ମାହାଙ୍ଗା ନାବାଳିକା ମୃତ୍ୟୁ ମାମଲା,ନେତାଙ୍କ ସହ ଖେଳ ଶିକ୍ଷକ ଗିରଫ
କଟକ : ମାହାଙ୍ଗା ନାବାଳିକା ମୃତ୍ୟୁ ଗଠଟାଣରେ ୨ ଗିରଫ I ନିଲମ୍ବିତ ବିଜେଡି ନେତା ଶରତ ନାୟକ ଗିରଫଙ୍କ ସହିତ ଖେଳ ଶିକ୍ଷକ ଅନୁପମ ରାୟଙ୍କୁ ଗିରଫ କରିଛି ମାହାଙ୍ଗା ଥାନା ପୋଲିସ I ପ୍ରମାଣ ନଷ୍ଟ କରିବା, ତଥ୍ୟ ଲୁଚାଇବା, ଜାଣିଶୁଣି ସରକାରୀ ଅଧିକାରୀଙ୍କୁ ମିଛ ତଥ୍ୟ ଦେବା, ନାବାଳିକାକୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଭଳି ବିଭିନ୍ନ ଦଫା ଲଗାଇ ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି । ଗିରଫ ନେଇ କଟକ ଗ୍ରାମାଞ୍ଚଳ […]
କଟକ : ମାହାଙ୍ଗା ନାବାଳିକା ମୃତ୍ୟୁ ଗଠଟାଣରେ ୨ ଗିରଫ I ନିଲମ୍ବିତ ବିଜେଡି ନେତା ଶରତ ନାୟକ ଗିରଫଙ୍କ ସହିତ ଖେଳ ଶିକ୍ଷକ ଅନୁପମ ରାୟଙ୍କୁ ଗିରଫ କରିଛି ମାହାଙ୍ଗା ଥାନା ପୋଲିସ I ପ୍ରମାଣ ନଷ୍ଟ କରିବା, ତଥ୍ୟ ଲୁଚାଇବା, ଜାଣିଶୁଣି ସରକାରୀ ଅଧିକାରୀଙ୍କୁ ମିଛ ତଥ୍ୟ ଦେବା, ନାବାଳିକାକୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଭଳି ବିଭିନ୍ନ ଦଫା ଲଗାଇ ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି । ଗିରଫ ନେଇ କଟକ ଗ୍ରାମାଞ୍ଚଳ ଏସ୍ପି ମିହିର ପଣ୍ଡା ସୂଚନା ଦେଇଛନ୍ତି । ନାବାଳିକା ମୃତ୍ୟୁର ୨ ମାସ ପରେ ଭାଇରାଲ ହୋଇଥିବା ଏକ ଅଡିଓ କ୍ଲିପ ଏହି ଘଟଣାକୁ ପଦାରେ ପକାଇଥିଲା I
ଗତ ଜୁନ ମାସ ୧୮ ତାରିଖରେ ନାବାଳିକାଙ୍କର ମୃତ୍ୟୁ ହୋଇଥିଲା I ଝିଅ ବାତ ରୋଗରେ ମରିଗଲା ବୋଲି ପୋଲିସକୁ କହିଥିଲେ ଝିଅର ବାପା I କିନ୍ତୁ କଟକ ଗ୍ରାମାଞ୍ଚଳ ଏସପି ଅନୁସନ୍ଧାନ କରି,ଝିଅ ତାଙ୍କ ମାର ଶାଢୀରେ ଆତ୍ମହତ୍ୟା କରିଛନ୍ତି ବୋଲି ଜାଣିବାକୁ ପାଇଥିଲେ । ସେହିପରି ପୁଲିସକୁ ନ ଜଣାଇ ଶବ ପୋଡ଼ିବା ନିଷ୍ପତ୍ତି ଝିଅର ବାପାଙ୍କର ଥିଲା ବୋଲି ପୋଲିସ ସ୍ପଷ୍ଟ କରିଛି । ତେବେ କାହା ଚାପରେ ଝିଅର ବାପା ଝିଅର ମୃତ୍ୟୁ ଖବରକୁ ଭିନ୍ନ ଦିଗ ଦେବାକୁ ପ୍ରୟାସ କରିଥିଲେ । ସେହିପରି ସ୍ଥାନୀୟ ପୁଲିସ ବିରୋଧରେ ଏ ଘଟଣାରେ ଗ୍ରାମାଞ୍ଚଳ ପୋଲିସ ଏଯାବତ ନୀରବ ରହିଛି । ଯଦିଓ ଏସ୍ପି କହିଛନ୍ତି, ଏହି ଆତ୍ମହତ୍ୟା ଘଟଣାକୁ ନେଇ ମାହାଙ୍ଗା ଥାନାରେ ନାବାଳିକା ଛାତ୍ରୀ ଆତ୍ମହତ୍ୟା କରିବାର ପରଦିନ ଅର୍ଥାତ୍ ଜୁନ୍ ୧୯ ତାରିଖରେ ଷ୍ଟେସନ୍ ଡାଏରି କରାଯାଇଥିଲା ।
ଏହି ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ପୁଲିସ ତଦନ୍ତ ଆରମ୍ଭ କରିଥିଲା ଏବଂ ମାମଲାର ଖୋଳତାଡ଼ କରିଥିଲା। ଶରତ, କ୍ରୀଡ଼ା ଶିକ୍ଷକ ଅନୁପମ ରାୟ ଓ ତାଙ୍କ ମା’ଙ୍କୁ ପଚରାଉଚରା ପରେ ସେମାନଙ୍କ ବୟାନ ରେକର୍ଡ କରିଥିଲା। ଆତ୍ମହତ୍ୟା ପାଇଁ ପରିସ୍ଥିତି ସୃଷ୍ଟି କରିବା ନେଇ ଅନୁପମଙ୍କୁ ଗିରଫ କରାଯାଇଥିବା କୁହାଯାଉଛି । ଆତ୍ମହତ୍ୟା ପରେ ପ୍ରମାଣ ନଷ୍ଟ ଅଭିଯୋଗରେ ଶରତଙ୍କୁ ଗିରଫ କରାଯାଇଛି । ଶରତଙ୍କ ଅଡିଓ ଭାଇରାଲ ହେବା ପରେ ହଇଚଇ ହୋଇଥିଲା । ପିଇଟି ଶିକ୍ଷକଙ୍କ ମା’ଙ୍କ ସହ କଥାବାର୍ତ୍ତା ବି ଭାଇରାଲ ହୋଇଥିଲା । ଫୋନ୍ରେ ୭୦ ହଜାର ଦେବାକୁ ଅନୁପମଙ୍କ ମା’ଙ୍କୁ କହିଥିଲେ ଶରତ । ମାମଲା ରଫାଦଫା ପାଇଁ ପୋଲିସକୁ ଟଙ୍କା ଦେବାକୁ ବି କହିଥିଲେ । ଅଡିଓ ଭାଇରାଲ ପରେ ଶରତଙ୍କୁ ଦଳରୁ ନିଲମ୍ବିତ କରିଥିଲା ବିଜେଡି । ଆଉ ଶେଷରେ ଆଜି ଉଭୟ ଶରତ ଓ ଅନୁପମଙ୍କୁ ମାହାଙ୍ଗା ଥାନା ପୁଲିସ ଗିରଫ କରିଛି ବୋଲି ସୂଚନା ଦିଆଯାଇଛି।




