ରାଜ୍ୟରେ ବଡ଼ ଧରଣର IT ରେଡ଼,୨୦୦ କୋଟି ଜବତ

ଭୁବନେଶ୍ୱର/ଟିଟିଲାଗଡ଼/ବୌଦ୍ଧ/ରାୟଗଡା : ରାଜ୍ୟର ବିଭିନ୍ନ ସ୍ଥାନରେ ବଡ଼ଧରଣର ଆଇଟି ରେଡ୍ । ମଦ ତିଆରି କରୁଥିବା ଏକାଧିକ କମ୍ପାନୀ ଆୟକର ଫାଙ୍କିଥିବା ଅଭିଯୋଗରେ ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ହୋଇଥିଲା ବଡ଼ଧରଣର ଆଇଟି ରେଡ୍ । ଆଜି ଦ୍ୱିତୀୟ ଦିନରେ ବି ସକାଳୁ ଟିଟିଲାଗଡ଼,ବୌଦ୍ଧ,ବଲାଙ୍ଗିରର ସୁତପଡ଼ାସ୍ଥିତ ମଦଭାଟିରେ ରେଡ଼୍‌ ଆରମ୍ଭ ହୋଇ ଯାଇଛି। ଏହା ସହ ରାଜ୍ୟ ବାହାରେ ଥିବା ୨୦ରୁ ଅଧିକ ସ୍ଥାନରେ ଚଢ଼ାଉ ବେଳେ ପୁଳା ପୁଳା ଟଙ୍କା ମିଳିଛି । ବିଶେଷ କରି […]

Samaya Live Picture
Published On

ଭୁବନେଶ୍ୱର/ଟିଟିଲାଗଡ଼/ବୌଦ୍ଧ/ରାୟଗଡା : ରାଜ୍ୟର ବିଭିନ୍ନ ସ୍ଥାନରେ ବଡ଼ଧରଣର ଆଇଟି ରେଡ୍ । ମଦ ତିଆରି କରୁଥିବା ଏକାଧିକ କମ୍ପାନୀ ଆୟକର ଫାଙ୍କିଥିବା ଅଭିଯୋଗରେ ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ହୋଇଥିଲା ବଡ଼ଧରଣର ଆଇଟି ରେଡ୍ । ଆଜି ଦ୍ୱିତୀୟ ଦିନରେ ବି ସକାଳୁ ଟିଟିଲାଗଡ଼,ବୌଦ୍ଧ,ବଲାଙ୍ଗିରର ସୁତପଡ଼ାସ୍ଥିତ ମଦଭାଟିରେ ରେଡ଼୍‌ ଆରମ୍ଭ ହୋଇ ଯାଇଛି। ଏହା ସହ ରାଜ୍ୟ ବାହାରେ ଥିବା ୨୦ରୁ ଅଧିକ ସ୍ଥାନରେ ଚଢ଼ାଉ ବେଳେ ପୁଳା ପୁଳା ଟଙ୍କା ମିଳିଛି । ବିଶେଷ କରି ପଶ୍ଚିମ ଓଡ଼ିଶାର ମଦ ବ୍ୟବସାୟୀ ମାନଙ୍କ ଠିକଣାରେ ରେଡ କରାଯାଇଛି I

ପଶ୍ଚିମ ଓଡ଼ିଶାର ଅନ୍ୟତମ ବଡ଼ ଦେଶୀ ମଦ ପ୍ରସ୍ତୁତକାରୀ ଓ ବିକ୍ରୟକାରୀ କଂପାନୀ କୁହାଯାଉଥିବା ରାଜକିଶୋର ସାହୁ ଓ ଦେବରାଜ ସାହୁଙ୍କ,ସାହୁ ଆଣ୍ଡ୍ ଗ୍ରୁପ୍ ଅଫ୍ କଂପାନୀର ବଲାଙ୍ଗିର ଅଫିସରେ ରେଡ୍ ବେଳେ ଧରାପଡ଼ିଲା ୧୫୦ କୋଟିରୁ ଅଧିକ ନଗଦ ଟଙ୍କା। ସେହିପରି ସୁନ୍ଦରଗଡ ସହରର ମଦ ବ୍ୟବସାୟୀ ରାଜକିଶୋର ପ୍ରସାଦ ଜୟସ୍ୱାଲଙ୍କ ଘର, ଅଫିସ ଓ ସର୍ଗିପାଲିସ୍ଥିତ ଦେଶୀ ମଦ ଭାଟିରେ ମଧ୍ୟ ଚଢାଉ କରିଥିଲା ଆୟକର ଟିମ୍। ଏହି ଲିଙ୍କ୍‌ରେ ଆୟକର ଟିମ୍ କୋଲକାତା ଓ ରାଞ୍ଚିରେ ମଧ୍ୟ ଚଢ଼ାଉ କରିଛି। ଏହାଛଡ଼ା ତାଙ୍କର ଘରୋଇ ବସ୍, ଗ୍ୟାସ୍ ଏଜେନ୍ସି, ଇଟାଭାଟି, ଛାପାଖାନା, ରାଉରକେଲାର ସିଭିଲ୍ ଟାଉନ୍‌ସିପ୍, ବେଦବ୍ୟାସ, ଉଦିତନଗର ଆଦି ବିଭିନ୍ନ ଅଞ୍ଚଳରେ ଥିବା ବିଦେଶୀ ମଦ ଦୋକାନ ତଥା କିଛି ମଦ ବ୍ୟବସାୟୀଙ୍କ କାର୍ଯ୍ୟାଳୟ ଓ ଘରେ ଆୟକର ଚଢ଼ଉ କରାଯାଇଛି।

ସେହିପରି ରାୟଗଡ଼ାର ମଦ ବ୍ୟବସାୟୀ ଅରବିନ୍ଦ ସାହୁଙ୍କ ଘର,ଅଫିସ ସମେତ ହୋଟେଲ୍‌ରେ ମଧ୍ୟ ବିଭାଗ ଚଢ଼ଉ କରିଛି।‌ ସେହିପରି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍‌ର ଦୁଇଟି ଶିଳ୍ପାନୁଷ୍ଠାନ,ତିତିରକଟାରେ ସ୍ପିରିଟ୍‌ ପ୍ରସ୍ତୁତ କରୁଥିବା କାରଖାନା ବୌଦ୍ଧ ଡିଷ୍ଟିଲାରି (ବିଡିପିଏଲ୍‌) ଓ ପୁରୁଣାକଟକରେ ଥିବା ରାଣୀସତୀ ପେଡି ପ୍ରୋସେସିଂ (ରାଇସମିଲ୍‌)ରେ ଚଢ଼ଉ କରାଯାଇଛି। ପୁରୁଣା କଟକର ବ୍ୟବସାୟୀ ଅଶୋକ କୁମାର ଅଗ୍ରୱାଲଙ୍କ ରାଣୀସତୀ ରାଇସ ମିଲ,ବାସଭବନ ଓ ବିଭିନ୍ନ ସ୍ଥାନରେ ଆୟକର ବିଭାଗ ଅଧିକାରୀ ଚଢାଉ କରିଛନ୍ତି ।

ଏହି ରେଡ ସମୟରେ ଘର ଆୟକର ଅଫିସରମାନେ ଜବତ କରିଥିଲେ ପୁଳା,ପୁଳା ଟଙ୍କା I ୧୦୦ଟଙ୍କିଆ ନୋଟ୍‌ ଠାରୁ ଆରମ୍ଭ କରି ୨୦୦, ୫୦୦ ଟଙ୍କିଆ ନୋଟର ବିଡ଼ା ଦେଖି ଆୟକର ଟିମ୍‌ ବି ତାଜୁବ୍। ଟଙ୍କା ଗଣି ଗଣି ଅଧିକାରୀ ବେଦମ। ଏତେ ଟଙ୍କା ମିଳିଲାଣି ଯେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଗଣତି ସରୁନାହିଁ। ବିଭିନ୍ନ ସ୍ଥାନରୁ ଅଧିକାରୀମାନେ ୨୦୦କୋଟିରୁ ଊର୍ଧ୍ବ ଟଙ୍କା ଗଣିସାରିଥିବା ବେଳେ ଆହୁରି ବିଡ଼ା ବିଡ଼ା ନୋଟ୍‌ ଗଣତି ବାକି ରହିଥିବା ଅତି ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି।ଜବତ ନଗଦ ଅର୍ଥର ପରିମାଣ ୩ଶହ କୋଟି ଟପିପାରେ ବୋଲି ଆକଳନ କରାଯାଉଛି। ହେଲେ ଆୟକର ଅଧିକାରୀମାନେ ଏ ନେଇ ମୁହଁ ଖୋଲୁନାହାନ୍ତି।

Tags: