ଓଟିଟିର ପ୍ରଭାବ

୨୦୧୯ ଶେଷ ଓ ୨୦୨୦ ଆରମ୍ଭରେ ବିଶ୍ୱ ଦେଖିଥିଲା ଏକ ଅଜଣା ଭୂତାଣୁର ଆତଙ୍କ । ଯାହାର ପରେ ନାମ କରଣ କରାଯାଇଥିଲା କୋଭିଡ ୧୯ ବା କରୋନା ମହାମାରୀ । ଚୀନରୁ ଆରମ୍ଭ ହୋଇଥିବା ଏହି ଆତଙ୍କ ସାରା ବିଶ୍ୱକୁ ଗ୍ରାସ କରିଥିଲା । ଏହା ଯେପରି ଏକ ଅଘୋଷିତ ଯୁଦ୍ଧ ଭାବେ ବିଶ୍ୱବାସୀଙ୍କ ଜୀବନକୁ ପ୍ରଭାବିତ କରିଥିଲା । ଏହାର ପ୍ରଭାବରେ ବିଭିନ୍ନ ପ୍ରକାର ପରିବର୍ତ୍ତନ ଦେଖିବାକୁ ମିଳିଲା । ଏହାକୁ ରୋକିବାକୁ ନା […]

ଓଟିଟିର ପ୍ରଭାବ
Samaya Live Picture
Published On

୨୦୧୯ ଶେଷ ଓ ୨୦୨୦ ଆରମ୍ଭରେ ବିଶ୍ୱ ଦେଖିଥିଲା ଏକ ଅଜଣା ଭୂତାଣୁର ଆତଙ୍କ । ଯାହାର ପରେ ନାମ କରଣ କରାଯାଇଥିଲା କୋଭିଡ ୧୯ ବା କରୋନା ମହାମାରୀ । ଚୀନରୁ ଆରମ୍ଭ ହୋଇଥିବା ଏହି ଆତଙ୍କ ସାରା ବିଶ୍ୱକୁ ଗ୍ରାସ କରିଥିଲା । ଏହା ଯେପରି ଏକ ଅଘୋଷିତ ଯୁଦ୍ଧ ଭାବେ ବିଶ୍ୱବାସୀଙ୍କ ଜୀବନକୁ ପ୍ରଭାବିତ କରିଥିଲା । ଏହାର ପ୍ରଭାବରେ ବିଭିନ୍ନ ପ୍ରକାର ପରିବର୍ତ୍ତନ ଦେଖିବାକୁ ମିଳିଲା । ଏହାକୁ ରୋକିବାକୁ ନା ଥିଲା ଔଷଧ ନା ଟିକା । ଏହାକୁ ରୋକିବାକୁ ଗୁରୁ ମନ୍ତ୍ରଭାବେ ଉଭା ହୋଇଥିଲା ସାମାଜିକ ଦୂରତା । ଯାହାକୁ ନେଇ ସମଗ୍ର ବିଶ୍ୱ ସଚେତନ ହୋଇ କାର୍ଯ୍ୟ କରିବା ଆରମ୍ଭ କରିଥିଲା । ସାମାଜିକ ଦୂରତାକୁ ରକ୍ଷା କରିବା ପାଇଁ ବିଭିନ୍ନ ଦେଶରେ ଆରମ୍ଭ ହୋଇଥିଲା ଲକ୍‌ଡାଉନ୍‌ ସଟ୍‌ଡାଉନ୍‌ର ବ୍ୟବସ୍ଥା । ଯେଉଁଥିପାଇଁ ପ୍ରସ୍ତୁତ ହୋଇଥିଲା ବିଭିନ୍ନ ନିୟମ ଯାହା ଅଧୀନରେ ବିଭିନ୍ନ ସଂସ୍ଥା ଯେପରି ସ୍କୁଲ,କଲେଜ, ଅଫିସ,ମଲ୍‌, ସିନେମା ହଲ, ଦୋକାନ ବଜାର ବନ୍ଦ ହୋଇଥିଲା । ଯାହା ସମଗ୍ର ବିଶ୍ୱବାସୀଙ୍କ ଜୀବନଶୈଳୀକୁ ପରିବର୍ତ୍ତନ କରିଦେଇଥିଲା । ସବୁ ପ୍ରକାରର ସାମାଜିକ କାର୍ଯ୍ୟକ୍ରମକୁ ବାରଣ କରାଯାଇଥିଲା । କିଛି ଦିନର ସମ୍ପୂର୍ଣ୍ଣ ଲକ୍‌ ଡାଉନ ପରେ କଟକଣା ମଧ୍ୟରେ କିଛି ବାରଣ ଉଠିଥିଲା । ତେବେ ଏହି ସମ୍ପୂର୍ଣ୍ଣ ଲକ୍‌ଡାଉନର ପ୍ରଭାବ ମନୋରଞ୍ଜନ ଇଣ୍ଡଷ୍ଟ୍ରୀ ଉପରେ ସବୁଠାରୁ ଅଧିକ ପଡିଥିଲା । ସିନେମା ହଲ୍‌ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ ହୋଇଯାଇଥିଲା । ଯାହାର ପ୍ରଭାବରେ ଅନେକ ଅଭିନେତାଙ୍କର ବୃତ୍ତିଗତ ଜୀବନରେ ସମସ୍ୟା ସୃଷ୍ଟି ହୋଇଥିଲା । ସିନେମା ହଲକୁ ବନ୍ଦ କରାଯିବା ଫଳରେ ଅନେକ ଫିଲ୍ମ ରିଲିଜ୍‌ ଅପେକ୍ଷାରେ ରହିଲେ, ଯାହା ଏହି ବ୍ୟବସାୟ ଉପରେ ଗୁରୁତର ପ୍ରଭାବ ପକାଇଥିଲା । ତେବେ ଏହାରି ଭିତରେ ଏକ ନୂଆ ପ୍ଲାଟଫର୍ମକୁ ମାଧ୍ୟମ କରାଯାଇଥିଲା ଫିଲ୍ମ ରିଲିଜ୍‌ ପାଇଁ ଯାହାର ନାଁ ହେଲା ଓଟିଟି ବା ଓଭର ଦି ଟପ୍‌ ପ୍ଲାଟଫର୍ମ । ଏହା ଗ୍ଲୋବାଲ ଏଣ୍ଟରଟେନମେଣ୍ଟ ଇଣ୍ଡଷ୍ଟ୍ରୀକୁ ଏକ ନୂଆ ପରିଚୟ ଦେଇଥିଲା । ପାରମ୍ପରିକ ସିନେମା ହଲ୍‌ର ବିକଳ୍ପ ଭାବେ ଆରମ୍ଭ ହୋଇଥିବା ଓଟିଟି ବର୍ତ୍ତମାନ ଏକ ଦୃଢ ଶକ୍ତି ଭାବେ ଉଭା ହୋଇଛି । ଏହା ବର୍ତ୍ତମାନ ଯେପରି ଫିଲ୍ମ ଇଣ୍ଡଷ୍ଟ୍ରୀର ରୁପରେଖକୁ ବଦଳାଇ ଦେଇଛି । ଆସନ୍ତୁ ଜାଣିବା କିଭଳି ଓଟିଟି ଆମ ଫିଲ୍ମ ଇଣ୍ଡଷ୍ଟ୍ରୀକୁ ଏକ ନୂଆ ରୂପରେ ସଜାଇଛି ।
ଦର୍ଶକଙ୍କ ଅଭ୍ୟାସରେ ପରିବର୍ତ୍ତନ
ଆଗରୁ ଅନେକ ଦର୍ଶକ ଏଭଳି ଥିଲେ ଯେଉଁମାନେ ନିଜ ପସନ୍ଦର କଳାକାରଙ୍କ ଫିଲ୍ମ ଆସିଲେ ଫାଷ୍ଟ ଡେ ଫାଷ୍ଟ ଶୋ ଦେଖିବାକୁ ଲାଇନ ଲଗଉଥିଲେ । ଅନେକ ଚେଷ୍ଟା କରି ଟିକେଟ କାଟି ସେମାନେ ଫିଲ୍ମ ଦେଖିବାକୁ ଯାଉଥିଲେ । ହେଲେ ଓଟିଟି ଆସିବା ପରେ ସେମାନଙ୍କର ଏହି ଅଭ୍ୟାସରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ସମସ୍ତେ ନ ହେଲେ ମଧ୍ୟ କିଛି ଦର୍ଶକ ଯେଉଁମାନେ ଆଗରୁ ଫାଷ୍ଟ ଡେ ଫାଷ୍ଟ ଶୋ ପାଇଁ ଆଗ୍ରହୀ ଥିଲେ ସେମାନେ ବର୍ତ୍ତମାନ ଆଉ ହଲକୁ ଯାଉ ନାହାନ୍ତି । ବିଭିନ୍ନ ଓଟିଟିର ସବ୍‌ସ୍କ୍ରିପସନ ନେଇ ଘରେ ବସି ସେମାନେ ଏହି ଫିଲ୍ମକୁ ଦେଖିବାକୁ ପସନ୍ଦ କରୁଛନ୍ତି । ସେହିଭଳି ସେମାନଙ୍କୁ ନିଜ ସମୟ ହିସାବରେ ସୁବିଧାରେ ଫିଲ୍ମ ଦେଖିବାର ସୁବିଧା ମିଳୁଛି, ଯାହା ଲୋକଙ୍କୁ ହଲ ଅପେକ୍ଷା ଓଟିଟି ମୁହାଁ ବେଶି କରାଉଛି । ଲୋକମାନଙ୍କୁ ଯେ କୌଣସି ସମୟ ଓ ଯେ କୌଣସି ସ୍ଥାନରେ ଓଟିଟିରେ କଣ୍ଟେଣ୍ଟ ଦେଖିବାର ସୁଯୋଗ ମିଳୁଛି, ଯାହା ଲୋକଙ୍କର ଏହି ପ୍ଲାଟଫର୍ମ ପ୍ରତି ବେଶି ଆଗ୍ରହ ବଢାଉଛି । ବିଶେଷଭାବେ ଯୁବପିଢି ବା ଜେନ୍‌ ଜେଡ୍‌ ବର୍ତ୍ତମାନ ଓଟିଟି ପ୍ରତି ବିଶେଷ ଆଗ୍ରହ ଦେଖାଉଛନ୍ତି । ସେମାନେ ପାରମ୍ପରିକ ସିନେମା ପ୍ରସାରଣର ମାଧ୍ୟମ ଫିଲ୍ମହଲ୍‌କୁ ଛାଡି ଡିଜିଟାଲ ମାଧ୍ୟମ ବା ଓଟିଟିକୁ ବେଶି ଭଲ ପାଇବା ଦେଉଛନ୍ତି ।
ବିଷୟ ବସ୍ତୁର ସ୍ୱାଧୀନତା ବଢାଉଛି
ଓଟିଟିର ପ୍ରଭାବ କେବଳ ଯେ ଦର୍ଶକଙ୍କ ଉପରେ ରହିଛି ତାହା ନୁହେଁ , ଏହାର ପ୍ରଭାବ ଏଥିରେ ପ୍ରସାରିତ ହେଉଥିବା ବିଷୟବସ୍ତୁ ଉପରେ ମଧ୍ୟ ରହୁଛି । ଏହା ବିଷୟ ବସ୍ତୁ ଗୁଡିକର ସ୍ୱାଧୀନତାକୁ ବଢାଉଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଏହି ପ୍ଲାଟଫର୍ମ ଯେଉଁମାନେ ସ୍ୱାଧୀନ ଭାବେ କିଛି ଫିଲ୍ମ ନିର୍ମାଣ କରିବାକୁ ଚାହୁଁଥିଲେ ସେମାନଙ୍କ ପାଇଁ ଏକ ଭଲ ବିକଳ୍ପ ଭାବେ ଉଭା ହୋଇଥିଲା । ସେମାନେ ସହଜରେ ନିଜର କଣ୍ଟେଣ୍ଟକୁ ଦର୍ଶକଙ୍କ ପାଖରେ ପହଞ୍ଚାଇବାରେ ସକ୍ଷମ ହୋଇଥିଲେ । ସେହିଭଳି ଏହି ପ୍ଲାଟଫର୍ମ ଜରିଆରେ ସେମାନେ ସମଗ୍ର ବିଶ୍ୱବାସୀଙ୍କ ପାଖରେ ପହଞ୍ଚି ପାରିଲେ । କମ ଖର୍ଚ୍ଚରେ ମଧ୍ୟ ସେମାନେ ନିଜ ଫିଲ୍ମ ହେଉ କିମ୍ବା ସିରିଜ ଲଞ୍ଚ କରିପାରିଲେ ।
ଗୋଟିଏ ସ୍ଥାନରେ ଅଧିକ ବିଷୟ
ଦର୍ଶକଙ୍କର ପ୍ରଥମ ପସନ୍ଦ ବର୍ତ୍ତମାନ ଓଟିଟି ପାଲଟିଛି । ଏହା ପଛରେ ଏକ ବଡ କାରଣ ରହିଛି ଯାହା ହେଲା ବିଷୟବସ୍ତୁ । ଓଟିଟିରେ ଏକାଥରେ ବିଭିନ୍ନ ଭାଷାରେ ଭଲଭଲ ବିଷୟବସ୍ତୁକୁ ସ୍ଥାନ ଦିଆଯାଉଛି । ଯାହା ଦର୍ଶକଙ୍କୁ ଗୋଟିଏ ସ୍ଥାନରେ ବିଭିନ୍ନ ବିଷୟବସ୍ତୁ ଦେଖିବାକୁ ସୁଯୋଗ ଦେଉଛି । ଏଭଳି ବ୍ୟବସ୍ଥା ସେମାନଙ୍କୁ ବେଶ୍‌ ସୁବିଧାଜନକ ହେଉଥିବାରୁ ସେମାନେ ଏହାକୁ ଦେଖିବାକୁ ପସନ୍ଦ କରୁଛନ୍ତି । ନିଜ ପସନ୍ଦ ଅନୁଯାୟୀ ଭାଷା ଚୟନ କରି ସେମାନେ ଦେଶବିଦେଶର ବିଷୟ ବସ୍ତୁକୁ ଦେଖିପାରୁଛନ୍ତି । ଯାହାଫଳରେ ଲୋକମାନେ ଅନ୍ୟଦେଶର ଭଲ ପପୁଲାର କଣ୍ଟେଣ୍ଟ ପ୍ରତି ଆଗ୍ରହ ଦେଖାଉଥିବା ଜଣା ପଡିଛି । ଏହାଦ୍ୱାରା ସାଂସ୍କୃତିକ ପ୍ରଚାର ପ୍ରସାର ମଧ୍ୟ ବଢିବାରେ ଲାଗିଛି । ଅନ୍ୟ ଦେଶର ସଂସ୍କୃତି ବିଷୟରେ ଅନେକ ସିରିଜ୍‌ ସାହାଯ୍ୟରେ ଜାଣି ହେଉଛି । ସେହିଭଳି ଆମ ସଂସ୍କୃତି ବିଷୟରେ ମଧ୍ୟ ସାରା ବିଶ୍ୱରେ ପ୍ରଚାର ପ୍ରସାର କରି ହେଉଛି ।
ବ୍ୟବସାୟିକ ପରିବର୍ତ୍ତନ
ପାରମ୍ପରିକ ଫିଲ୍ମରେ ବ୍ୟବସାୟର ଏକ ପ୍ରକ୍ରିୟା ରହିଥାଏ । ଏଥିରେ ବକ୍ସ ଅଫିସ୍‌ ରେଭିନୁ୍ୟ ମଡେଲ ରହିଥାଏ, ଯାହା ଟିକେଟ ବିକ୍ରି, ବିଜ୍ଞାପନ, ବଣ୍ଟନ ଅଧିକାର ଆଦି ଉପରେ ନିର୍ଭର କରିଥାଏ । ଏହି ସବୁ ପ୍ରକ୍ରିୟାରେ ପାରମ୍ପରିକ ଫିଲ୍ମ ଗୁଡିକ ନିଜର ବ୍ୟବସାୟ କରିଥାଆନ୍ତି । ହେଲେ ଓଟିଟି ପ୍ଲାଟଫର୍ମ ସବ୍‌ସ୍କ୍ରିପସନ୍‌, ବିଜ୍ଞାପନ ଭଳି ମଡେଲ୍‌ରେ ବ୍ୟବସାୟ କରିଥାଏ । ତେଣୁ ବର୍ତ୍ତମାନ ପ୍ରଯୋଜକଙ୍କର ପସନ୍ଦ ଓଟିଟି ପାଲଟିଛି । ଏହା କରୋନା ସମୟରେ ଖୁବ ପପୁଲାର ହେବା ସହିତ ପ୍ରଯୋଜକଙ୍କୁ ଖୁବ ଅଧିକ ବ୍ୟବସାୟ ମଧ୍ୟ କରାଇଥିଲା । କରୋନା ସରିବା ପରେ ମଧ୍ୟ ପ୍ରଯୋଜକ ଓଟିଟିରେ ନିଜର କଣ୍ଟେଣ୍ଟ ରିଲିଜ୍‌ କରିବା ପାଇଁ ମନ ବଳାଉଛନ୍ତି ।
ପାରମ୍ପରିକ ଫିଲ୍ମ ପାଇଁ ଡର
ଓଟିଟିର ବହୁଳ ବ୍ୟବହାର ପାରମ୍ପରିକ ଫିଲ୍ମ ରିଲିଜ୍‌ ଉପରେ ପ୍ରଭାବ ପକାଇଛି । ଲୋକ ହଲ୍‌ ଅପେକ୍ଷା ଓଟିଟିକୁ ଚୟନ କରୁଥିବାରୁ ପ୍ରଯୋଜକଙ୍କର ଚିନ୍ତା ବଢିଛି । କିଛି ସ୍ଥାନରେ ଫିଲ୍ମ ହଲର ଭବିଷ୍ୟତ ନେଇ ଆଶଙ୍କା ପ୍ରକାଶ ପାଇଛି । ଚର୍ଚ୍ଚା ଅନୁସାରେ ଯଦି ଏଭଳି ଓଟିଟି ବ୍ୟବହାର ବଢେ ତେବେ ହଲ୍‌ର ସ୍ଥାନ ଓଟିଟି ନେଇଯିବ ବୋଲି ସମସ୍ତେ ଆଶଙ୍କା ପ୍ରକାଶ କରିଛନ୍ତି ।

Tags: