ନେବେନି କାମରୁ ବ୍ରେକ
ବଲିଉଡର ଲୋକପ୍ରିୟ ଦମ୍ପତି ଦୀପିକା ପାଦୁକୋନ ଓ ରଣବୀର ସିଂହ ଦ୍ୱିତୀୟ ଥର ପାଇଁ ପିତାମାତା ହେବାକୁ ଯାଉଥିବା ବେଳେ ଏହି ଖୁସିର ଖବରକୁ ନିଜ ଝିଅ 'ଦୁଆ'ଙ୍କ ଏକ ସୁନ୍ଦର ଫଟୋ ମାଧ୍ୟମରେ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ତେବେ ଦୀପିକା ମାଆ ହେବା ଜାଣିବା ପରେ ଫ୍ୟାନମାନେ ଭାବିଥିଲେ ଅଭିନେତ୍ରୀ କାମରୁ ବ୍ରେକ ନେବେ ହେଲେ ଏଭଳି କିଛି ହେବନି । ଗର୍ଭାବସ୍ଥାରେ ମଧ୍ୟ ଦୀପିକା କାମରୁ ବ୍ରେକ୍ ନନେଇ ନିଜର ଆଗାମୀ ଫିଲ୍ମ 'ରାକା' ପାଇଁ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ସହ ଦମଦାର ଆକ୍ସନ ସିନ୍ ସୁଟିଂ ଜାରି ରଖିବେ ବୋଲି ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ, ୨୦୧୮ରେ ବିବାହ କରିଥିବା ଏହି ଦମ୍ପତି ୨୦୨୪ ସେପ୍ଟେମ୍ବରରେ ନିଜର ପ୍ରଥମ ସନ୍ତାନ ଦୁଆଙ୍କୁ ସ୍ୱାଗତ କରିଥିଲେ ଏବଂ ଏବେ ଦୁଆ ପ୍ରାୟ ଦେଢ଼ ବର୍ଷର ହୋଇଥିବା ବେଳେ ଖୁବଶୀଘ୍ର ବଡ଼ ଭଉଣୀ ହେବାକୁ ଯାଉଛନ୍ତି । ଏହି ଖବର ପ୍ରଚାରିତ ହେବା ପରେ ପ୍ରଶଂସକ ଓ ସେଲେବ୍ରିଟିମାନେ ଦୀପିକାଙ୍କୁ ଶୁଭେଚ୍ଛା ଜଣାଉଥିବା ଦେଖିବାକୁ ମିଳୁଛି । ଆଗାମୀ ଦିନରେ ଦୀପିକାଙ୍କୁ ଶାହରୁଖ ଖାନଙ୍କ ଅଭିନୀତ ଫିଲ୍ମ 'କିଙ୍ଗ'ରେ ମଧ୍ୟ ଦେଖିବାକୁ ମିଳିବ, ଯାହା ଡିସେମ୍ବର ୨୦୨୬ରେ ମୁକ୍ତିଲାଭ କରିବ ।



