ସୋନୁଙ୍କ ଭର୍ତ୍ସନା
ଅନେକ ଷ୍ଟାର ବର୍ତ୍ତମାନ ଯୁବପିଢ଼ିଙ୍କ ଉପରେ କଙ୍ଗନା ରଣାୱତଙ୍କ ମନ୍ତବ୍ୟକୁ କଡ଼ା ସମାଲୋଚନା କରିବାରେ ଲାଗିଛନ୍ତି । ତେବେ ଏହି ତାଲିକାରେ ସାମିଲ ହୋଇଛନ୍ତି ସୋନୁ ସୁଦ । ନିକଟରେ କଙ୍ଗନା ଏହି ପ୍ରଦର୍ଶନକାରୀ ଜେନ୍-ଜି ଯୁବକଯୁବତୀଙ୍କୁ 'ଜେନେରେସନ୍ ଗଟର' ବୋଲି କହିଥିଲେ, ଯାହାକୁ ସୋନୁ ଅତ୍ୟନ୍ତ ଲଜ୍ଜାଜନକ ବୋଲି ବର୍ଣ୍ଣନା କରିଛନ୍ତି । ଗଣମାଧ୍ୟମ ସହ କଥା ହୋଇ ସୋନୁ କହିଛନ୍ତି ଯେ ଏହି ଯୁବପିଢ଼ି ହିଁ କଳାକାରମାନଙ୍କୁ ଷ୍ଟାର ବନାନ୍ତି ଏବଂ ସେମାନଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାନ୍ତି । ତେଣୁ ଜନସାଧାରଣ ଯେଉଁମାନେ କି ଭଗବାନଙ୍କ ସଦୃଶ, ସେମାନଙ୍କ ବିଷୟରେ କହିବା ପୂର୍ବରୁ ପ୍ରତ୍ୟେକ ସେଲିବ୍ରିଟି ଭାବିଚିନ୍ତି କହିବା ଉଚିତ୍ । ଅନ୍ୟପଟେ ଏହି ସମ୍ପୂର୍ଣ୍ଣ ବିବାଦ ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ବିଜେପି ସାଂସଦ ଅଭିନେତ୍ରୀ କଙ୍ଗନା ରଣାୱତ ସୋସିଆଲ ମିଡିଆରେ ପୋଷ୍ଟ କରି ନିଜର ଆତ୍ମନିର୍ଭରଶୀଳତା ପ୍ରମାଣ ନକରି ପ୍ରତିବାଦ କରୁଥିବା ଯୁବକଯୁବତୀଙ୍କୁ 'ଜେନେରେସନ୍ ଗଟର' ବୋଲି ଆଖ୍ୟା ଦେଇଥିଲେ । କଙ୍ଗନା ଅଭିଯୋଗ କରିଥିଲେ ଯେ ଏହି ଯୁବପିଢ଼ି ପାଠପଢ଼ାରେ ଭଲ ନୁହଁନ୍ତି, ନିଜ ପରିବାର ଓ ବାପାମାଆଙ୍କ ଟଙ୍କା ଉପରେ ନିର୍ଭର କରନ୍ତି । ସେହିଭଳି ନିଶାଦ୍ରବ୍ୟକୁ ପ୍ରଶ୍ରୟ ଦିଅନ୍ତି । ଏହାସହ ସେ ଆହୁରି ମଧ୍ୟ ଲେଖିଥିଲେ ଯେ ସାର୍ବଜନୀନ ସମ୍ପତ୍ତି ନଷ୍ଟ କରୁଥିବା ଏବଂ ଦେଶ ପ୍ରତି ଅପଶବ୍ଦ ବ୍ୟବହାର କରୁଥିବା ଏହି ପ୍ରଦର୍ଶନକାରୀମାନଙ୍କୁ ଆଜି ସାଧାରଣ ଜନତା ରାସ୍ତାରେ ଉଚିତ୍ ଜବାବ ଦେଉଛନ୍ତି ।




