ଆଈ ମା କାହାଣୀ, ହାତୀ – ପିମ୍ପୁଡି
ପିଲାବେଳର ଅନେକ କାହାଣୀ ଆଜି ବି ଆମ ମନରେ ଜୀବନ୍ତ ହୋଇ ରହିଛି । ଏହି କାହାଣୀରୁ ଶିଖିଥିବା ନୀତିଶିକ୍ଷା ଆଜି ବି ଜୀବନରେ କାମରେ ଆସୁଛି । ଏହାକୁ ପାଥେୟ କରି ଜୀବନରେ ଅନେକ ଜଟିଳ ସମସ୍ୟାରୁ ମଣିଷ ମୁକୁଳି ପାରୁଛି । ପିଲାଦିନେ ଏଭଳି ଅନେକ କାହାଣୀ ଶୁଣିବାକୁ ମିଳୁଥିଲା ଯାହା ସାହାଯ୍ୟରେ ଛୋଟ ଛୋଟ ପିଲାଙ୍କୁ ଜୀବନର ମୂଲ୍ୟବୋଧ ଶିଖାଯାଉଥିଲା । ଏହି କାହାଣୀର ତାଲିକା ଖୁବ ଲମ୍ବା । ଛୋଟଛୋଟ ମଜାଳିଆ […]
ପିଲାବେଳର ଅନେକ କାହାଣୀ ଆଜି ବି ଆମ ମନରେ ଜୀବନ୍ତ ହୋଇ ରହିଛି । ଏହି କାହାଣୀରୁ ଶିଖିଥିବା ନୀତିଶିକ୍ଷା ଆଜି ବି ଜୀବନରେ କାମରେ ଆସୁଛି । ଏହାକୁ ପାଥେୟ କରି ଜୀବନରେ ଅନେକ ଜଟିଳ ସମସ୍ୟାରୁ ମଣିଷ ମୁକୁଳି ପାରୁଛି ।
ପିଲାଦିନେ ଏଭଳି ଅନେକ କାହାଣୀ ଶୁଣିବାକୁ ମିଳୁଥିଲା ଯାହା ସାହାଯ୍ୟରେ ଛୋଟ ଛୋଟ ପିଲାଙ୍କୁ ଜୀବନର ମୂଲ୍ୟବୋଧ ଶିଖାଯାଉଥିଲା । ଏହି କାହାଣୀର ତାଲିକା ଖୁବ ଲମ୍ବା । ଛୋଟଛୋଟ ମଜାଳିଆ କାହାଣୀରେ ବି ଭରି ରହୁଥିଲା ସାହାସ ଓ ବୁଦ୍ଧିମତାର ନିଆରା ଉଦାହରଣ । ସେହିଭଳି ଏକ କାହାଣୀ ହେଲା ହାତୀ ଓ ପିମ୍ପୁଡିର କାହାଣୀ । ଏହି ଗଳ୍ପରେ ସମାଜ ପାଇ ଖୁବ ସୁନ୍ଦର ବାର୍ତ୍ତାଟିଏ ରହିଛି, ଯାହା ସମାଜକୁ ଅନେକ କଥା ଶିଖାଇଥାଏ । ଆସନ୍ତୁ ପଢିବା ସେହି କାହାଣୀଟି ।
ଏକଦା ଜଙ୍ଗଲରେ ଗୋଟିଏ ପିମ୍ପୁଡି ଦଳ ବସା ବାନ୍ଧି ରହୁଥିଲେ । ବେଶ୍ ହସଖୁସିରେ ସେମାନେ ନିଜର ପାରିବାରିକ ଜୀବନ ବିତାଉଥିଲେ । ପିମ୍ପୁଡିଙ୍କ ଭଳି ବଣରେ ଗୋଟିଏ ହାତୀ ଦଳ ମଧ୍ୟ ରହୁଥିଲେ । ହେଲେ ହାତୀ ଦଳ ଟିକେ ସ୍ୱଭାବରେ ଉଗ୍ର ଥିଲେ । ସେମାନେ ଦେଖିବାକୁ ଖୁବ ବଡ ଥିବାରୁ ସେମାନଙ୍କ ଭିତରେ ଗର୍ବ ଖୁବ ଅଧିକ ଥିଲା । ସେମାନେ କାହାରିକୁ ଭୟ କରୁନଥିଲେ ଏବଂ ଛୋଟଛୋଟ ପ୍ରାଣୀଙ୍କୁ ଖୁବ ହଇରାଣ ହରକତ କରୁଥିଲେ । ସେମାନେ ବଣରେ ବୁଲିବୁଲି ନିଜର ଖାଦ୍ୟ ସଂଗ୍ରହ କରୁଥିଲେ । ଅନେକ ସମୟରେ ବଣରେ ଥିବା ଗଛ ଗୁଡିକର ଡାଳ ଭାଙ୍ଗି ଖାଉଥିଲେ । ତେବେ ସେମାନେ ସବୁବେଳେ ଜାଣିଶୁଣି ପିମ୍ପୁଡିମାନେ ଘର କରିଥିବା ଗଛକୁ ଭାଙ୍ଗି ଖାଉଥିଲେ, ଯାହାଫଳରେ ପିମ୍ପୁଡିମାନଙ୍କର ଘର ଭାଙ୍ଗି ଯାଉଥିଲା ଏବଂ ସେମାନେ ସମସ୍ୟାରେ ପଡୁଥିଲେ । ଏଭଳି ବାରମ୍ବାର ଘଟୁଥିଲା । ପିମ୍ପୁଡିର ଦଳ ପତି ହାତୀର ଦଳପତିଙ୍କୁ ଅନୁରୋଧ କରିବା ପରେ ମଧ୍ୟ ଏଥିରେ କୌଣସି ପରିବର୍ତ୍ତନ ଘଟୁନଥିଲା । ତେବେ ପିମ୍ପୁଡି ଏହି ସମସ୍ୟାର ସମାଧାନ କରିବା ପାଇଁ ନିଜ ନିଜ ଭିତରେ ଆଲୋଚନା କରି ଏକ ଉପାୟ ବାହାର କଲେ । ସେମାନେ ସାନ ହେଲେ ମଧ୍ୟ ଖୁବ ସାହସୀ ଥିଲେ । ସେମାନେ ସମସ୍ତେ ମିଶି କିଛି ଉପାୟ ପାଞ୍ଚିଲେ । ଏହା ପରଦିନ ସକାଳୁ ଯେତେବେଳେ ହାତୀ ଗଛ ଭାଙ୍ଗିବାକୁ ଆସିଲେ ସମସ୍ତ ପିମ୍ପୁଡି ସେମାନଙ୍କ ଶୁ„ ଦେଇ ସେମାନଙ୍କ ଶରୀରରେ ପ୍ରବେଶ କରିଲେ । ଭିତରକୁ ଯିବା ପରେ ସେମାନଙ୍କୁ କାମୁଡି ଅସ୍ତବ୍ୟସ୍ତ କରିପକାଇଲେ । ଏପରି ଭାବେ ସେମାନ ହାତୀଙ୍କୁ ବୁଦ୍ଧି ଶିଖାଇବାରେ ସମର୍ଥ ହୋଇ ପାରିଥିଲେ । ଛୋଟ ପଶୁ ହେଲେ ମଧ୍ୟ ହାତୀ ଭଳି ବଡପ୍ରାଣୀକୁ ମଧ୍ୟ ବୁଦ୍ଧି ଶିଖାଇବାରେ ସମର୍ଥ ହୋଇପାରିଲେ । ତେଣୁ ଯଦି ଆମର ବୁଦ୍ଧି ଥିବ ତେବେ ଆମେ ସବୁକିଛି କରିପାରିବା । ସେହିଭଳି ଯଦି କେହି ଆମର କୌଣସି ସମସ୍ୟା କରୁଛନ୍ତି ତେବେ ପ୍ରଥମେ ସେମାନଙ୍କୁ ଆଗ ଭଲରେ ବୁଝାଇବାକୁ ହୋଇଥାଏ । ହେଲେ ଯଦି ସେମାନେ ନ ବୁଝନ୍ତି ତେବେ ଆମକୁ ନିଜ ବୁଦ୍ଧିକୁ ଆପଣାଇବାକୁ ହୋଇଥାଏ । ସେହିଭଳି ଜୀବନରେ କେବେ କାହାକୁ ଛୋଟ ଭାବି ହେୟ ଜ୍ଞାନ କରିବା ଭଲ ନୁହେଁ ବୋଲି ଏହି ଗପରୁ ଶିକ୍ଷା ମିଳିଥାଏ ।




