ପୁଣି ବୁଲିଲା ଖଣ୍ଡା, ୩ ଜଣ ଗୁରୁତର
କଟକ : ଓଡ଼ିଶାରେ ଦିନକୁ ଦିନ ବଢିବାରେ ଲାଗିଛି ଅପରାଧ । ଗୋଟିଏ ଅପରାଧର ତଦନ୍ତ ନ ସରୁଣୁ ଘଟୁଛି ଆଉ ଏକ ଅପରାଧ । କଟକ ଜିଲ୍ଲା ବାରଙ୍ଗ ଥାନା ଗୋଡ଼ିସାହି ଫାଣ୍ଡି ମୁଣ୍ଡଳୀ ଛକରେ ଘଟିଛି ଆଉ ଏକ ଘଟଣା, ଯାହା ପୁଣି ଆଇନ ବ୍ୟବସ୍ଥା ଉପରେ ଅଙ୍ଗୁଳି ଉଠାଇଛି । ସୂଚନା ଅନୁସାରେ ୬ ଦୁର୍ବୃତ୍ତଙ୍କ ଖଣ୍ଡା ଆକ୍ରମଣରେ ଉକ୍ତ ସ୍ଥାନରେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ତେବେ ଚିକିତ୍ସା ପାଇଁ ସମସ୍ତ ଆହତଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ଆହତ ବ୍ୟକ୍ତିମାନେ କାହ୍ନୁ ଦଳାଇ, ଅନୀଲ କୁମାର ଲେଙ୍କା ଓ ରଞ୍ଜନ କୁମାର ରାଉତ ବୋଲି ସୂଚନା ରହିଛି । ସାନମୁଣ୍ଡଳୀ ଗାଁର କାହ୍ନୁ ଦଳାଇ ବାରଙ୍ଗ ଥାନା ମୁଣ୍ଡଳୀ ଛକରେ ଦହିବରା ଖାଉଥିବା ବେଳେ ୬ ଜଣ ଦୁର୍ବୃତ୍ତ ତାଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ। କାହ୍ନୁଙ୍କୁ ବଞ୍ଚେଇବାକୁ ଯାଇ ଦହିବରା ବ୍ୟବସାୟୀ ଅନୀଲ କୁମାର ଲେଙ୍କା ଓ ପାନ ଦୋକାନୀ ରଞ୍ଜନ କୁମାର ରାଉତ ମଧ୍ୟ ଗୁରୁତର ଆହତ ହୋଇଥିବା ସୁତ୍ରରୁ ପ୍ରକାଶ । ତେବେ ଆକ୍ରମଣର କାରଣ ଜଣାପଡ଼ି ନାହିଁ କି ଉକ୍ତ ୬ ଦୁର୍ବୃତ୍ତଙ୍କ ସଂପର୍କରେ ମଧ୍ୟ ସୂଚନା ମିଳିପାରି ନାହିଁ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସୂଚନା ରହିଛି ।




