ସାଧାରଣ ଜୀବନକୁ ଫେରିଲେ ମୋଗଲୀ

ଆଫ୍ରିକା: ଆଫ୍ରିକୀୟ ଦେଶ ରୱାଣ୍ଡାର ଜଞ୍ଜିମନ ଏଲି ନାମକ ଜଣେ ଯୁବକଙ୍କ କାହାଣୀ ଏବେ ସାରା ବିଶ୍ୱରେ ଚର୍ଚ୍ଚାରେ ରହିଛି । ଜଞ୍ଜିମନ ରିୟଲ ଲାଇଫ୍‌ ମୋଗଲୀ ନାମରେ ପରିଚିତ । ପିଲାଟିବେଳୁ ସେ ମନୁଷ୍ୟଙ୍କ ପାଖରେ ରହିବା ବଦଳରେ ପଶୁମାନଙ୍କ ସହ ରହୁଥିଲେ । ଦୀର୍ଘ ବର୍ଷ ଧରି ପଶୁ ଏବଂ ଜଙ୍ଗଲରେ ରହିବା କାରଣରୁ ତାଙ୍କର ବ୍ୟବହାର ମଣିଷଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ ରହିଥିଲା । ହେଲେ ଏବେ ଧୀରେଧୀରେ ଜଞ୍ଜିମନ ସାଧାରଣ ଜୀବନକୁ ଫେରିବାରେ ଲାଗିଲେଣି । କେବଳ ସେତିକି ନୁହେଁ ଅନ୍ୟ ପିଲାଙ୍କ ସହ ସ୍କୁଲ ମଧ୍ୟ ଯାଉଛନ୍ତି ।

ସାଧାରଣ ଜୀବନକୁ ଫେରିଲେ ମୋଗଲୀ

ଏକ ଗଣମାଧ୍ୟମର ଖବର ଅନୁଯାୟୀ, ଜଞ୍ଜିମନ ଏଲିଙ୍କ ଜନ୍ମ ୧୯୯୯ ମସିହାରେ ହୋଇଥିଲା । ଜନ୍ମରୁ ସେ ମାଇକ୍ରୋସେଫଲି ରୋଗରେ ପୀଡ଼ିତ ଥିଲେ । ଏହି ରୋଗ ଯୋଗୁଁ ତାଙ୍କର ଚେହେରା ବିକୃତ ହେବାରେ ଲାଗିଥିଲା ଏବଂ ମୁଣ୍ଡ ଶରୀର ଅପେକ୍ଷା ବହୁତ ଛୋଟ ହୋଇଗଲା । ବଡ଼ ହେବା ପରେ ଜଞ୍ଜିମନଙ୍କ ଚେହେରା ଆହୁରି ଅଧିକ ଖରାପ ଦେଖାଗଲା । ଏହାକୁ ନେଇ ଲୋକମାନେ ତାଙ୍କୁ ବାରମ୍ବାର ଅପମାନିତ କରିବାରୁ ସେ ଘର ଛାଡ଼ି ଜଙ୍ଗଲରେ ରହିବାକୁ ଲାଗିଲେ । ସେ ଜଙ୍ଗଲରେ ଅଧିକାଂଶ ଦିନ କାଟିଲେ । ପରିବାର ଲୋକଙ୍କ କହିବା ସତ୍ତେ୍ୱ ସେ ଜଙ୍ଗଲ ଛାଡ଼ି ଆସିନଥିଲେ । ଛୋଟ ବେଳୁ ହିଁ ଜଙ୍ଗଲରେ ପଶୁମାନଙ୍କ ମଧ୍ୟରେ ରହିବା ଜଞ୍ଜିମନଙ୍କ ପସନ୍ଦ ଥିଲା ।

ସାଧାରଣ ଜୀବନକୁ ଫେରିଲେ ମୋଗଲୀ

ଦୀର୍ଘ ବର୍ଷ ଧରି ଜଙ୍ଗଲରେ ରହିବା କାରଣରୁ ଲୋକମାନେ ତାକୁ ମୋଗଲୀ କହି ସମ୍ବୋଧନ କଲେ । ଧୀରେଧୀରେ ଏହି ଖବର ପ୍ରଚାର ହେବା ପରେ ତାଙ୍କୁ ଲୋକମାନେ ଏବଂ କେତେକ ସଂସ୍ଥା ଘରକୁ ଆଣିବା ପାଇଁ ପ୍ରୟାସ ଆରମ୍ଭ କଲେ । ଆଫ୍ରିମ୍ୟାକ୍ସ ଟିଭି ପକ୍ଷରୁ ଏକ ଅଭିଯାନ ଆରମ୍ଭ ହେଲା, ଯାହା ଦ୍ୱାରା ଲୋକମାନେ ଜଞ୍ଜିମନଙ୍କ ପାଠପଢ଼ା ଏବଂ ଚିକିତ୍ସା ପାଇଁ ଆର୍ଥିକ ସହାୟତା କଲେ । ସେହି ଅର୍ଥରେ ଜଞ୍ଜିମନ ଏବଂ ତାଙ୍କ ମା ପରିବାର ସହ ଆରାମରେ ଜୀବନ ବିତାଇପାରିବେ । ସ୍ଥାନୀୟ ନୁ୍ୟଜ ଚ୍ୟାନେଲ ଅନୁଯାୟୀ, ବର୍ତ୍ତମାନ ଜଞ୍ଜିମନ ଏଲି ଦାନରୁ ଜମା ହୋଇଥିବା ଟଙ୍କା ସାହାଯ୍ୟରେ ସାଧାରଣ ଜୀବନଯାପନ କରିବାକୁ ଯାଉଛନ୍ତି । ତାଙ୍କର ଏକ ସ୍କୁଲରେ ଆଡମିସନ କରାଯାଇଛି । ଅନ୍ୟ ପିଲାଙ୍କ ପରି ୟୁନିଫର୍ମ ପିନ୍ଧି ସ୍କୁଲ ଯାଉଛନ୍ତି । ଆଉ ଜଙ୍ଗଲରେ ନରହି ଘରେ ରହୁଛନ୍ତି । ଗତ ବର୍ଷ ଜଞ୍ଜିମନଙ୍କ ଜୀବନୀ ଉପରେ ଏକ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାଣ କରାଯାଇଛି ।

Comments are closed.