରତୀୟ ଗନ୍ଧର୍ବ ମହାବିଦ୍ୟାଳୟ, ମହାରାଷ୍ଟ୍ରରୁ ଗୁରୁ ମାର୍କଣ୍ଡେୟ ମହାପାତ୍ର, ପଣ୍ଡିତ କେ. ଆଦିନାରାୟଣ, ପଣ୍ଡିତ ଜେ.ଭି.ଏସ.ରାଓ ପ୍ରମୁଖଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ, ସଂଗୀତ ବିଶାରଦ ଉପାଧି ହାସଲ କରିଥିଲେ । ପ୍ରଫୁଲ୍ଲ କର ନିଜର ପେଷାଦାର ସଙ୍ଗୀତ ଜୀବନ ୧୯୬୦ ମସିହାରେ ଆରମ୍ଭ କରିଥିଲେ ଏବଂ ଖୁବ ଶିଘ୍ର ନିଜକୁ ଆକାଶବାଣୀର (ଗ୍ରେଡ଼-ଏ) ଓ ଟେଲିଭିଜନର ଜଣେ ପ୍ରତିଷ୍ଠିତ ସଙ୍ଗୀତକାର, ଗାୟକ ଓ ଗୀତିକାର ଭାବରେ ପ୍ରତିଷ୍ଠିତ କରିପାରିଥିଲେ । ପ୍ରଫୁଲ୍ଲ କର ପ୍ରାୟ ୭୦ରୁ ଅଧିକ ଓଡ଼ିଆ ସିନେମା ଓ ୪ଟି ବଙ୍ଗଳା ସିନେମାରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ତାଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତ ତଥା ପାରମ୍ପରିକ ଓଡ଼ିଶୀ ଲୋକଗୀତର ବହୁଳ ବ୍ୟବହାର ଦେଖିବାକୁ ମିଳେ । ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶନା ପାଇଁ ସେ ୮ଥର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲେ । ପ୍ରଫୁଲ୍ଲ କରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ, ଅନୁରାଧା ପୌଡ଼ୱାଲ, ଉଷା ମଙ୍ଗେସକର, କବିତା କୃଷ୍ଣମୂର୍ତ୍ତୀ, ସୁରେଶ ୱାଡ଼େକର, ମହମ୍ମଦ ଅଜିଜ, ଅମିତ କୁମାର, ବାଣୀ ଜୟରାମ, ଏସ. ଜାନକୀ, ଆର. ସୁଶୀଳା, ଚିତ୍ରା, ସ୍ୱର୍ଣଲତା, ୟେଶୁ ଦାସ, ଏସ. ପି. ବାଲସୁବ୍ରମଣ୍ୟମ, ମନୁ, ଆରତୀ ମୁଖର୍ଜୀ,ନିର୍ମଳା ମିଶ୍ର, ସିପ୍ରା ବୋଷ, ଅଜୟ ଚକ୍ରବର୍ତି, ହୈମୟନ୍ତି ଶୁକ୍ଳା ପ୍ରଭୃତି ବହୁ ଜାତୀୟ ସ୍ଥରର ଗାୟକମାନେ ଓଡ଼ିଆ ସିନେମା କଣ୍ଠଦାନ କରିଥିଲେ । ତାଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ବହୁ ଗାୟକ/ଗାୟିକାମାନେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରି ବହୁ ସମ୍ମାନ ଲାଭ କରିଛନ୍ତି ।  ଓଡ଼ିଶୀ ସଙ୍ଗୀତ କ୍ଷେତ୍ରରେ ମଧ୍ୟ ତାଙ୍କ ଅବଦାନ ଅତୁଳନୀୟ । ବିଭିନ୍ନ ଓଡ଼ିଶୀ ନୃତ୍ୟ ଗୁରୁମାନଙ୍କ ସହ ମିଶି, ସେ ବହୁ ଓଡ଼ିଶୀ ନୃତ୍ୟନାଟିକାରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ଏହି କିମ୍ବଦନ୍ତୀ ସଙ୍ଗୀତକାରଙ୍କର ୧୭ ଅପ୍ରେଲ ୨୦୨୨ରେ ଦେହାନ୍ତ ହୋଇଥିଲା ।

ଭଜନ ସମ୍ରାଟ ଭିକାରୀ ଚରଣ ବଳ

ତାଙ୍କ ନାଁରେ ହିଁ ରହିଛି ତାଙ୍କ ଉପାଧୀ, ସେ ଥିଲେ ଓଡିଆ ଭଜନର ସମ୍ରାଟ । ଭଜନ ସମ୍ରାଟ ଭିକାରୀ ଚରଣ ବଳ ଓଡ଼ିଶାର କେନ୍ଦ୍ରାପଡ଼ା, ସୋବଳାରେ ଜନ୍ମିତ । ସେ ପାରମ୍ପରିକ ଓଡ଼ିଶୀ ସଙ୍ଗୀତର ବିଭିନ୍ନ ବିଭାଗ, ଯଥା ଚଉପଦୀ, ଛାନ୍ଦ, ଚମ୍ପୂ, ଚଉତିଶା, ଭଜନ, ଜଣାଣ, ଇତ୍ୟାଦି ସଙ୍ଗେ ସଙ୍ଗେ ପଲ୍ଲୀଗୀତ ଆଦି ଅନେକ ଗୀତରେ ଥିଲେ ପାରଦର୍ଶି । ପିତା ରାମଚନ୍ଦ୍ର ବଳ ଓ ମାତା ଗେହ୍ଲାରାଣି ବଳଙ୍କ ସନ୍ତାନ ଭିକାରୀ ବଳ ୧୯୨୯ ମସିହା ମଇ ୨୫ ତାରିଖରେ ଓଡ଼ିଶାର କେନ୍ଦ୍ରାପଡ଼ାସ୍ଥିତ ସୋବଳାରେ ଜନ୍ମ ନେଇଥିଲେ । ହେଲେ ପିଲାଦିନୁ ବାପା ମାଆଙ୍କ ମୃତ୍ୟୁ ତାଙ୍କୁ ଦେଇଥିଲା ଅନେକ କଷ୍ଟ । ପ୍ରାଥମିକ ଶିକ୍ଷା ପରେ ଭିକାରୀ କେନ୍ଦ୍ରାପଡ଼ା ଜିଲା କଦଳୀବଣ ହାଇସ୍କୁଲରେ ନାମ ଲେଖାଇଥିଲେ ଓ ସେଠାରେ ନବମ ଶ୍ରେଣୀ ଯାଏଁ ପାଠ ପଢ଼ିଥିଲେ । ଏହା ପରେ ନିଜ ଗାଁ ସବଳାରେ ସେ ଯାତ୍ରା ଦଳରେ ଯୋଗ ଦେଇଥିଲେ । ସେଠାରେ ସେ ଗୀତ , ହାରମୋନିଅମ ବଜାଇବା, ଅଭିନୟ ଆଦି ଶିଖିଥିଲେ । ଏହାପରେ ସେ ଏକ ପାଖ ସ୍କୁଲ, ଗୋକୁଳାନନ୍ଦ ସଙ୍ଗୀତ ସଦନରେ ସଙ୍ଗୀତ ଶିକ୍ଷକ ହୋଇଥିଲେ। ଗୁରୁ ଖିତିଜ ମିତ୍ରଙ୍କ ସହାୟତାରେ ସେ କଟକ କଳାବିକାଶ କେନ୍ଦ୍ରରେ ଓଡ଼ିଶୀ ସଙ୍ଗୀତରେ ଶିକ୍ଷାଲାଭ କରିଥିଲେ । ଆକାଶବାଣୀରେ ସେ ଜଣେ ଏ-ଶ୍ରେଣୀର ଗାୟକ ଭାବରେ ୧୯୬୩ରେ କାମ ଆରମ୍ଭ କଲେ । ପ୍ରାଣ ମିତଣି ବାରେ ଚାହାଁରେ ଗୀତ ପାଇଁ ସେ ସେଠାରେ ଅନେକ ଲୋକପ୍ରିୟତା ଅର୍ଜନ କରିଥିଲେ। ହେଲେ ତାହାଙ୍କ ଜନପ୍ରିୟତା କୋଠ ଭୋଗଖିଆ ଗୀତରୁ ଅନେକ ବଢ଼ିଯାଇଥିଲା । ଏହି ଗୀତ ୭୦ ଦଶକରେ ଏକ ବହୁଳ ଲୋକପ୍ରିୟ ଗୀତର ମାନ୍ୟତା ପାଇଥିଲା । ପୁରାତନ ରଚନାରୁ ସେ ବହୁ ସଙ୍ଗୀତ ଗାନ କରିଛନ୍ତି। ଗୋପାଳକୃଷ୍ଣ, ଦୀନକୃଷ୍ଣ, ବଳଦେବ, ବନମାଳି ଓ ସାଲବେଗ ଆଦି ପୁରାତନ କବିଙ୍କ ବହୁ ଭଜନରେ ସେ କଣ୍ଠଦାନ କରିଛନ୍ତି । ତାଙ୍କର ଜଗନ୍ନାଥ ଭଜନ ଓ ଗୀତ ଗୋବିନ୍ଦର ପଦ ଆବୃତି ତାଙ୍କୁ ଘରେ ଘରେ ପରିଚିତ କରାଇଥିଲା । ସେ ଅନେକ ଚମ୍ପୁ, ଛାନ୍ଦ ଓ ଲୋକଗୀତ ମଧ୍ୟ ଗାଇଥିଲେ । ଅନେକ ଓଡ଼ିଆ ଚଳଚ୍ଚିତ୍ରରେ ମଧ୍ୟ କଣ୍ଠଦାନ କରିଥିଲେ । ପୁରୀର ଗଜପତି ମହାରାଜା ଦିବ୍ୟସିଂହ ଦେବ ତାଙ୍କୁ "ଭଜନ ସମ୍ରାଟ" ଉପାଧିରେ ଭୂଷିତ କରିଥିଲେ ଓ ଜଗନ୍ନାଥ ମନ୍ଦିରରେ ସେବା ପାଇଁ ଅନୁମତି ଓ ଅନେକ ସୁବିଧା ସୁଯୋଗ ଖଞ୍ଜି ଦେଇଥିଲେ । ସେ ଜଗନ୍ନାଥଙ୍କର ଚାମର ସେବା ନିମନ୍ତେ ମଧ୍ୟ ସୁଯୋଗ ପାଇଥିଲେ । ତାଙ୍କ ଦେଇ ବୋଲାଯାଇଥିବା ଶେଷ ଆଲବମ ଭଜନ ଥିଲା ୨୦୦୫ର "ଚଗଲା ମନ" ଓ ଶେଷ ସଙ୍ଗୀତ ପରିବେଷଣ ଥିଲ ୨୦୦୬ରେ । ତାହା ପରେ ସେ ପାର୍କିନ୍ସନ୍ ରୋଗରେ ପିଡ଼ୀତ ହୋଇ ଶଯ୍ୟାଶାୟୀ ହୋଇଥିଲେ, ଏବଂ ନଭେମ୍ବର ୨, ୨୦୧୦ରେ ଚିରଦିନ ପାଇଁ ନିରବୀ ଯାଇଥିଲା ସେହି ମହାନ କଣ୍ଠସ୍ବର । ଓଡ଼ିଶା ହରାଇଥିଲା ତାର ଭଜନ ସମ୍ରାଟଙ୍କୁ ।

bhikari-bal-7-scaled

ସିକନ୍ଦର ଆଲାମ

 ଓଡ଼ିଆ କଥାଚିତ୍ର ଜଗତର ଜଣେ ପ୍ରଚ୍ଛଦପଟ ଗାୟକ ଭାବେ ପରିଚିତ ଥିଲେ ସିକନ୍ଦର ଆଲାମ।  ସେ ପାରମ୍ପରିକ ଓଡ଼ିଶୀ ସଙ୍ଗୀତ ଯଥା ଜଗନ୍ନାଥ ଜଣାଣ, ଭଜନ, ଛାନ୍ଦ, ଚମ୍ପୂ, ଚଉପଦୀ ନିମନ୍ତେ ଓଡ଼ିଶାର ଘରେ ଘରେ ପରିଚିତ ।ତାଙ୍କୁ ଆଧୁନିକ ଓଡ଼ିଶାର ସାଲବେଗ ବୋଲି ମଧ୍ୟ ସମ୍ଭୋଧନ କରାଯାଇଥାଏ । ସିକନ୍ଦର ୧୯୩୯ ମସିହା ଜୁଲାଇ ମାସ ୨୭ ତାରିଖରେ, କଟକ ଜିଲ୍ଲା ବୟାଳିଶି ମୌଜା ବ୍ଳକର ରାଉତରାପୁରଠାରେ ଜନ୍ମଗ୍ରହଣ କରିଥିଲେ । ବାଲ୍ୟ ଜୀବନ ନିଜ ଗାଁରେ ହିଁ କଟିଥିଲା । ପରବର୍ତ୍ତୀ ସମୟରେ ସେ ନିଜ ପିତାମାତାଙ୍କ ସହ କଟକକୁ ଚାଲିଆସିଥିଲେ । କଟକର ଖ୍ରୀଷ୍ଟ କଲେଜିଏଟ ସ୍କୁଲରୁ ମାଟ୍ରିକ ଓ ଷ୍ଟିୱାର୍ଟ କଲେଜରୁ ବିଜ୍ଞାନରେ ଇଣ୍ଟରମିଡିଏଟ ପାସ କରିଥିଲେ । ତା'ପରେ ନିଜ ପିତା ଓ ବଡ଼ ଭାଇଙ୍କଠାରୁ ପ୍ରେରଣା ପାଇ ସଂଗୀତ ଶିକ୍ଷା କରିବା ପାଇଁ ସେ ପ୍ରସିଦ୍ଧ ଗନ୍ଧର୍ବ ମହାବିଦ୍ୟାଳୟରେ ଯୋଗଦାନ କରିଥିଲେ । ଏହି ଅନୁଷ୍ଠାନରୁ ହିଁ ସେ ଗୁରୁ ଗୋବିନ୍ଦ ଚନ୍ଦ୍ର ପାଲୁଶକର ଏବଂ ଉସ୍ତାଦ କୁନ୍ଦଳ ଆଦୀନାରାୟଣ ରାଓଙ୍କ ଅଧିନରେ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଂଗୀତରେ କୃତିତ୍ୱର ସହ ସଂଗୀତ ବିଶାରଦ ହାସଲ କରିଥିଲେ । ସିକନ୍ଦର ୧୯୫୭ ମସିହାରେ ମାତ୍ର ୧୮ ବର୍ଷ ବୟସରୁ ଆକାଶବାଣୀ କଟକରେ ଗୀତ ଗାଇବା ଆରମ୍ଭ କରିଥିଲେ। ଭଜନ, ଜଣାଣ, ଗଜଲ, ଆଧୁନିକ ଇତ୍ୟାଦି ସଂଗୀତର ସବୁ ଦିଗରେ ସେ ନିଜର ଦକ୍ଷତା ପ୍ରତିପାଦନ କରି ଖୁବ କମ ସମୟରେ ବହୁ ଲୋକପ୍ରିୟତା ଅର୍ଜନ କରିଥିଲେ । ୧୯୬୨ମସିହାରେ ନିର୍ମିତ ଚଳଚ୍ଚିତ୍ର ଲକ୍ଷ୍ମୀରେ ସଂଗୀତ ସୁଧାକର ବାଳକୃଷ୍ଣ ଦାସଙ୍କ ନିର୍ଦ୍ଦେଶନାରେ କଣ୍ଠଦାନ କରିସେ ପ୍ରଥମ ଥର ପାଇଁ ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ପ୍ରବେଶ କରିଥିଲେ। ଏହି ଚଳଚ୍ଚିତ୍ରରେ ସେ କଣ୍ଠଦାନ କରିଥିବା ଗୀତଟି , 'ଆରତ ସୁରେ ବାରେ', ବହୁ ଲୋକପ୍ରିୟତା ଅର୍ଜନ କରିଥିଲା। ପରବର୍ତ୍ତୀ ସମୟରେ ସେ ବହୁ ଓଡ଼ିଆ ଚଳଚ୍ଚିତ୍ର ପାଇଁ କଣ୍ଠଦାନ କରିଥିଲେ । ସେଥି ମଧ୍ୟରୁ ଅମଡ଼ା ବାଟ, ଅଦିନ ମେଘ,ମାଣିକ ଯୋଡ଼ି, ମମତା, ସୂର୍ଯ୍ୟମୁଖୀ, ପୂଜା ପ୍ରଭୃତି ଅନ୍ୟତମ । ଏତଦ ବ୍ୟତିତ, ସେ ବହୁ ଆଲବମ ପାଇଁ ମଧ୍ୟ କଣ୍ଠଦାନ କରିଥିଲେ । ନିଜ ପତ୍ନୀ ନାଇମା ଓ କନ୍ୟା ନାଜିଆ ଆଲାମଙ୍କ ସହ ମିଶି ସେ 'ଆଲ୍ଲା କେ ହୁଜୁର' ନାମରେ ଏକ ଆଲବମ ମଧ୍ୟ କରିଥିଲେ। ଦେଶ, ବିଦେଶରେ ସେ ବହୁବାର ନିମନ୍ତ୍ରିତ ହୋଇ ସଂଗୀତ ପରିବେଷଣ କରିଥିଲେ। ୮ ଅଗଷ୍ଟ ୨୦୧୦ରେ ଅନେକଙ୍କର ପ୍ରେରଣା ଥିବା ଏହି ମହାନ କଣ୍ଠଶିଳ୍ପୀଙ୍କର ଦେହାନ୍ତ ହୋଇଥିଲା । ସିକନ୍ଦର ଆଲାମ, ରାଜ୍ୟ କୃଷି ବିଭାଗରେ ଜଣେ ଅଧିକାରୀ ଭାବରେ କାମ କରିଥିଲେ । ଏତଦ ବ୍ୟତିତ, ସେ ଓଡ଼ିଶା ରାଜ୍ୟ 'ସଂଗୀତ ନାଟକ ଏକାଡେମୀ'ର ଉପସଭାପତି ଓ ସଂଗୀତ ସୁଧାକର ବାଳକୃଷ୍ଣ ଦାସ ଫାଉଣ୍ଡେସନର ସଭାପତି ପଦବୀ ମଧ୍ୟ ଅଳଙ୍କୃତ କରିଥିଲେ 

Tags: