ଇସ୍ରାଏଲ: ଡିସେମ୍ବର ୦୩: ଇସ୍ରାଏଲର‘ତେଲ୍ ଅଭିଭ’ ବାସଉପଯୋଗୀ ରୂପେ ଦୁନିଆର ସବୁଠୁ ଦାମୀ ସହରରେ ପରିଣତ ହୋଇଛି । ତେଲ୍ ଅଭିଭ ସହର ସର୍ବଦା ମହଙ୍ଗା ସହରର ତାଲିକାର ଶୀର୍ଷରେ ରହୁଥିବା ସିଙ୍ଗାପୁର, ଲଣ୍ଡନ ଏବଂ ହଂକଂ ପରି ସହରଗୁଡିକୁ ପଛରେ ପକାଇ ଦେଇଛି । ବୁଧବାର ଏକ ଗ୍ଲୋବାଲ୍ ସର୍ଭେ ଇକୋନୋମିକ୍ ଇଣ୍ଟେଲିଜେନ୍ସ ୟୁନିଟ୍ (ଇଆଇୟୁ)ରେ ଏହି ଫଳାଫଳ ପ୍ରକାଶ ପାଇଛି ।
ତେବେ ପ୍ରଥମ ଥର ପାଇଁ ତେଲ୍ ଅଭିଭ ଦୁନିଆର ସବୁଠୁ ଦାମୀ ସହର ହୋଇଛି । ଏହାପୂର୍ବରୁ ଏହି ସହର ଶ୍ରେଷ୍ଠ ପାଞ୍ଚରେ ରହିଆସୁଥିଲା । ସେପଟେ ଭାରତର କୌଣସି ସହର ଟପ୍ ୧୦ ଲିଷ୍ଟରେ ଅନ୍ତର୍ଭୁକ୍ତ ହୋଇନାହିଁ । ସର୍ଭେ ତାଲିକାରେ ଦୁନିଆର ମୋଟ ୧୭୩ଟି ସହରକୁ ସ୍ଥାନିତ କରାଯାଇଥିଲା । ଏ ହେଉଛି ସେହି ସହର, ଯେଉଁଠାରେ ବସବାସରେ ପ୍ରତ୍ୟେକ କ୍ଷେତ୍ରରେ ମହଙ୍ଗା ବୋଲି ବିବେଚନା କରାଯାଏ ।
ଏହା ବିଶ୍ୱବ୍ୟାପୀ ମୂଲ୍ୟ ନିର୍ଦ୍ଧାରଣ ସୂଚକାଙ୍କ ଆଧାରରେ ନିର୍ଣ୍ଣୟ କରାଯାଏ । ସର୍ବପ୍ରଥମେ ଦେଖାଯାଏ ଯେ ଆମେରିକୀୟ ଡଲାର ତୁଳନାରେ ସେଠାରେ ସ୍ଥାନୀୟ ମୁଦ୍ରାର ମୂଲ୍ୟ କେତେ ରହିଛି । ଏଥିସହ ସେଠାରେ ସ୍ଥାନୀୟ ପରିବହନ ଏବଂ ଖାଦ୍ୟ ସାମଗ୍ରୀର ହାର ସମ୍ପର୍କରେ ମଧ୍ୟ ସର୍ଭେ କରାଯାଇଥାଏ । ଟପ୍ ଦାମୀ ସହର ତାଲିକାର ଦ୍ୱିତୀୟ ସ୍ଥାନରେ ପ୍ୟାରିସ, ସିଙ୍ଗାପୁର ଏବଂ ଜୁରିଖ, ହଂକଂ ତୃତୀୟ ସ୍ଥାନରେ ରହିଛି । ଚଳିତ ସର୍ଭେ ଅନୁଯାୟୀ ନୁ୍ୟୟର୍କର ନାମ ମଧ୍ୟ ତେଲ୍ ଅଭିଭ ପରେ ସିଧାସଳଖ ୬ ନମ୍ବରରେ ରହିଛି । ଏହା ପରେ ଜେନେଭା, ଲସ୍ ଏଞ୍ଜେଲସ୍ ଏବଂ ଓସାକା ରହିଛି । ଗତ ବର୍ଷ ପ୍ୟାରିସ୍, ଜୁରିଖ୍ ଏବଂ ହଂକକୁ ପ୍ରଥମ ସ୍ଥାନରେ ରଖାଯାଇଥିଲା ।
ସର୍ବେକ୍ଷଣ ଅନୁଯାୟୀ, ସିରିଆର ଦମିଶକ ଦୁନିଆର ସବୁଠାରୁ ଶସ୍ତା ସହର ହୋଇଛି । ଇଆଇୟୁ ବର୍ଷକୁ ଦୁଇଥର ସର୍ଭେ କରିଥାଏ । ଏହି ଅବସରରେ ୪୦୦ ବ୍ୟକ୍ତିଗତ ଆବଶ୍ୟକତା ଏବଂ ୨୦୦ ଗୁରୁତ୍ୱପୂର୍ଣ୍ଣ ଉତ୍ପାଦନର ଦାମକୁ ଧ୍ୟାନରେ ରଖିଥାଏ ।
ଏହି ହାରଗୁଡିକ ଡଲାରରେ ଗଣନା କରାଯାଏ । ଏହି ସର୍ଭେ ପାଇଁ ଅଗଷ୍ଟ ଏବଂ ସେପେଫମ୍ବର ପାଇଁ ଇଆଇୟୁ ବଜାର ତଥ୍ୟ ସଂଗ୍ରହ କରିଥିଲା । ଅନ୍ୟ ସହର ତୁଳନାରେ ତେଲ୍ ଅଭିଭରେ ଉତ୍ପାଦ ଏବଂ ଆତିଥ୍ୟ ହାର ୩.୫% ବୃଦ୍ଧି ପାଇଛି । ଯେରୁଶେଲମ ଇସ୍ରାଏଲର ରାଜଧାନୀ ହୋଇଥିଲେ ମଧ୍ୟ ପାଲେଷ୍ଟାଇନ ସହ ବିବାଦ ଚାଲିଥିବାରୁ ତାହା ସଙ୍କଟ ସ୍ଥିତି ଦେଇ ଗତିକରୁଛି । ଏପରି ସ୍ଥିତିରେ ତେଲ୍ ଅଭିଭ ସହରରେ ଅନ୍ୟ ଦେଶର ଦୂତବାସ ରହିଛି । ତେଲ୍ ଅଭିଭର ସ୍ଥାନୀୟ ମୁଦ୍ରା ହେଉଛି ଶେକେଲ ।

Comments are closed.