ଓସ୍କାରରେ ଆଙ୍ଗ ଚଳଚ୍ଚିତ୍ର

ଓସ୍କାରରେ ଆଙ୍ଗ ଚଳଚ୍ଚିତ୍ର
Ipsita Picture
By: Ipsita
Published On

 

ନାଗାଲାଣ୍ଡର ଚଳଚ୍ଚିତ୍ର ନିର୍ମାତା ଥେଜା ରିଓଙ୍କ ନିର୍ଦ୍ଦେଶିତ 'ଆଙ୍ଗ୍' ୨୦୨୬ ଟୋରାଣ୍ଟୋ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ପ୍ଲାଟଫର୍ମ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରିଛି । ଏହାସହ ଫିଲ୍ମଟି ୨୦,୦୦୦ କାନାଡିଆନ୍ ଡଲାର ପୁରସ୍କାର ଜିତିବା ସହ ୨୦୨୭ ଓସ୍କାରର ଆନ୍ତର୍ଜାତୀୟ ଫିଚର ଫିଲ୍ମ ବର୍ଗକୁ ସିଧାସଳଖ ପ୍ରବେଶ ପ୍ରାପ୍ତ କରିଛି । ଯାହା ମରାଠୀ ଫିଲ୍ମ 'ଗୋନ୍ଧଳ' ପରେ ଚଳିତ ବର୍ଷ ଓସ୍କାର ଦୌଡ଼ରେ ସାମିଲ ହୋଇଥିବା ଦ୍ୱିତୀୟ ଭାରତୀୟ ଫିଲ୍ମ ପାଲଟିଛି । ୧୯୬୦ ଦଶକର ନାଗାଲାଣ୍ଡ ପୃଷ୍ଠଭୂମିରେ ଆଧାରିତ ଏହି ଫିଲ୍ମରେ ଜଣେ ଆମେରିକୀୟ ମିଶନାରୀଙ୍କ ଆଗମନ ଓ ଧର୍ମାନ୍ତରୀକରଣ ପ୍ରକ୍ରିୟା ମଧ୍ୟରେ ଗ୍ରାମର ମୁଖିଆ ଅଙ୍ଗବା ନିଜର ଆଦିବାସୀ ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇବାକୁ ଚେଷ୍ଟା କରୁଥିବାବେଳେ ତାଙ୍କ ପୁଅ ନୂତନ ଜୀବନଶୈଳୀ ପ୍ରତି ଆକୃଷ୍ଟ ହେବାର କାହାଣୀ ପ୍ରଦର୍ଶିତ ହୋଇଛି । ଥେଜା ରିଓ ଓ ନାନ୍ସୀ ନିସା ବେସୋଙ୍କ ଦ୍ୱାରା 'ୱିଣ୍ଟର ହାଇମ୍ସ ଫିଲ୍ମସ' ବ୍ୟାନରରେ ନିର୍ମିତ ତଥା 'ଜଙ୍ଗଲ ବୁକ୍ ଷ୍ଟୁଡିଓ' ଦ୍ୱାରା ବିଶ୍ୱବ୍ୟାପୀ ବିତରଣ କରାଯାଉଥିବା ଏହି ଚଳଚ୍ଚିତ୍ରରେ ବାଫ୍ଟା-ବିଜେତା ବ୍ରିଟିଶ ଅଭିନେତା ଡଗଲାସ୍ ହେନସଲଙ୍କ ସହ ନାଗାଲାଣ୍ଡର ସ୍ଥାନୀୟ ଓ ଆଦିବାସୀ କଳାକାରମାନେ ଅଭିନୟ କରିଛନ୍ତି । ଅନ୍ୟପଟେ, ସନ୍ତୋଷ ଦାବଖରଙ୍କ ନିର୍ଦ୍ଦେଶିତ ତଥା ମରାଠୀ ଲୋକପରମ୍ପରା 'ଗୋନ୍ଧଳ' ଉପରେ ଆଧାରିତ ଦୁଇ ଘଣ୍ଟାର ମନୋବୈଜ୍ଞାନିକ ଥ୍ରୀଲର ଫିଲ୍ମ 'ଗୋନ୍ଧଳ'କୁ ୯୯ତମ ଏକାଡେମୀ ଆୱାର୍ଡ଼ସ (ଓସ୍କାର ୨୦୨୭) ପାଇଁ ଭାରତର ଆଫିସିଆଲ୍ ଏଣ୍ଟ୍ରି ଭାବେ ମନୋନୀତ କରାଯାଇଛି । ଯାହା ନବବିବାହିତ ଆନନ୍ଦ ଓ ସୁମନଙ୍କ ଘରେ ଅନୁଷ୍ଠିତ ଗୋନ୍ଧଳ ପୂଜା ସମୟରେ ଉପୁଜିଥିବା ବ୍ୟକ୍ତିଗତ ଓ ରାଜନୈତିକ ସଂଘର୍ଷକୁ ଦର୍ଶାଇଥାଏ ।

Tags: