ବେଜିଂ : ଭାରତ ଏବଂ ଚୀନ ମଧ୍ୟରେ ସୀମା ବିବାଦ ଥମିବାର ନାଁ ନେଉନାହିଁ । ଆର୍ଥିକ ସ୍ଥିତି ବି ବେଶ ସଙ୍ଗୀନ ରହିଛି । ତେବେ ଏହାରି ମଧ୍ୟରେ କ୍ରିକେଟ ମଇଦାନରେ ଦୁଇ ଦେଶ ଏକାଠି ନଜର ଆସିପାରନ୍ତି । ଭାରତ ବର୍ତ୍ତମାନ ଚୀନକୁ କ୍ରିକେଟ ଖେଳ ଶିଖାଇବ । ଏଥିପାଇଁ ଉଭୟ ଦେଶ ରାଜି ମଧ୍ୟ ହୋଇଛନ୍ତି । ଚୀନର କାଉନସିଲ ଜେନେରାଲଙ୍କ ଦ୍ୱାରା ବେଙ୍ଗଲ କ୍ରିକେଟ ଆସୋସିଏସନକୁ ଗୋଟିଏ ପ୍ରସ୍ତାବ ଦିଆଯାଇଛି । ଏଥିରେ ଚୀନରେ କ୍ରିକେଟକୁ ଆଗକୁ ବଢାଇବା ପାଇଁ ସହଯୋଗ ଲୋଡାଯାଇଛ ।
ଖବର ସରବରାହ ସଂସ୍ଥା ଏଏନଆଇର ତଥ୍ୟ ଅନୁସାରେ, ଚୀନର ତିନି ଅଧିକାରୀ ବେଙ୍ଗଲ କ୍ରିକେଟ ଆସୋସିଏସନର ଅଧ୍ୟକ୍ଷ ଅଭିଶେଖ ଡାଲମିଆଙ୍କୁ ସାକ୍ଷାତ କରିଛନ୍ତି । ଏହି ସମୟରେ କ୍ରିକେଟ ବାବଦରେ ଜାଣିବା ସହ ସେମାନେ ନିଜ ଦେଶରେ କ୍ରିକେଟକୁ କେମିତି ଆଗକୁ ନିଆଯାଇ ପାରିବ ସେନେଇ ସହଯୋଗ ଲୋଡିଥିଲେ ।
ଅଭିଶେଖ ଡାଲମିଆ ଏହି ସାକ୍ଷାତକୁ ନେଇ କହିଛନ୍ତି, ଚୀନ ପ୍ରତିନିଧିମଣ୍ଡଳୀ ଆମ ସହିତ ସାକ୍ଷାତ କରିଛନ୍ତି । ଚୀନର ଚଙ୍ଗକ୍ୟୁଙ୍ଗ ସହରରେ କ୍ରିକେଟର ସୁବିଧା ସୁଯୋଗ ଯୋଗାଇଦେବାକୁ ସେମାନେ କହିଛନ୍ତି । ସେଠାରେ କ୍ରିକେଟକୁ ଆଗକୁ ବଢାଇବାକୁ ସେମାନେ ଇଚ୍ଛୁକ ଅଛନ୍ତି, ଆମେ ତାଙ୍କୁ ଭରସା ଦେଇଛୁ । ଏହା ଭଲ କଥା ଯେ ଚୀନ ମଧ୍ୟ କ୍ରିକେଟକୁ ପସନ୍ଦ କରୁଛି ।
ସିଏବି ଚେୟାରମ୍ୟାନ କହିଛନ୍ତି, ଆମେ ଏହା ପୂର୍ବରୁ ଭୁଟାନ କ୍ରିକେଟ, ବାଂଲାଦେଶ କ୍ରିକେଟ ବୋର୍ଡକୁ ସହଯୋଗ କରିଛୁ । ତାଙ୍କ ସହ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ କରିଛୁ । ସେମାନେ ଚାହୁଁଛନ୍ତି ନୂଆ ଖେଳାଳିଙ୍କୁ ବିଭିନ୍ନ ପ୍ରକାରରେ ସୁଯୋଗ ମିଳୁ । ଆମେ ସେମାନଙ୍କୁ କହିଛୁ ତାଙ୍କ କୋଚ ଏଠାରେ ଆସି ଟ୍ରେନିଂ ନେଇପାରିବେ ।
ଚୀନ ତରଫରୁ ବେଙ୍ଗଲ କ୍ରିକେଟ ଆସୋସିଏସକୁ ଯେଉଁ ପ୍ରସ୍ତାବ ଦିଆଯାଇଛି ସେଥିରେ ଚଙ୍ଗକୁ୍ୟଙ୍ଗ ସହରରେ କ୍ରିକେଟ ସୁବିଧା ଉପଲବ୍ଧ କରିବା ପାଇଁ ସହଯୋଗ ଲୋଡାଯାଇଛି । ଏହି ଆଧାରରେ ଏକ ଚୁକ୍ତି ସ୍ୱାକ୍ଷର ହେବ । ଚୁକ୍ତି ଶେଷ ହେବା ପରେ କ୍ରିକେଟ ଖେଳାଳି, କୋଚ ଟ୍ରେନିଂ ପାଇଁ କୋଲକତା ଆସିପାରିବେ । ସେହିଭଳି କିଛି ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ ଏବଂ ଟୁର୍ଣ୍ଣାମେଣ୍ଟ କରି ଅଭ୍ୟାସ କରାଯିବ । ତେବେ ବର୍ତ୍ତମାନ ସୁଦ୍ଧା ଏହା କେବେ ହେବ ତାହା ସ୍ପଷ୍ଟ ହୋଇନାହିଁ ।

Comments are closed.