ହେଟ ସ୍ପିଚ ପ୍ରସାର କଲେ ବନ୍ଧା ହେବେ; କମିଶନରେଟ ପୋଲିସ

ଭୁବନେଶ୍ୱର : କଟକ ଗୋଷ୍ଠୀ ସଂଘର୍ଷ ପରେ ସୋସିଆଲ୍ ମିଡିଆ ଉପରେ କଡା ନଜର ରଖିଛି କମିଶନରେଟ୍ ପୋଲିସ । ସାମ୍ପ୍ରଦାୟିକ ସଦ୍‌ଭାବ ବିରୋଧ (ହେଟ୍ ସ୍ପିଚ୍) ପୋଷ୍ଟ କରୁଥିଲେ ବନ୍ଧା ହେବେ । ଏଭଳି ପୋଷ୍ଟ କରୁଥିବା ଆଉ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ପୋଲିସ । ଜଗତସିଂହପୁରର ଅର୍ସଦ ଅଲ୍ଲୀଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ । ପୋଲିସ କମିଶନରଙ୍କ ଅନୁସାରେ, “ଅର୍ସଦ ଅଲ୍ଲୀ ଇନଷ୍ଟାଗ୍ରାମରେ ଆପତ୍ତିଜନକ […]

ହେଟ ସ୍ପିଚ ପ୍ରସାର କଲେ ବନ୍ଧା ହେବେ; କମିଶନରେଟ ପୋଲିସ
Samaya Live Picture
Published On

ଭୁବନେଶ୍ୱର : କଟକ ଗୋଷ୍ଠୀ ସଂଘର୍ଷ ପରେ ସୋସିଆଲ୍ ମିଡିଆ ଉପରେ କଡା ନଜର ରଖିଛି କମିଶନରେଟ୍ ପୋଲିସ । ସାମ୍ପ୍ରଦାୟିକ ସଦ୍‌ଭାବ ବିରୋଧ (ହେଟ୍ ସ୍ପିଚ୍) ପୋଷ୍ଟ କରୁଥିଲେ ବନ୍ଧା ହେବେ । ଏଭଳି ପୋଷ୍ଟ କରୁଥିବା ଆଉ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ପୋଲିସ । ଜଗତସିଂହପୁରର ଅର୍ସଦ ଅଲ୍ଲୀଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ ।

ପୋଲିସ କମିଶନରଙ୍କ ଅନୁସାରେ, “ଅର୍ସଦ ଅଲ୍ଲୀ ଇନଷ୍ଟାଗ୍ରାମରେ ଆପତ୍ତିଜନକ ପୋଷ୍ଟ କରିଥିଲେ । ଏନେଇ ୯ ତାରିଖରେ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ କରିବା ସହ ଅର୍ସଦକୁ ଗିରଫ କରିଛି । ଯେ କେହିବି କୌଣସି ସମୁଦାୟ ବିରୋଧରେ ଏଭଳି ଘୃଣା ପୂର୍ଣ୍ଣ ମନ୍ତବ୍ୟ ରଖିବ ତା’ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।”ବୋଲି କହିଛନ୍ତି କମିଶନର ।

ଆପତ୍ତିଜନକ ପୋଷ୍ଟ ପରେ ଅର୍ସଦ ଅଲ୍ଲୀ ଅନ୍ୟ ପୋଷ୍ଟ ମାଧ୍ୟମରେ କ୍ଷମା ପ୍ରାର୍ଥନା କରିଥିଲା । କିନ୍ତୁ କ୍ଷମା ମାଗିବା ପୂର୍ବରୁ ଆପତ୍ତିଜନକ ପୋଷ୍ଟ ଚାରିଆଡ଼େ ବ୍ୟାପି ଯାଇଥିଲା । ଯାହାକୁ ନେଇ ତାଙ୍କ ବିରୋଧରେ ଆଇଟି ଆକ୍ଟ ସହ ଧାର୍ମିକ ବିଦ୍ଵେଷ, ଜାତୀୟ ସୁରକ୍ଷାକୁ ବାଧା ପହଞ୍ଚାଇବା ଆଦି ଧାରାରେ ମାମଲା ହୋଇଛି । ଅନେକ ସମୟରେ କିଛି ଲୋକ ଘୃଣାତ୍ମକ ପୋଷ୍ଟ ସହ ରାଷ୍ଟ୍ର, ସମାଜ ବିରୋଧ ପୋଷ୍ଟ କରିଥାନ୍ତି । ଏହା ଉପରେ ମଧ୍ୟ ପୋଲିସ ନଜର ରଖିଥିବା କହିଛନ୍ତି ପୋଲିସ କମିଶନର । ଏଭଳି ହେଟ୍ ସ୍ପିଚ୍ ଯିଏ ପୋଷ୍ଟ କରିଛି ସିଏ ଦୋଷୀ, ଯିଏ ଆଗକୁ ସେୟାର୍ କରିବ, ଟ୍ୟାଗ୍ କଲେ ବି ତାକୁ ଦୋଷୀ ବୋଲି ଧରାଯିବ ବୋଲି ପୋଲିସ କମିଶନର କହିଛନ୍ତି ।

Tags: