ବନ୍ଧୁ ସାଜିଲା ବଇରୀ
ବଲିଉଡ୍ର ଗ୍ଲାମର ଦୁନିଆ ପଛରେ ଅନେକ ସମୟରେ ଏମିତି କିଛି ସତ ଲୁଚି ରହିଥାଏ, ଯାହା ଶୁଣିଲେ ସମସ୍ତଙ୍କ ମନରେ ଭୟ ସୃଷ୍ଟି ହୋଇଥାଏ । ଏଭଳି ଅନେକ କ୍ରାଇମ ବି ଟାଉନରେ ଘଟିଛି ଯାହା ସାରା ଦେଶରେ ଚହଳ ପକାଇଛି । ସେହିଭଳି ଏକ ହତ୍ୟାକାଣ୍ଡ ହେଲା ଅଭିନେତ୍ରୀ ମିନାକ୍ଷୀ ମଡର କେସ ।
୨୦୧୨ ମସିହାରେ ଘଟିଥିବା ଅଭିନେତ୍ରୀ ମିନାକ୍ଷୀ ଥାପାଙ୍କ ହତ୍ୟାକାଣ୍ଡ ସେମିତି ଏକ କାହାଣୀ, ଯେଉଁଠି ନିଜର ସ୍ୱପ୍ନ ପୂରଣ କରିବାକୁ ଆସିଥିବା ଜଣେ ଯୁବତୀଙ୍କୁ ତାଙ୍କର ନିଜ ବନ୍ଧୁମାନେ ହିଁ ଅତି ନିର୍ମମ ଭାବେ ମାରିଦେଇଥିଲେ । ସୂଚନା ଅନୁସାରେ ନେପାଳର ମିନାକ୍ଷୀ ଥାପା ଡେରାଡୁନ୍ରୁ ମୁମ୍ବାଇ ଅଭିନେତ୍ରୀ ହେବାର ସ୍ୱପ୍ନ ନେଇ ଆସିଥିଲେ । କିଛିମାତ୍ରାରେ ନିଜର ସ୍ବପ୍ନ ପୂରଣ କରିବା ଦିଗରେ ମିନାକ୍ଷୀ ଆଗେଇଥିଲେ ମଧ୍ୟ । ତାଙ୍କୁ '୪୦୪' ଭଳି ଫିଲ୍ମରେ କାମ କରିବାକୁ ସୁଯୋଗ ମିଳିଥିଲା ଏହାସହିତ ମଧୁର ଭଣ୍ଡାରକରଙ୍କ ଫିଲ୍ମର ସେଟ୍ରେ ଜୁନିୟର ଆର୍ଟିଷ୍ଟ ଭାବେ କାର୍ଯ୍ୟ କରୁଥିଲେ । ଯାହା ତାଙ୍କୁ ତାଙ୍କ କ୍ୟାରିୟରରେ ଆଗକୁ ନେବ ବୋଲି ସେ ଭାବିଥିଲେ, ହେଲେ ବିଧିର ବିଧାନ ଥିଲା ଭିନ୍ନ । ଏହି ଫିଲ୍ମ ସେଟ୍ରେ ତାଙ୍କର ଦେଖା ହୋଇଥିଲା ଅମିତ ଜୟସ୍ୱାଲ ଏବଂ ପ୍ରୀତି ସୁରିନ୍ଙ୍କ ସହ । ଏହି ଦୁଇଜଣ ମଧ୍ୟ ଷ୍ଟ୍ରଗଲିଂ ଆକ୍ଟର ଥିଲେ । ମିନାକ୍ଷୀ ନିଜକୁ ଏକ ରାଜ ପରିବାରର ଝିଅ ବୋଲି ସେମାନଙ୍କ ଆଗରେ ପରିଚୟ ଦେଇଥିଲେ, ଯାହା ହିଁ ଆଗକୁ ତାଙ୍କ ପାଇଁ କାଳ ହେଲା ।
ଷଡ଼ଯନ୍ତ୍ର ଓ ଅପହରଣ
ମିନାକ୍ଷୀଙ୍କ ସାଙ୍ଗ ଅମିତ ଓ ପ୍ରୀତି ଆର୍ଥିକ ଅଭାବରେ ଥିଲେ । ମିନାକ୍ଷୀଙ୍କୁ ରାଜ ପରିବାରର ଝିଅ ଭାବି ସେମାନେ ତାଙ୍କ ପରିବାରଠାରୁ ଟଙ୍କା ହଡ଼ପ କରିବାକୁ ଯୋଜନା କରିଥିଲେ । ୧୩ ମାର୍ଚ୍ଚ ୨୦୧୨ରେ, ଏକ ଭୋଜପୁରୀ ଫିଲ୍ମର ସୁଟିଂ ବାହାନାରେ ସେମାନେ ମିନାକ୍ଷୀଙ୍କୁ ଟ୍ରେନ୍ ଯୋଗେ ଇଲାହାବାଦ ନେଇଯାଇଥିଲେ । ଏହାପରେ ୧୪ ମାର୍ଚ୍ଚ ସନ୍ଧ୍ୟାରେ ମିନାକ୍ଷୀଙ୍କୁ ପ୍ରୀତିଙ୍କ ଇଲାହାବାଦସ୍ଥିତ ଘରକୁ ନିଆଯାଇଥିଲା । ସେଠାରେ ସେମାନଙ୍କ ମିଛ ଧରାପଡ଼ିଯିବାରୁ ମିନାକ୍ଷୀଙ୍କ ସହ ଝଗଡ଼ା ହୋଇଥିଲା । ୧୫ ମାର୍ଚ୍ଚ ରାତିରେ ଅମିତ ଓ ପ୍ରୀତି ମିଶି ମିନାକ୍ଷୀଙ୍କ ଗଳା ଚିପି ହତ୍ୟା କରିଥିଲେ ଏବଂ ପରେ ଏକ ଧାରୁଆ ଅସ୍ତ୍ରରେ ତାଙ୍କ ମୁଣ୍ଡକୁ କାଟି ଶରୀରରୁ ଅଲଗା କରିଦେଇଥିଲେ । ସେମାନେ ମିନାକ୍ଷୀଙ୍କ ଶରୀରକୁ ସେହି ଘରର ସେପ୍ଟିକ ଟ୍ୟାଙ୍କରେ ଫିଙ୍ଗି ଦେଇଥିଲେ ଏବଂ କଟା ମୁଣ୍ଡକୁ ଏକ ବ୍ୟାଗରେ ଧରି ଲକ୍ଷ୍ନୌ ଯାଇଥିଲେ ଏବଂ ବାଟରେ ଚଳନ୍ତା ଟ୍ରେନ୍ରୁ ଜଙ୍ଗଲ ଭିତରକୁ ଏହାକୁ ଫିଙ୍ଗି ଦେଇଥିଲେ ।
ପୋଲିସ ତଦନ୍ତ
ହତ୍ୟା କରିବା ପରେ ମଧ୍ୟ ଅଭିଯୁକ୍ତମାନେ ମିନାକ୍ଷୀଙ୍କ ମା'ଙ୍କୁ ୧୫ ଲକ୍ଷ ଟଙ୍କା ମାଗିଥିଲେ । ମିନାକ୍ଷୀଙ୍କ ଭାଇ ୬୦ ହଜାର ଟଙ୍କା ମଧ୍ୟ ପଠାଇଥିଲେ । ଏହାପରେ ମିନାକ୍ଷୀଙ୍କ ଭାଇ ମୁମ୍ବାଇ ଆସି କ୍ରାଇମ୍ ବ୍ରାଞ୍ଚର ସାହାଯ୍ୟ ନେଇଥିଲେ । ପୋଲିସ ମିନାକ୍ଷୀଙ୍କ ସିମ୍ କାର୍ଡ ଟ୍ରେସ୍ କରି ବାନ୍ଦ୍ରାରୁ ଅମିତ ଓ ପ୍ରୀତିଙ୍କୁ ଗିରଫ କରିଥିଲା । ପୋଲିସ ଜେରା ଆଗରେ ସେମାନେ ନିଜର ଅପରାଧ ସ୍ୱୀକାର କରିଥିଲେ । ମିନାକ୍ଷୀଙ୍କ ମୁଣ୍ଡ ନଥିବା ଶବ ଟ୍ୟାଙ୍କରରୁ ମିଳିଥିଲେ ବି ତାଙ୍କ ମୁଣ୍ଡ ମିଳିନଥିଲା ।
ଦଣ୍ଡବିଧାନ
ଦୀର୍ଘ ୬ ବର୍ଷର ବିଚାର ପରେ ୨୦୧୮ ମସିହାରେ ମୁମ୍ବାଇ ସେସନ୍ସ କୋର୍ଟ ଅମିତ ଜୟସ୍ୱାଲ ଏବଂ ପ୍ରୀତି ସୁରିନ୍ଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ଶୁଣାଇଥିଲେ । ଯାହାପରେ ମିନାକ୍ଷୀଙ୍କୁ ନ୍ୟାୟ ମିଳିଥିଲା ବୋଲି ତାଙ୍କ ପରିବାର ମତ ବ୍ୟକ୍ତ କରିଥିଲେ ।



