ରହସ୍ୟରେ ତୁନିଷାଙ୍କ ମୃତ୍ୟୁ

ରହସ୍ୟରେ ତୁନିଷାଙ୍କ ମୃତ୍ୟୁ
Ipsita Picture
By: Ipsita
Published On

 

ବି ଟାଉନରେ ଏଭଳି ଅନେକ ସେଲିବ୍ରିଟି ରହିଛନ୍ତି ଯାହାଙ୍କର ମୃତ୍ୟୁର କାହାଣୀ ଏବେ ବି ରହସ୍ୟରେ । ସେମାନେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି, ସେସବୁ ଏବେ ବି ବିଚାରଧୀନ । ସେହିଭଳି ଏକ କାହାଣୀ ହେଲା ଅଭିନେତ୍ରୀ ତୁନିଷା ଶର୍ମାଙ୍କର ।

୨୪ ଡିସେମ୍ବର ୨୦୨୨, ମୁମ୍ବାଇର ଏକ ଷ୍ଟୁଡିଓରେ ଅଲିବାବା: ଦାସ୍ତାନ-ଏ-କାବୁଲର ସେଟ୍ରେ ସବୁଦିନ ଭଳି ସୁଟିଂ ଚାଲିଥିଲା । ମାତ୍ର କିଏ ଜାଣିଥିଲା ଯେ, ମଧ୍ୟାହ୍ନ ଭୋଜନ ବିରତି ସମୟରେ ୨୦ ବର୍ଷୀୟା ଲିଡ୍ ଅଭିନେତ୍ରୀ ତୁନିଷା ଶର୍ମା ଏମିତି ଏକ ପଦକ୍ଷେପ ନେବେ, ଯାହା ପୂରା ଦେଶକୁ ସ୍ତବ୍ଧ କରିଦେବ। ସେହିଦିନ ମେକଅପ୍ ରୁମ୍ ଭିତରେ ତୁନିଷାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲା, ଯାହା ତାଙ୍କ ପରିବାର ଓ ଫ୍ୟାନଙ୍କୁ ଏକ ଧକ୍କା ଦେଇଥିଲା ।

ଘଟଣା ପୂର୍ବର ସେହି ରହସ୍ୟମୟ ୧୫ ମିନିଟ୍

ପୋଲିସ ତଦନ୍ତରୁ ଜଣାପଡ଼ିଛି ଯେ, ଆତ୍ମହତ୍ୟା କରିବାର ଠିକ୍ କିଛି ସମୟ ପୂର୍ବରୁ ତୁନିଷା ତାଙ୍କ ଏକ୍ସ-ବୟଫ୍ରେଣ୍ଡ ତଥା କୋ-ଷ୍ଟାର୍ ଶିଜାନ୍ ଖାନ୍ଙ୍କ ସହ ମେକଅପ୍ ରୁମ୍ ଭିତରେ ପ୍ରାୟ ୧୫ ମିନିଟ୍ କଥା ହୋଇଥିଲେ । ଶିଜାନ୍ ବାହାରକୁ ଆସିବା ପରେ ତୁନିଷା ଭିତରୁ କବାଟ ବନ୍ଦ କରି ଦେଇଥିଲେ । ଯେତେବେଳେ ବହୁ ସମୟ ଧରି କବାଟ ଖୋଲିନଥିଲା, ଶିଜାନ୍ ଓ ଅନ୍ୟମାନେ କବାଟ ଭାଙ୍ଗିଥିଲେ ଏବଂ ତୁନିଷାଙ୍କୁ ଝୁଲନ୍ତା ଅବସ୍ଥାରେ ପାଇଥିଲେ ।

ବ୍ରେକଅପ୍ ଓ ଧୋକା: ମୃତ୍ୟୁର ମାତ୍ର ୧୫ ଦିନ ପୂର୍ବରୁ ଶିଜାନ୍ ଓ ତୁନିଷାଙ୍କ ବ୍ରେକଅପ୍ ହୋଇଥିଲା। ତୁନିଷାଙ୍କ ମାଙ୍କ ଅଭିଯୋଗ ଅନୁଯାୟୀ, ଶିଜାନ୍ ଅନ୍ୟ ଜଣେ ଝିଅ ସହ ସମ୍ପର୍କରେ ଥିଲେ ଏବଂ ତୁନିଷାଙ୍କୁ ପ୍ରତାରଣା କରିଥିଲେ । ଏଥିପାଇଁ ସେ ଖୁବ୍ ମାନସିକ ଚାପରେ ଥିଲେ । ମୃତ୍ୟୁର ପ୍ରାୟ ଏକ ସପ୍ତାହ ପୂର୍ବରୁ ତୁନିଷାଙ୍କୁ ସେଟ୍ରେ ଏକ ପ୍ୟାନିକ୍ ଆଟାକ୍ ଆସିଥିଲା । ସେ ବାରମ୍ବାର କହୁଥିଲେ ଯେ ଶିଜାନ୍ ତାଙ୍କୁ ବ୍ୟବହାର କରିଛନ୍ତି ।

ଅଭିଯୋଗ ଓ ଗିରଫଦାରୀ : ତୁନିଷାଙ୍କ ମାଙ୍କ ବୟାନ ଆଧାରରେ ଶିଜାନ୍ ଖାନ୍ଙ୍କୁ ଆତ୍ମହତ୍ୟା ପାଇଁ ପ୍ରୋତ୍ସାହିତ କରିବା ଅଭିଯୋଗରେ ୨୫ ଡିସେମ୍ବରରେ ଗିରଫ କରାଯାଇଥିଲା । ଶିଜାନ୍ଙ୍କ ଓକିଲ ଦାବି କରିଥିଲେ ଯେ ବ୍ରେକଅପ୍ ପରେ ତୁନିଷା ଅଲିନାମକ ଜଣେ ଯୁବକଙ୍କ ସହ ଡେଟିଂ କରୁଥିଲେ ଏବଂ ମୃତ୍ୟୁ ପୂର୍ବରୁ ତାଙ୍କ ସହ ଭିଡିଓ କଲ୍ରେ କଥା ହୋଇଥିଲେ। ଶିଜାନ୍ଙ୍କ ପରିବାର ଅଭିଯୋଗ କରିଥିଲେ ଯେ ତୁନିଷାଙ୍କର ତାଙ୍କ ମାଙ୍କ ସହ ସମ୍ପର୍କ ଭଲ ନଥିଲା। ମାତାଙ୍କୁ ମାନସିକ ନିର୍ଯାତନା ଦେଉଥିଲେ ଏବଂ ତାଙ୍କ ଖର୍ଚ୍ଚ ଉପରେ କଠୋର ନିୟନ୍ତ୍ରଣ ରଖୁଥିଲେ ।

୭୦ ଦିନ ପରେ ମିଳିଲା ବେଲ୍

ପ୍ରାୟ ୭୦ ଦିନ ଜେଲ୍ରେ ରହିବା ପରେ ୫ ମାର୍ଚ୍ଚ ୨୦୨୩ରେ ଶିଜାନ୍ ଖାନ୍ଙ୍କୁ ଜାମିନ ମିଳିଥିଲା ।  ତଦନ୍ତ ଶେଷ ହୋଇଥିଲା ଏବଂ ଚାର୍ଜସିଟ୍ ଦାଖଲ ହୋଇସାରିଥିଲା ତେଣୁ ତାଙ୍କୁ ଜେଲ୍ରେ ରଖିବାର ଆବଶ୍ୟକତା ନଥିବା କୋର୍ଟ ମତ ଦେଇଥିଲେ ।

ବର୍ତ୍ତମାନର ସ୍ଥିତି

ଆଜି ୩ ବର୍ଷ ପରେ ମଧ୍ୟ ଏହି ମାମଲା ବିଚାରାଧୀନ ଅଛି । ତୁନିଷାଙ୍କ ମାମୁଁ ପବନ କୁମାର ଏବେ ବି ନ୍ୟାୟପାଳିକା ଉପରେ ବିଶ୍ୱାସ ରଖିଥିବା ଅନେକ ସାକ୍ଷାତକାରରେ ମତ ଦେଇଛନ୍ତି । ସେହି ଶେଷ ୧୫ ମିନିଟ୍ରେ କଣ ହୋଇଥିଲା, ତାହା କେବଳ ଶିଜାନ୍ ହିଁ କହିପାରିବେ ବୋଲି ସେ କହିଛନ୍ତି । ସେହିଭଳି ଅନ୍ୟପଟେ ଅଭିନେତା ଶିଜାନ୍ ନିଜ କ୍ୟାରିୟରକୁ ପୁଣି ଥରେ ଗଢ଼ିବାକୁ ଚେଷ୍ଟା କରୁଛନ୍ତି ।

Tags: