ପୌରାଧ୍ୟକ୍ଷାଙ୍କ ଔଦ୍ଧତ୍ୟ ,ଥାନାରେ ଏତଲା ଦେଲେ ପୌର ନିର୍ବାହୀ ଅଧିକାରୀ
ଯାଜପୁର : ସୀମା ଟପିଲା ଯାଜପୁର ପୌରାଧ୍ୟକ୍ଷାଙ୍କ ଔଦ୍ଧତ୍ୟ I ଯାଜପୁର ଜିଲ୍ଲା ବ୍ୟାସନଗର ପୌରାଧ୍ୟକ୍ଷା ସଂଗୀତା ପିଙ୍ଗୁଆ ନିଜ ଚାମ୍ବରକୁ ଡକାଇ ସର୍ବ ସମ୍ମୁଖରେ ପୌର ନିର୍ବାହୀ ଅଧିକାରୀଙ୍କ ଉପରକୁ ଫାଇଲ ଫୋପାଡିବା ଘଟଣା ଏବେ ନୂଆ ମୋଡ଼ ନେଇଛି I ଏଥିରେ ନିଜର ସମ୍ମାନ ହାନି ହୋଇଥିବା ଦର୍ଶାଇ ଘଟଣାର ଠିକ୍ ମାସେ ପରେ ସମ୍ପୃକ୍ତ ପୌରାଧ୍ୟକ୍ଷାଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି ପୌର ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ I ଏଥିସହ […]
ଯାଜପୁର : ସୀମା ଟପିଲା ଯାଜପୁର ପୌରାଧ୍ୟକ୍ଷାଙ୍କ ଔଦ୍ଧତ୍ୟ I ଯାଜପୁର ଜିଲ୍ଲା ବ୍ୟାସନଗର ପୌରାଧ୍ୟକ୍ଷା ସଂଗୀତା ପିଙ୍ଗୁଆ ନିଜ ଚାମ୍ବରକୁ ଡକାଇ ସର୍ବ ସମ୍ମୁଖରେ ପୌର ନିର୍ବାହୀ ଅଧିକାରୀଙ୍କ ଉପରକୁ ଫାଇଲ ଫୋପାଡିବା ଘଟଣା ଏବେ ନୂଆ ମୋଡ଼ ନେଇଛି I ଏଥିରେ ନିଜର ସମ୍ମାନ ହାନି ହୋଇଥିବା ଦର୍ଶାଇ ଘଟଣାର ଠିକ୍ ମାସେ ପରେ ସମ୍ପୃକ୍ତ ପୌରାଧ୍ୟକ୍ଷାଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି ପୌର ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ I ଏଥିସହ ପୂର୍ବରୁ ମଧ୍ୟ ତାଙ୍କୁ ବିଭିନ୍ନ ସମୟରେ ପୌର କାର୍ଯ୍ୟାଳୟ କର୍ମଚାରୀ ଓ ସଫେଇ କର୍ମଚାରୀଙ୍କ ଆଗରେ ପୌରାଧ୍ୟକ୍ଷା ଗାଳିଗୁଲଜ କରିଥିବା ଏବଂ ତାଙ୍କ ଚାମ୍ବରରେ ତାଲା ପକାଇ ଦେଇଥିବା ସେ ଅଭିଯୋଗ କରିଛନ୍ତି । ତେଣୁ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପୌର ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ।
ସୂଚନାନୁଯାୟୀ ପୌରାଧ୍ୟକ୍ଷା ସଂଗୀତା ପିଙ୍ଗୁଆ ଏବଂ ପୌର ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ ଙ୍କ ମଧ୍ୟରେ ଏକ ମୋବାଇଲ ଟାୱାର କୁ ଏନଓସି ଦେବାକୁ ନେଇ ତିକ୍ତତା ଆରମ୍ଭ ହୋଇଥିଲା I ବ୍ୟାସନଗର ସହରର ୮ ନମ୍ବର ଓ୍ୱାର୍ଡରେ ଜିଓ ଟାଓ୍ୱାର ସ୍ଥାପନ କରିବାକୁ ଓ୍ୱାର୍ଡବାସୀ ପୌର ଅଧିକାରୀଙ୍କୁ ଅନୁମତି ମାଗିଥିଲେ। ପୌରପରିଷଦ ପକ୍ଷରୁ ଏ ବିଷୟରେ ତଦନ୍ତ କରାଯିବା ପରେ ନିର୍ବାହୀ ଅଧିକାରୀ ଅଶୋକ ରାଉତ ଅନୁମତି ଦେବା ସହିତ ୮ ନମ୍ବର ଓ୍ୱାର୍ଡର କାଉନସିଲର ଅଶୋକ ଦାସ ମଧ୍ୟ ଏହି ଆବେଦନ ପତ୍ରରେ ଦସ୍ତଖତ କରିଥିଲେ I ପରେ ଓ୍ୱାର୍ଡର ଆଉ କିଛି ବାସିନ୍ଦା ଏହି ଟାଓ୍ୱାର ନିର୍ମାଣକୁ ବିରୋଧ କରି ଅଧକ୍ଷାଙ୍କ ଦ୍ୱାରସ୍ଥ ହୋଇଥିଲେ। ଏନେଇ ପୌରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆ ପୌର ନିର୍ବାହୀ ଅଧିକାରୀଙ୍କୁ ନିଜ ଚାମ୍ବରକୁ ଡକାଇ ଘଟଣା ସମ୍ପର୍କରେ ପଚାରିଥିଲେ। ସେହି ସମୟରେ ପୌରାଧ୍ୟକ୍ଷା ଉତକ୍ଷିପ୍ତ ହୋଇ ପୌର ନିର୍ବାହୀ ଅଧିକାରୀଙ୍କୁ ଅଶାଳୀନ ଭାଷା ପ୍ରୟୋଗ କରିଥିଲେ I ଏହା ସହିତ ଏଠାରେ ବସି ରାଜନୀତି କରୁଛ ବୋଲି ଆକ୍ଷେପ କରିବା ସହିତ ସର୍ବ ସମ୍ମୁଖରେ ନିଜ ଚୋୖକିରୁ ଉଠି ପଡି ପୌର ନିର୍ବାହୀ ଅଧିକାରୀ ମୁହଁ ଉପରକୁ ଫାଇଲ ଫୋପାଡୁ ଥିବା ଭିଡିଓରେ ଦେଖାଯାଉଥିଲା I
ଏହି ଘଟଣା ଗତମାସ ୧୫ ତାରିଖରେ ଘଟିଥିଲା I ଠିକ ମାସକ ପରେ ଏହାର ଭିଡିଓ ଭାଇରାଲ ହେବାପରେ ଏହା ପଦାକୁ ଆସିଥିଲା I ଏହା ମଧ୍ୟରେ ନିର୍ବାହୀ ଅଧିକାରୀଙ୍କର ଗତକାଲି ଖଣ୍ଡପଡା ବଦଳି ହୋଇଥିବା ସୂଚନା ମିଳିଛି।




