କଲେଜ ରେ ରାଗିଂ ଘଟଣା, ବିଦା ହେବେ ସବୁ ଅଭିଯୁକ୍ତ
ବ୍ରହ୍ମପୁର : ସ୍ଥାନୀୟ ଆଚାର୍ଯ୍ୟ ବିନାୟକ କଲେଜ ରାଗିଂ ମାମଲାରେ ବିଦା ହେବେ ସମ୍ପୃକ୍ତ ଥିବା ସମସ୍ତ ଅଭିଯୁକ୍ତ ଛାତ୍ର I ଏ ସମ୍ପର୍କରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି କଲେଜ କର୍ତୃପକ୍ଷ I ଏନେଇ ସୂଚନା ଦେଇଛନ୍ତି ଅଧ୍ୟକ୍ଷା ପ୍ରମିଳା ଖାଡ଼ଙ୍ଗା I ଅନ୍ୟପକ୍ଷରେ ବ୍ରହ୍ମପୁର ଏସ୍ପି ଶ୍ରବଣା ବିବେକ ଏମ୍ କହିଛନ୍ତି, ଭାଇରାଲ୍ ଭିଡିଓରେ ଥିବା ସମସ୍ତ ୧୨ ଜଣଙ୍କୁ କଲେଜରୁ ତଡ଼ାଯିବ। ଗିରଫ ୫ ଜଣଙ୍କ ମଧ୍ୟରୁ ୩ ଜଣ ସାବାଳକଙ୍କୁ କୋର୍ଟ […]
ବ୍ରହ୍ମପୁର : ସ୍ଥାନୀୟ ଆଚାର୍ଯ୍ୟ ବିନାୟକ କଲେଜ ରାଗିଂ ମାମଲାରେ ବିଦା ହେବେ ସମ୍ପୃକ୍ତ ଥିବା ସମସ୍ତ ଅଭିଯୁକ୍ତ ଛାତ୍ର I ଏ ସମ୍ପର୍କରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି କଲେଜ କର୍ତୃପକ୍ଷ I ଏନେଇ ସୂଚନା ଦେଇଛନ୍ତି ଅଧ୍ୟକ୍ଷା ପ୍ରମିଳା ଖାଡ଼ଙ୍ଗା I ଅନ୍ୟପକ୍ଷରେ ବ୍ରହ୍ମପୁର ଏସ୍ପି ଶ୍ରବଣା ବିବେକ ଏମ୍ କହିଛନ୍ତି, ଭାଇରାଲ୍ ଭିଡିଓରେ ଥିବା ସମସ୍ତ ୧୨ ଜଣଙ୍କୁ କଲେଜରୁ ତଡ଼ାଯିବ। ଗିରଫ ୫ ଜଣଙ୍କ ମଧ୍ୟରୁ ୩ ଜଣ ସାବାଳକଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଅନ୍ୟ ୨ ଅଭିଯୁକ୍ତ ନାବାଳକଙ୍କୁ ବାଳସୁଧାର ଗୃହ ପଠା ଯାଇଛି। ରାଗିଂରେ ସଂପୃକ୍ତ ଥିବା ଛାତ୍ରୀମାନଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଏସ୍ପି କହିଛନ୍ତି।
ସୂଚନାନୁସାରେ,ସ୍ଥାନୀୟ ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟର ଜଣେ ଯୁକ୍ତ ଦୁଇ ନବାଗତା ଛାତ୍ରୀଙ୍କୁ ରାଗିଂ କରି ଭିଡିଓ ଭାଇରାଲ୍ କରାଯାଇଥିଲା I ଏଥିରେ ଜଣେ +୩ ଛାତ୍ର ଅଭିଷେକ ନାହାକ ଓ ତାଙ୍କ ସାଥୀମାନେ ଠେଙ୍ଗା ଧରି ଜଣେ ଛାତ୍ରୀଙ୍କ ଗାଲକୁ କିସ୍ ଦେବାକୁ ଜଣେ ଛାତ୍ରଙ୍କୁ କହୁଥିଲେ। ଛାତ୍ର ଜଣକ ଅସହାୟ ହୋଇ ଭୟରେ ଛାତ୍ରୀଙ୍କ ଗାଲ୍କୁ କିସ୍ ଦେଉଥିଲେ ଓ ଆଇ ଲଭ୍ ୟୁ କହୁଥିଲେ। ଅଭିଷେକ ଓ ତାଙ୍କ ସାଥୀ (ଛାତ୍ରଛାତ୍ରୀ)ମାନେ ଅଶ୍ଲୀଳ ଭାଷାରେ ଗାଳି ମଧ୍ୟ ଦେଉଥିଲେ। ଯାହାର ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଥିଲା। ଏହି ମାମଲାରେ ବ୍ରହ୍ମପୁର ପୁଲିସ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଘଟଣାରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହିତ ୨ ନାବାଳକ ଅଭିଯୁକ୍ତଙ୍କୁ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡ଼(ଜେଜେବି)ରେ ହାଜର କରାଯାଇଥିଲା। ପରେ ଉଭୟ ନାବାଳକଙ୍କୁ ବାଳସୁଧାର ଗୃହକୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି। ମୁଖ୍ୟ ଅଭିଯୁକ୍ତ ଅଭିଷେକ ନାହାକ(୨୪), ଶ୍ରୀଧର ନାହାକ (୨୧), ଆଦିତ୍ୟ କୁମାର ସାହୁ (୨୦)ଙ୍କ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି। ସେହିଭଳି, ଘଟଣାରେ ସମ୍ପୃକ୍ତ ସବୁ ଅଭିଯୁକ୍ତଙ୍କୁ ବିତାଡ଼ିତ କରାଯିବ ବୋଲି କଲେଜ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି।

ଅନ୍ୟପଟେ କଲେଜ କ୍ୟାମ୍ପସ୍ରେ ହୋଇଥିବା ରାଗିଂ ଭିଡିଓଟି ଭାଇରାଲ୍ ହେବା ପରେ ବିଭିନ୍ନ ମହଲରେ ଉଦ୍ବେଗ ପ୍ରକାଶ ପାଇଥିବା ବେଳେ,ପୋଲିସ ନିଜ ଆଡୁ ମାମଲା ରୁଜୁ କରିଥିଲା I ଆଜି ସକାଳେ କଲେଜ ଶୃଙ୍ଖଳା କମିଟିର ଏକ ବୈଠକ ବସିଥିଲା। ଏହାପରେ ଆଣ୍ଟିଂ ରୢାଗିଂ ସେଲ୍ର ମଧ୍ୟ ବୈଠକ ହୋଇଥିଲା। ଉଭୟ ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ଭାଇରାଲ୍ ଭିଡ଼ିଓରେ ଚିହ୍ନଟ ହୋଇଥିବା ସମସ୍ତ ୧୨ଅଭିଯୁକ୍ତ ଛାତ୍ରଛାତ୍ରୀଙ୍କୁ ଟିସି ଦେଇ କଲେଜରୁ ବିତାଡ଼ିତ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ଅଧ୍ୟକ୍ଷା ପ୍ରମିଳା ଖାଡ଼ଙ୍ଗା କହିଛନ୍ତି। ଯେଉଁ ୫ଜଣ ଛାତ୍ରଙ୍କୁ ପୁଲିସ ଗତକାଲି କାବୁ କରିଥିଲା, ସେମାନଙ୍କ ମଧ୍ୟରୁ ୪ଜଣଙ୍କୁ ଖରାପ ବ୍ୟବହାର ପାଇଁ ସେମାନଙ୍କ ଅଭିଭାବକଙ୍କୁ ଡକାଯାଇ ଚେତାବନୀ ଦିଆଯାଇଥିଲା। ବ୍ୟବହାରରେ ପରିବର୍ତ୍ତନ ନେଇ ଅଭିଭାବକମାନେ ମଧ୍ୟ ଲିଖିତ ପ୍ରତିଶ୍ରୁତି ଦେଇଥିଲେ ବୋଲି ଅଧ୍ୟକ୍ଷା ସୂଚନା ଦେଇଛନ୍ତି।
ବ୍ରହ୍ମପୁର ଏସ୍ପି ଶ୍ରବଣା ବିବେକ ଏମ୍ କହିଛନ୍ତି, ସୁପ୍ରିମକୋର୍ଟଙ୍କ ଗାଇଡ୍ଲାଇନ୍ ଅନୁସାରେ ପ୍ରତି ଶିକ୍ଷାନୁଷ୍ଠାନରେ ଇଣ୍ଟରନାଲ୍ ଆଣ୍ଟି ରାଗିଂ ସେଲ୍ ରହିବା କଥା। ଯେଉଁଥିରେ ବରିଷ୍ଠ ଶିକ୍ଷକ, ଛାତ୍ରଛାତ୍ରୀ ଓ ଅଭିଭାବକମାନେ ସଦସ୍ୟ ରହିବେ। ତେବେ ଏହି ରାଗିଙ୍ଗ ଘଟଣାରେ କଲେଜ କର୍ତୃପକ୍ଷ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେଇଥିବାରୁ ପ୍ରଶଂସା କରିଥିଲେ ଏସପି I ଏଥିସହ ଆାଗାମୀ ଦିନରେ ପୁଲିସ ପକ୍ଷରୁ କଲେଜମାନଙ୍କରେ ରାଗିଂ ସମ୍ପର୍କିତ ସଚେତନତା ସଭା ଆୟୋଜନ କରାଯାଇ ଛାତ୍ରଛାତ୍ରୀଙ୍କ ମାର୍ଗଦର୍ଶନ କରାଯିବ ବୋଲି ପ୍ରକାଶ କରିଛନ୍ତି।




