ଓଡ଼ିଶାରେ ଏଭଳି ଅନେକ ସାମଗ୍ରୀ ରହିଛି ଯେଉଁଗୁଡିକୁ ଜିଆଇ ଟ୍ୟାଗ୍ ମିଳିଛି । ସେଗୁଡିକ ଓଡ଼ିଶାର ବିଭିନ୍ନ ଅଞ୍ଚଳର ସାମଗ୍ରୀ । ଓଡ଼ିଶାର ଅନେକ ନିଜସ୍ୱ ସାମଗ୍ରୀ ରହିଛି ଯାହାକୁ କିଛି ନିର୍ଦ୍ଧିଷ୍ଟ ଅଞ୍ଚଳର ଲୋକମାନେ ପ୍ରସ୍ତୁତ କରିଥାଆନ୍ତି । ଏହି ସାମଗ୍ରୀକୁ ତିଆରି କରିବାରେ ସେମାନେ ନିଜର ଅନେକ ଅଭିଜ୍ଞତାର ବ୍ୟବହାର କରିଥାଆନ୍ତି, ଯାହା ଏହି ସାମଗ୍ରୀକୁ ସ୍ୱତନ୍ତ୍ର କରିଥାଏ । ଓଡ଼ିଶାର ପାଖାପାଖି ୧୭ଟି ଜିଆଇ ପ୍ରାପ୍ତ ସାମଗ୍ରୀ ରହିଛି । ଯେଉଁ ଗୁଡିକ ସମସ୍ତ ନ୍ୟାୟିକ ପ୍ରକ୍ରିୟା ପରେ ଓଡ଼ିଶାର ହୋଇଛି । ଆସନ୍ତୁ ସେହି ସାମଗ୍ରୀ ସମ୍ପର୍କରେ ଜାଣିବା ।
କୋଟପାଡ ହସ୍ତତନ୍ତ
କୋରାପୁଟ ଜିଲ୍ଲାର କୋଟପାଡ ଗାଁର ଏହା ହେଉଛି ସ୍ୱତନ୍ତ୍ର ହସ୍ତତନ୍ତ, ଯାହାକୁ ଜିଆଇ ଟ୍ୟାଗ୍ ମିଳିଛି । ଏହି ହସ୍ତତନ୍ତକୁ ୨୦୦୫ ମସିହାରେ ଜିଆଇ ଟ୍ୟାଗ ମିଳିଥିଲା, ଏହାର ଜିଆଇ ଟ୍ୟାଗ୍ ଦରଖାସ୍ତର ସଂଖ୍ୟା ରହିଛି ୧୦ ନମ୍ବର । କୋଟପାଡ ହସ୍ତତନ୍ତ ଏହି ଜିଲ୍ଲା ଓ ଗାଁକୁ ଦେଇଥାଏ ଏକ ସ୍ୱତନ୍ତ୍ର ପରିଚୟ । ଏହି ଗ୍ରାମର ଲୋକମାନେ ଖୁବ ପରିଶ୍ରମ କରି ନିଜ ହାତରେ ଏହି ଶାଢୀକୁ ବୁଣିଥାଆନ୍ତି । ଏହି ତନ୍ତର ରଙ୍ଗ ପ୍ରାକୃତିକ ପଦାର୍ଥରୁ ପ୍ରସ୍ତୁତ କରାଯାଇଥାଏ । ଏହି ଅଞ୍ଚଳରେ ଏକ ପ୍ରକାର ସ୍ୱତନ୍ତ୍ର ଗଛ ରହିଛି ଯେଉଁଥିରୁ ସେମାନେ ଏହି ରଙ୍ଗ ପ୍ରସ୍ତୁତ କରିଥାଆନ୍ତି । ଏହା ହେଉଛି ଓଡ଼ିଶାର ପ୍ରଥମ ସାମଗ୍ରୀ ଯାହା ଜିଆଇ ଟ୍ୟାଗ୍ ପାଇବାରେ ସଫଳ ହୋଇଥିଲା । ଏହି ହସ୍ତତନ୍ତର ଚାହିଦା ସମଗ୍ର ଭାରତ ସହିତ ବିଦେଶରେ ମଧ୍ୟ ରହିଛି ।
ଓଡ଼ିଶା ଇକାତ୍
ଓଡ଼ିଶା ଇକାତ ବା ବନ୍ଧକଳା ଶାଢୀକୁ ମଧ୍ୟ ମିଳିଛି ଜିଆଇ ଟ୍ୟାଗ୍ । ଏହି ଶାଢୀକୁ ୨୦୦୬ରେ ଜିଆଇ ଟ୍ୟାଗ୍ ପ୍ରାପ୍ତ ହୋଇଥିଲା । ଏହାକୁ ଓଡ଼ିଶାର ହସ୍ତତନ୍ତ ଶିଳ୍ପୀମାନେ ଖୁବ ପରିଶ୍ରମ କରି ନିର୍ମାଣ କରନ୍ତି । ଏହାକୁ ହାତରେ ବୁଣା ଯିବାସହ ଶୁଖା ମଧ୍ୟ ଯାଇଥାଏ । ଏହାର ବିଭିନ୍ନ ପ୍ରକାର ଯେପରି ସମ୍ବଲପୁରୀ, ଖଣ୍ଡୁଆ,ପଶାପାଲି, ମଣିବନ୍ଧ ଆଦି ରହିଛି । ଏହାର ଆବେଦନ ପତ୍ର ସଂଖ୍ୟା ରହିଥିଲା ୨୨, ଯାହା ବିଭିନ୍ନ ତଦନ୍ତକୁ ପାର କରି ଜିଆଇ ଟ୍ୟାଗ ପାଇବାରେ ସକ୍ଷମ ହୋଇଥିଲା ।
କୋଣାର୍କ ପଥର ଖୋଦେଇ
ବିଶ୍ୱର ସପ୍ତମ ଆଶ୍ଚର୍ଯ୍ୟରେ ସାମିଲ ରହିଛି କୋଣାର୍କ ମନ୍ଦିର । ଏହାର ପଥର ଖୋଦେଇ ପ୍ରତିଦିନ ଅନେକ ଦର୍ଶକଙ୍କୁ ଆକୃଷ୍ଠ କରିଥାଏ । ତେବେ ଏହି ପଥର ଖୋଦେଇର ଜିଆଇ ଟ୍ୟାଗ ମଧ୍ୟ ରହିଛି ଓଡ଼ିଶା ପାଖରେ । ୨୦୦୮ ମସିହାରେ ଏହି କାମକୁ ଜିଆଇ ଟ୍ୟାଗ ମିଳିଥିଲା । ଏହି ମନ୍ଦିରଟି ଓଡ଼ିଶାର ଶିଳ୍ପୀଙ୍କର ନିଖୁଣ କାର୍ଯ୍ୟଶୈଳୀର ଉଦାହରଣ ଦେଇଥାଏ । ଏହି ମନ୍ଦିରଟି ଖୁବ ପୁରୁଣା, ସେତେବେଳେ ଶିଳ୍ପୀମାନେ ପଥରକୁ କିଭଳି ଜୀବନ୍ତ କରିହେବ ସେନେଇ କାର୍ଯ୍ୟ କରିଥିଲେ । ଏହି ମନ୍ଦିରଟି ଖୁବ ଅନନ୍ୟ କାରୁକାର୍ଯ୍ୟର ଉଦାହରଣ । ଏହାକୁ ଦେଖିବାକୁ ପ୍ରତିଦିନ ଶହଶହ ଦର୍ଶକ ରୁ„ ହୋଇଥାଆନ୍ତି ।
ପଟ୍ଟଚିତ୍ର
ଓଡ଼ିଶାର ଜିଆଇ ଟ୍ୟାଗ୍ ତାଲିକାରେ ସାମିଲ ଅଛି ପଟ୍ଟଚିତ୍ରର ନାଁ । ପଟ୍ଟଚିତ୍ର ସଂସ୍କୃତ ଶବ୍ଦ ପଟ୍ଟରୁ ଆସିଛି । ଏହା ଏକ ପ୍ରକାର ହସ୍ତତନ୍ତ ଯାହାକୁ ୨୦୦୮ ମସିହାରେ ଜିଆଇ ଟ୍ୟାଗ ମିଳିଥିଲା । ପଟ୍ଟଚିତ୍ରକୁ ସାଧାରଣତଃ ଏକ ପୋଷାକ ଉପରେ ଅଙ୍କା ଯାଇଥାଏ । ଏହାର ଉତ୍ପତିସ୍ଥଳ ଭାବେ ପୁରୀର ନାଁ ରହିଛି । ଶ୍ରୀମନ୍ଦିରରେ ଏହାର ବ୍ୟବହାର ରହିଛି । ଅଣସର ସମୟରେ ପଟ୍ଟିଦିଅଁଙ୍କର ପୂଜା ବିଧିର ନିୟମ ରହିଛି । ପୁରୀର ରଘୁରାଜପୁରରେ ବିଶେଷଭାବେ ଏହି ପଟ୍ଟଚିତ୍ର ଦେଖିବାକୁ ମିଳିଥାଏ । ଗ୍ରାମର ସମସ୍ତ ଅଧିବାସୀ ଏହାକୁ ଘରେଘରେ ନିର୍ମାଣ କରିଥାଆନ୍ତି । ଏହାକୁ ବିଶେଷଭାବେ ଭଗବାନ ଶ୍ରୀକୃଷ୍ଣ, ଜଗନ୍ନାଥ ଓ ବିଷ୍ଣୁଙ୍କୁ ନେଇ ପ୍ରସ୍ତୁତ କରାଯାଇଥାଏ । ଏଗୁଡିକ ଦେଖିବାକୁ ଖୁବ ସୁନ୍ଦର ହୋଇଥାଏ ।

Comments are closed.