ବିବାଦ କୁଇନ
ମାନହାନି ମାମଲାରେ ଫସିଥିବା ବଲିଉଡ ଅଭିନେତ୍ରୀ ନୋରା ଫତେହୀଙ୍କ ବିରୋଧରେ ‘ଡ୍ୟୁନ୍ସ ଏଭିଏସନ୍’ ନାମକ ଏକ ବିମାନ ସଂସ୍ଥା ଗାନ୍ଧୀନଗର କୋର୍ଟରେ ୩ କୋଟି ଟଙ୍କାର ମାମଲା ରୁଜୁ ହୋଇଥିବା ଜଣାପଡିଛି । ଏହାସହ ସାଧାରଣରେ ସ୍ପଷ୍ଟୀକରଣ ଓ ସୋସିଆଲ ମିଡିଆରୁ ସମ୍ପୃକ୍ତ କଣ୍ଟେଣ୍ଟ ହଟାଇବାକୁ ଏଥିରେ ଦାବି କରାଯାଇଛି । ଅଭିଯୋଗ ଅନୁଯାୟୀ, ଗତବର୍ଷ ଡିସେମ୍ବରରେ ମୁମ୍ବାଇରୁ ଜୟପୁର ଯାତ୍ରା ସମୟରେ ନୋରା ନିଜ ଇନଷ୍ଟାଗ୍ରାମରେ ସେସନା ସାଇଟେସନ୍ ସିଜେ ୨ ବିମାନର ଭିଡିଓ ସେୟାର କରି ତାହାକୁ 'ଛୋଟ', ଖେଳନା ଓ 'ଲେଗୋ ଏୟାରପ୍ଲେନ୍' ବୋଲି କହି ପ୍ରତିଷ୍ଠା ହାନି କରିଥିଲେ । ୪.୬ କୋଟିରୁ ଅଧିକ ଫଲୋଅର୍ସ ଥିବା ନୋରାଙ୍କ ଏହି ମନ୍ତବ୍ୟ ଯୋଗୁଁ ବିମାନ ବୁକିଂରେ ୧୫ - ୨୦% ହ୍ରାସ ଘଟିବା ସହ କ୍ୟାନ୍ସଲେସନ୍ ବଢ଼ି ବ୍ୟବସାୟିକ କ୍ଷତି ହୋଇଥିବା କମ୍ପାନୀ ଦାବି କରିଛି । ଯଦିଓ ଉକ୍ତ ବିମାନଟି ସମ୍ପୂର୍ଣ୍ଣ ସଠିକ୍ ଆକାରର, ଡିଜିସିଏ ସାର୍ଟିଫାଇଡ୍ ଏବଂ ବୈଧ ଏନଏସଓପି ଅଧୀନରେ ଚାଲୁଥିଲା । ଏହି ମାମଲାର ଶୁଣାଣି ସିନିୟର ସିଭିଲ ଜଜ୍ ଆର. ଅଗ୍ରୱାଲଙ୍କ ଅଦାଲତରେ ସେପ୍ଟେମ୍ବର ୨୫ରେ ହେବାକୁ ଥିବାବେଳେ ଏପର୍ଯ୍ୟନ୍ତ ନୋରାଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ । ସୂଚନାଯୋଗ୍ୟ ଯେ, ନୋରା ପୂର୍ବରୁ 'ସରକେ ଚୁନର' ଗୀତ, ସୁକେଶ ଚନ୍ଦ୍ରଶେଖରଙ୍କ ୨୦୦ କୋଟି ଟଙ୍କା ମନି ଲଣ୍ଡରିଂ ମାମଲା , ଜାକଲିନ୍ ଫର୍ଣ୍ଣାଣ୍ଡିଜ୍ଙ୍କ ବିରୋଧରେ ମାନହାନି ମାମଲା, କାତାର ଫିଫା ବିଶ୍ୱକପ୍ରେ ଓଲଟା ଜାତୀୟ ପତାକା ଧରିବା ବିବାଦ ଏବଂ ନୃତ୍ୟଶିଳ୍ପୀ ଟେରେନ୍ସ ଲୁଇସ୍ଙ୍କ ସହ ଭିଡିଓ ଟେମ୍ପରିଂ ବିବାଦ ପାଇଁ ଚର୍ଚ୍ଚାରେ ରହିସାରିଛନ୍ତି ।




