ସ୍ୱାମୀଙ୍କୁ ଗଛରେ ବାନ୍ଧି ସ୍ତ୍ରୀଙ୍କୁ ହତ୍ୟା
ଲମତାପୁଟ/ନନ୍ଦପୁର: ଲୁଟେରାଙ୍କ ବିଭତ୍ସକାଣ୍ଡ । ସୁନା ଗହଣା ଲୁଟ ପରେ ସ୍ବାମୀଙ୍କୁ ଗଛରେ ବାନ୍ଧି ସ୍ତ୍ରୀକୁ ହତ୍ୟା କରିଛନ୍ତି । ଏଭଳି ଲୋମହର୍ଷଣକାରୀ ଘଟଣା ଘଟିଛି କୋରାପୁଟ ଜିଲ୍ଲା ନନ୍ଦପୁର ଥାନା କୁମାରଗନ୍ଧନା ହରିଆମୁଣ୍ଡା ଗାଁରେ । ମୃତକ ହେଲେ ସାବିତ୍ରୀ ଖରା । ତାଙ୍କ ସ୍ବାମୀ ମହେନ୍ଦ୍ର ଖରା ଗୁରୁତର ଅଛନ୍ତି। ତାଙ୍କୁ ନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନାନୁସାରେ,ସୋମବାର ସକାଳେ ସୁଭଦ୍ରା ଯୋଜନା ପାଇଁ ଆଧାର ସଂଯୋଗ କରିବାକୁ ମହେନ୍ଦ୍ର ଓ ସାବିତ୍ରୀ ଏକ […]
ଲମତାପୁଟ/ନନ୍ଦପୁର: ଲୁଟେରାଙ୍କ ବିଭତ୍ସକାଣ୍ଡ । ସୁନା ଗହଣା ଲୁଟ ପରେ ସ୍ବାମୀଙ୍କୁ ଗଛରେ ବାନ୍ଧି ସ୍ତ୍ରୀକୁ ହତ୍ୟା କରିଛନ୍ତି । ଏଭଳି ଲୋମହର୍ଷଣକାରୀ ଘଟଣା ଘଟିଛି କୋରାପୁଟ ଜିଲ୍ଲା ନନ୍ଦପୁର ଥାନା କୁମାରଗନ୍ଧନା ହରିଆମୁଣ୍ଡା ଗାଁରେ । ମୃତକ ହେଲେ ସାବିତ୍ରୀ ଖରା । ତାଙ୍କ ସ୍ବାମୀ ମହେନ୍ଦ୍ର ଖରା ଗୁରୁତର ଅଛନ୍ତି। ତାଙ୍କୁ ନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନାନୁସାରେ,ସୋମବାର ସକାଳେ ସୁଭଦ୍ରା ଯୋଜନା ପାଇଁ ଆଧାର ସଂଯୋଗ କରିବାକୁ ମହେନ୍ଦ୍ର ଓ ସାବିତ୍ରୀ ଏକ ଆଧାର କେନ୍ଦ୍ରକୁ ଆସିଥିଲେ। ସେଠାରେ କାମ ସାରି ବାଇକରେ ଘରକୁ ଫେରୁଥିବା ସମୟରେ ଲମତାପୁଟ ବ୍ଲକ କୁମାରଗନ୍ଧଣା ପଞ୍ଚାୟତ ହଣ୍ଡାଲତୋଟା ନିକଟରେ କିଛି ଦୁର୍ବୃତ୍ତ ସେମାନଙ୍କୁ ଠେଙ୍ଗାରେ ଆକ୍ରମଣ କରିଥିଲେ । ଠେଙ୍ଗା ମାଡ଼ରେ ମହେନ୍ଦ୍ର ଅଚେତ ହୋଇଯିବା ପରେ ସେମାନେ ତାଙ୍କୁ ଏକ ନୀଳଗିରି ଗଛରେ ବାନ୍ଧି ଦେଇଥିଲେ। ପରେ ଦୁର୍ବୃତ୍ତମାନେ ସାବିତ୍ରୀଙ୍କଠାରୁ ସୁନାଗହଣା ଲୁଟି ନେବା ସହ ତାଙ୍କୁ ନିର୍ମମ ଭାବେ ହତ୍ୟା କରି ଫେରାର ହୋଇଯାଇଥିଲେ । କିଛି ଘଣ୍ଟା ପରେ ମହେନ୍ଦ୍ରଙ୍କ ଚେତା ଆସିବାରୁ ସେ ଚିତ୍କାର କରିଥିଲେ। ମହେନ୍ଦ୍ରଙ୍କ ପାଟି ଶୁଣି ଜଣେ ପଥଚାରୀ ପହଞ୍ଚି ତାଙ୍କୁ ଉଦ୍ଧାର କରି ଗ୍ରାମରେ ଖବର ଦେଇଥିଲେ । ଗ୍ରାମବାସୀଙ୍କ ଠାରୁ ଖବର ପାଇ ନନ୍ଦପୁର ପୋଲିସ ଘଟଣାସ୍ଥଳରେ ପୋଲିସ ପହଞ୍ଚି ସାବିତ୍ରୀଙ୍କୁ ଖୋଜାଖୋଜି କରିଥିଲେ । ଏହାପରେ ଏକ ଲଟାବୁଦା ଭିତରୁ ସାବିତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ନନ୍ଦପୁର ପୋଲିସ ମୃତାହତଙ୍କୁ ନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତିକରିଛନ୍ତି । ଏହି ଘଟଣା ପଦାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ଦେଖାଦେଇଛି। କୌଣସି ବଡ଼ ଅଘଟଣ ଆଶଙ୍କାରେ ହାରିଆମୁଣ୍ଡା ଗ୍ରାମରେ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି । ଘଟଣାସ୍ଥଳରେ ଅଧିକ ତଦନ୍ତ ଜାରି ରଖିଛି ପୋଲିସ । ଆଜି କୋରାପୁଟରୁ ଏକ ସାଇଣ୍ଟିଫିକ ଟିମ୍ ପହଞ୍ଚି ଘଟଣାର ଅଧିକ ତଦନ୍ତ କରିବା ନେଇ ସୂଚନା ରହିଛି ।




