ମାନସିକ ନିର୍ଯ୍ୟାତନାରେ ଅତିଷ୍ଠ ହୋଇ ଜୀବନ ହାରିଲେ AI ଇଞ୍ଜିନିୟର

ବେଙ୍ଗାଲୁରୁ : AI ଇଞ୍ଜିନିୟରଙ୍କ ଆତ୍ମହତ୍ୟା । ସହିପାରିଲେନି ପତ୍ନୀଙ୍କ ନିର୍ଯ୍ୟାତନା । ମାନସିକ ନିର୍ଯ୍ୟାତନାରେ ଅତିଷ୍ଠ ହୋଇ ଶେଷରେ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଛନ୍ତି ଜଣେ ଉଚ୍ଚ ଶିକ୍ଷିତ AI ସଫ୍ଟୱେର ଇଞ୍ଜିନିୟର ଅତୁଲ ସୁଭାଷ (୩୪ ବର୍ଷ) । ତେବେ ମୃତ୍ୟୁ ପୂର୍ବରୁ ସେ ଛାଡି ଯାଇଛନ୍ତି ମାନସିକ ନିର୍ଯ୍ୟାତନା ଭୋଗିଥିବା ଦେଢ଼ ଘଣ୍ଟାର ଭିଡିଓ ସହିତ ୨୪ ପୃଷ୍ଠାର ଏକ ସୁଇସାଇଡ୍‌ ନୋଟ । ପତ୍ନୀ ଓ ଶ୍ୱଶୁର ଘର ଲୋକଙ୍କ ନିର୍ଯ୍ୟାତନା […]

Samaya Live Picture
Published On

ବେଙ୍ଗାଲୁରୁ : AI ଇଞ୍ଜିନିୟରଙ୍କ ଆତ୍ମହତ୍ୟା । ସହିପାରିଲେନି ପତ୍ନୀଙ୍କ ନିର୍ଯ୍ୟାତନା । ମାନସିକ ନିର୍ଯ୍ୟାତନାରେ ଅତିଷ୍ଠ ହୋଇ ଶେଷରେ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଛନ୍ତି ଜଣେ ଉଚ୍ଚ ଶିକ୍ଷିତ AI ସଫ୍ଟୱେର ଇଞ୍ଜିନିୟର ଅତୁଲ ସୁଭାଷ (୩୪ ବର୍ଷ) । ତେବେ ମୃତ୍ୟୁ ପୂର୍ବରୁ ସେ ଛାଡି ଯାଇଛନ୍ତି ମାନସିକ ନିର୍ଯ୍ୟାତନା ଭୋଗିଥିବା ଦେଢ଼ ଘଣ୍ଟାର ଭିଡିଓ ସହିତ ୨୪ ପୃଷ୍ଠାର ଏକ ସୁଇସାଇଡ୍‌ ନୋଟ । ପତ୍ନୀ ଓ ଶ୍ୱଶୁର ଘର ଲୋକଙ୍କ ନିର୍ଯ୍ୟାତନା ଓ ନ୍ୟାୟ ବ୍ୟବସ୍ଥା ଉପରେ ଅନେକ ପ୍ରଶ୍ନ ଉଠାଇ ସେ ନିଜର ଜୀବନ ହାରିଛନ୍ତି । ବେଙ୍ଗାଳୁରୁରୁ ସାମ୍ନାକୁ ଆସିଛି ଏଭଳି ହୃଦୟ ବିଦାରଣ ଘଟଣା । ଏହି ଘଟଣା ଇଞ୍ଜିନିୟରଙ୍କ ଭିତରେ ଆଲୋଡନ ସୃଷ୍ଟି କରିଛି ।

ଅତୁଳ ସୁଭାଷଙ୍କ ଘର ବିହାରରେ। ସେ ବେଙ୍ଗାଲୁରୁର ଏକସେଞ୍ଚରରେ AI ଇଜିଂନିୟର ଭାବେ କାର୍ଯ୍ୟ କରୁଥିବାବେଳେ ମଞ୍ଜୁନାଇ ଲେଆଉଟ ଅଞ୍ଚଳରେ ଥିବା ଫ୍ଲାଟରେ ରହୁଥିଲେ। ଉକ୍ତ ଫ୍ଲାଟରୁ ଅତୁଲଙ୍କ ଝୁଲନ୍ତା ମୃତଦେହ ପୋଲିସ ଉଦ୍ଧାର କରିଛି। ମୃତ୍ୟୁ ପୂର୍ବରୁ ଅତୁଲ ୨୪ ପୃଷ୍ଠାର ସୁଇସାଇଡ ନୋଟକୁ ଇ-ମେଲ ଜରିଆରେ ଏକାଧିକ ଲୋକଙ୍କୁ ପଠାଇଛନ୍ତି। ଏହି ନୋଟରେ ରହିଛି ଅତୁଲଙ୍କ ହୃଦୟସ୍ପର୍ଶୀ ବ୍ୟଥା । ସେ ଯେଉଁ ଏନଜିଓ ସଂସ୍ଥା ସହ ଥିଲେ, ତା’ର ହ୍ବାଟସଆପ ଗ୍ରୁପରେ ମଧ୍ୟ ସେ ସୁଇସାଇଡ ନୋଟ ଓ ରେକର୍ଡିଂ ଭିଡିଓ ଶେୟାର କରିଛନ୍ତି। ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି ତାଙ୍କର ଏହି ଶେଷ ପୋଷ୍ଟରେ ସେ ଟ୍ରମ୍ପଙ୍କ ସହ ଏଲନ ମସ୍କଙ୍କୁ ଟ୍ୟାଗ୍‌ କରିଛନ୍ତି। ଅତୁଲ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଲେଖିଥିବା ଚିଠିରେ ଦେଶର ଅପରାଧିକ ନ୍ୟାୟ ବ୍ୟବସ୍ଥାକୁ ସମାଲୋଚନା କରିଛନ୍ତି। କେମିତି ଜଣେ ମିଛ କେସ କରି ଆଉ ଜଣଙ୍କୁ ବରବାଦ କରି ଦେଉଛି, ସେକଥା ମଧ୍ୟ ଚିଠିରେ ରହିଛି।

ଦେଢ ଘଣ୍ଟାର ଭିଡିଓରେ ସେ ଯାହା କହିଛନ୍ତି ତାହା ସମସ୍ତଙ୍କୁ ଦୁଃଖିତ କରିଛି । ତାଙ୍କ ମରଶରୀର ପତ୍ନୀ ନିକିତାଙ୍କୁ ଛୁଇଁବାକୁ ଦେବନି ବୋଲି କହିଛନ୍ତି । ନିଜ ସନ୍ତାନକୁ ପତ୍ନୀଙ୍କ ନିକଟରୁ ଆଣି ତାଙ୍କ ପରିବାର ଲୋକଙ୍କୁ ଦେବାକୁ ଇଛା ପ୍ରକାଶ କରିଛନ୍ତି । ବିନା କ୍ୟାମେରାରେ ନିକିତାଙ୍କୁ ନଭେଟିବାକୁ ଅତୁଲ ନିଜ ପିତାମାତାଙ୍କୁ ଅନୁରୋଧ କରିଛନ୍ତି । ତାଙ୍କୁ ନିର୍ଯାତନା ଦେଇଥିବା ପ୍ରତ୍ୟେକ ବ୍ୟକ୍ତି ଦଣ୍ଡ ନପାଇବା ପର୍ଯ୍ୟନ୍ତ ଅସ୍ଥି ବିସର୍ଜନ ନକରିବାକୁ ସେ ପରିବାରଲୋକଙ୍କୁ ଅନୁରୋଧ କରିଛନ୍ତି । ଆବଶ୍ୟକ ପଡିଲେ ତାଙ୍କ ଅସ୍ଥିକୁ ଅଦାଲତ ବାହାରେ ଥିବା ନାଳରେ ଭସାଇଦେବାକୁ ସେ ଅନୁରୋଧ କରିଛନ୍ତି ।

ଘଟନାନୁସାରେ, ୨୦୧୯ରେ ଅତୁଲ ସୁବାଷ ମ୍ୟାଟ୍ରିମୋନିଆଲ ୱେବସାଇଟ ଜରିଆରେ ପ୍ରସ୍ତାବ ଠିକ୍‌ ହେବା ପରେ ଉତ୍ତର ପ୍ରଦେଶର ନିକିତା ସିଙ୍ଘାନିଆଙ୍କୁ ବିବାହ କରିଥିଲେ । ଗୋଟିଏ ବର୍ଷ ପରେ ତାଙ୍କର ପୁଅ ଜନ୍ମ ହୋଇଥିଲା। ବିବାହରୁ ଦୁଇ ବର୍ଷ ପରେ ନିକିତା ଅତୁଲଙ୍କ ଉପରେ ଯୌନ ଉତ୍ପୀଡ଼ନ ଓ ଯୌତୁକ ଭଳି ଅନେକ ଅଭିଯୋଗ କରିଛନ୍ତି । ଏପରିକି ପତ୍ନୀ ନିକିତା ଛାଡପତ୍ର ପାଇଁ ମାସିକ ୨ ଲକ୍ଷ ଟଙ୍କା ସହ ୩ କୋଟି ଟଙ୍କା ଦାବି କରିଥିବା ଅତୁଲ ଭିଡ଼ିଓରେ କହିଛନ୍ତି । ଏହି ଘଟଣାକୁ ନେଇ ଅତୁଲ ପତ୍ନୀଙ୍କ ସହିତ ଶ୍ୱଶୁର ଘରର ସମସ୍ତ ସମ୍ପର୍କୀୟଙ୍କୁ ଦାୟୀ କରିଛନ୍ତି ।

ଖାଲି ସେତିକି ନୁହେଁ ବିଚାରପତିଙ୍କ ଉପରେ ମଧ୍ୟ ଗମ୍ଭୀର ଅଭିଯୋଗ ଆଣିଛନ୍ତି ଅତୁଲ । ମାମଲାର ରଫାଦଫା କରିବାକୁ ଫ୍ୟାମିଲି କୋର୍ଟର ବିଚାରପତି ତାଙ୍କୁ ୫ ଲକ୍ଷ ଟଙ୍କା ମାଗିଛନ୍ତି ବୋଲି ସେ ସଙ୍ଗୀନ ଆରୋପ ଲଗାଇଛନ୍ତି । ଶୁଣାଣୀ ତାରିଖ ଦେବାକୁ ମଧ୍ୟ ତାଙ୍କୁ ଲାଞ୍ଚ ଦେବାକୁ ପଡ଼ୁଥିଲା ।

ସେ ଆହୁରି କହିଛନ୍ତି ଯେଉଁ ଟଙ୍କା ସେ ନିଜ ପାଇଁ ରୋଜଗାର କରୁଛନ୍ତି ସେହି ଟଙ୍କା କେମିତି ତାଙ୍କ ପାଇଁ ଆଜି କାଳ ସାଜିଛି । ମୋ ଟଙ୍କା ପାଇଁ ମୋତେ ହିଁ ବରବାଦ କରିଦେଇଛି । ମୋ ଟିକସ ପଇସାରେ ଏ ପୁଲିସ ଓ ସମ୍ପୂର୍ଣ୍ଣ ସିଷ୍ଟମ୍ ମୋ ପରିବାରକୁ ହଇରାଣ କରୁଛି । ଯଦି ମୁଁ ବଞ୍ଚିବି ନାହିଁ ତାହାହେଲେ ନା ଟଙ୍କା ଥିବା ନା ମୋ ବାପା-ମାଆ ଏବଂ ମୋ ଭାଇକୁ କେହି ହଇରାଣ କରିବେ ।

ନିକିତାଙ୍କ ତରଫରୁ ଅତୁଲଙ୍କ ବିରୋଧରେ ନିମ୍ନ ଅଦାଲତରେ ୬ଟି ଏବଂ ହାଇକୋର୍ଟରେ ୩ଟି ମାମଲା ରୁଜୁ କରାଯାଇଥିଲା । ନିକିତାଙ୍କ ତରଫରୁ ମାସିକ ୨ ଲକ୍ଷ ଟଙ୍କା ଦାବି କରାଯାଇଥିଲା । ସେ ଅଦାଲତଙ୍କ ନିର୍ଦ୍ଦେଶ ମୁତାବକ ଅତୁଲଙ୍କୁ ୪୦ ହଜାର ଟଙ୍କା ଦେବାକୁ ପଡୁଥିଲା। ଅତୁଲ କହିଛନ୍ତି ମାମଲାର ଶୁଣାଣୀ ପାଇଁ ତାଙ୍କୁ ଦୁଇ ବର୍ଷରେ ୧୨୦ଟି ତାରିଖ ମିଳିଛି, କିନ୍ତୁ ସମାଧାନ ହୋଇପାରିଲା ନାହିଁ । କମ୍ପାନୀରୁ ବର୍ଷକୁ ମାତ୍ର ୨୩ଟି ଛୁଟି ମିଳୁଥିବାବେଳେ କେସ୍ ପାଇଁ ସେ ୪୦ ଥର ଛୁଟି ନେଇକି ବେଙ୍ଗାଲୁରୁ ଜୌନପୁର କୋର୍ଟକୁ ଆସିଛନ୍ତି । ସେ କହିଛନ୍ତି ଯେପର୍ଯ୍ୟନ୍ତ ତାଙ୍କୁ ନ୍ୟାୟ ନ ମିଳିଛି ସେପର୍ଯ୍ୟନ୍ତ ତାଙ୍କ ଅସ୍ଥି ବିସର୍ଜନ କରିବ ନାହିଁ । ଯଦି ନ୍ୟାୟ ନ ମିଳେ ତେବେ ଅସ୍ଥିକୁ କୋର୍ଟ ବାହାରେ ଥିବା ନାଳରେ ଭସାଇ ଦେବ । ତାଙ୍କ ବୃଦ୍ଧା ବାପା-ମାଆ ଏବଂ ଭାଇକୁ ଆଉ ହଇରାଣ ନ କରିବାକୁ ସେ ଅଦାଲତକୁ ଭିଡ଼ିଓ ମାଧ୍ୟମରେ ଗୁହାରୀ କରିଛନ୍ତି ।

ଅତୁଲଙ୍କ ମାତା-ପିତା କହିଛନ୍ତି ଯେ ତାଙ୍କ ପତ୍ନୀ ଗୋଟିଏ ପରେ ଗୋଟିଏ ଅଭିଯୋଗ ଆଣୁଥିଲା । ସେ ବହୁତ ନିରାଶ ହୋଇଛି, କିନ୍ତୁ ଆମକୁ କେବେ କିଛି ଅନୁଭବ କରିବାକୁ ଦିଏନି । ଆତ୍ମହତ୍ୟା କରିବା ପୂର୍ବରୁ ତା ସାନ ଭାଇ ପାଖକୁ ଖାଲି ଏକ ମେଲ୍ ପଠାଇଥିଲା ।

Tags: