ଆମେରିକା: ଲୁହା ଛୁରୀ, ପିତ୍ତଳ ଛୁରୀ ଓ ଷ୍ଟିଲ୍ ଛୁରୀର ଧାରୁଆ ଧାର ବିଷୟରେ ଜାଣିଥିବେ । ହେଲେ ଧାରୁଆ କାଠ ଛୁରୀ ବିଷୟରେ କେବେ ଶୁଣିଛନ୍ତି । ବୈଜ୍ଞାନିକମାନେ କାଠରୁ ଏକ ଧାରୁଆ ଛୁରୀ ତିଆରି କରିଛନ୍ତି, ଯାହା ଷ୍ଟିଲ୍ ଛୁରୀଠାରୁ ୩ ଗୁଣ ଧାରୁଆ । କାଠକୁ ଏକ ବିଶେଷ ଉପାୟରେ ସଙ୍କୁଚିତ କରି ବୈଜ୍ଞାନିକମାନେ ଏହି ଛୁରୀ ପ୍ରସ୍ତୁତ କରିଛନ୍ତି ।
ଆମେରିକାର ମେରିଲ୍ୟାଣ୍ଡ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀମାନେ ଦାବି କରିଛନ୍ତି ଯେ, ଏଥିରେ ଆମିଷ ଜାତୀୟ ଖାଦ୍ୟକୁ ଲହୁଣି ଭଳି କଟାଯାଇପାରିବ । ଏହାକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଏକ କାଠକୁ ଏକ ବିଶେଷ ପ୍ରକାରର ରାସାୟନିକ ପଦାର୍ଥରେ ରଖି ଶୁଷ୍କ କରାଗଲା । ପରେ କାଠକୁ ସଙ୍କୁଚିତ କରାଗଲା । ଏହାଦ୍ୱାରା କାଠରୁ ପାଣି ବାହାର ହେବା ପରେ ଏହା କଠିନ ହେଲା । ଏହାପରେ ସେହି ଶୁଷ୍କ କଠିନ କାଠରୁ ଏକ ଛୁରୀ ତିଆରି କରାଯାଇଛି । ଉକ୍ତ ଉପାୟରେ ପ୍ରସ୍ତୁତ କାଠ ସାଧାରଣ ଅପେକ୍ଷା ୨୩ ଗୁଣ ଅଧିକ ମଜବୁତ ହୋଇଥାଏ । କାଠ ଛୁରୀ ମାର୍କେଟରେ ଉପଲବ୍ଧ ଷ୍ଟିଲ୍ କିମ୍ବା ସେରୋମିକ୍ ଛୁରୀ ପରି କଠିନ । ଏହି ଛୁରୀ ବଜାରକୁ କେବେ ଆସିବ ଏପର୍ଯ୍ୟନ୍ତ ବୈଜ୍ଞାନିକମାନେ ଏହା ଉପରେ କୌଣସି ସୂଚନା ଦେଇନାହାନ୍ତି । ମ୍ୟାଟର୍ ପତ୍ରିକାରେ ପ୍ରକାଶିତ ରିସର୍ଚ୍ଚ ଅନୁଯାୟୀ, ଏହି ଛୁରୀର କେବଳ ଧାର ଧାରୁଆ ନୁହେଁ ବରଂ ଏହା ଧୂଳି ପ୍ରତିରୋଧକ ମଧ୍ୟ । ଅର୍ଥାତ୍ ଧୂଳି ଏଥିରେ ଲାଗି ନଥାଏ, ଯାହାଦ୍ୱାରା ସଂକ୍ରମଣର ଆଶଙ୍କା କମ୍ ରହିଥାଏ ।

Comments are closed.