ବ୍ରିଟେନର ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟରେ ଭଲ ମାର୍କ ଆଣିବା ପାଇଁ ଛାତ୍ରଙ୍କ ଉପରେ ବହୁତ ଚାପ ପଡ଼ୁଛି । ଏକ ରିପୋର୍ଟରୁ ଜଣାପଡ଼ିଛି ଯେ ଏହି ଚାପରୁ ମୁକୁଳିବା ପାଇଁ ଅକ୍ସଫୋର୍ଡ, ଏଡିନବର୍ଗ, ନଟିଂହାମ ଏବଂ ଲଣ୍ଡନ ସ୍କୁଲ ଅଫ୍ ଇକୋନୋମିକ୍ସରେ ଛାତ୍ରମାନେ ‘ଷ୍ଟଡି ଡ୍ରଗ୍ସ’ ଖାଇ ପରୀକ୍ଷା ଦେଉଛନ୍ତି । ଏହି ଷ୍ଟଡି ଡ୍ରଗ୍ସ ଦ୍ୱାରା ଛାତ୍ରମାନେ ଘଣ୍ଟା ଘଣ୍ଟା ଧରି ଅଧ୍ୟୟନ କରନ୍ତି ଏବଂ ନିଦ ବି ମାଡ଼େ ନାହିଁ । ସେମାନେ ସର୍ବଦା ସତେଜ ଅନୁଭବ କରନ୍ତି ।
କିନ୍ତୁ ଏହି ଔଷଧଗୁଡ଼ିକର ସାଂଘାତିକ ପାଶ୍ୱର୍ ପ୍ରତିକ୍ରିୟା ଅଛି । ତେବେ ଷ୍ଟଡି ଡ୍ରଗ୍ସ ନାମକ ଏହି ନିଷିଦ୍ଧ ଔଷଧ ବିକ୍ରି ଉପରେ ମଧ୍ୟ କୌଣସି ପ୍ରତିବନ୍ଧକ ନାହିଁ । ବ୍ରିଟେନର ଛାତ୍ରମାନଙ୍କ ମଧ୍ୟରେ ଲୋକପ୍ରିୟ ଏକ ବ୍ରାଣ୍ଡର ଷ୍ଟଡି ଡ୍ରଗ ଯେକୌଣସି ଔଷଧ ଦୋକାନରେ ଅତି ସହଜରେ ମାତ୍ର ୨୦୦ ଟଙ୍କାରେ ଉପଲବ୍ଧ । ବ୍ରିଟିଶ ବିଶ୍ୱବିଦ୍ୟାଳୟରେ କରାଯାଇଥିବା ଏକ ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ପ୍ରାୟ ୨୦ ପ୍ରତିଶତ ଛାତ୍ର ଏହି ଷ୍ଟଡି ଡ୍ରଗ ଖାଇବା ପରେ ପରୀକ୍ଷା ଦିଅନ୍ତି ।
ରିପୋର୍ଟରୁ ଜଣାପଡ଼ିଛି ଯେ କିଛି ଛାତ୍ର ନିଜକୁ ଅସୁସ୍ଥ କହି ଏହି ଔଷଧ ଡାକ୍ତରଙ୍କଠାରୁ ଲେଖାଇ ଆଣିଥାନ୍ତି, ତାପରେ ଏହାକୁ କିଣି ଅନ୍ୟ ଛାତ୍ରଙ୍କୁ ଦିଅନ୍ତି । ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ପ୍ରଫେସର ଆଣ୍ଡର୍ସ ସ୍ୟାଣ୍ଡବର୍ଗଙ୍କ କହିଛନ୍ତି ଯେ ଛାତ୍ରମାନେ ଏହି ଷ୍ଟଡି ଡ୍ରଗ୍ସକୁ ଅନଲାଇନ ଷ୍ଟୋରରୁ ବହୁ ପରିମାଣରେ ଅର୍ଡର କରୁଛନ୍ତି । ବ୍ରିଟେନ ସମେତ ୟୁରୋପରେ ଅନ୍ୟ ଦେଶରେ ଏହି ଡ୍ରଗର ଅନଲାଇନ ଅର୍ଡର ପାଇଁ ଡାକ୍ତରଙ୍କ ପ୍ରେସକ୍ରିପସନ ପଚରାଯାଏ ନାହିଁ ।
ତେବେ ଏହି ବିଶେଷ ଔଷଧ ‘ଏଡିଏଚ୍ଡି’ ନାମକ ରୋଗରେ ପୀଡ଼ିତ ଥିବା ବ୍ୟକ୍ତିଙ୍କୁ ଦିଆଯାଏ । ଏହି ରୋଗରେ ଆକ୍ରାନ୍ତ ହୋଇଥିବା ଯୁବକଯୁବତୀ ଅଫିସ କିମ୍ବା ସ୍କୁଲରେ ଧ୍ୟାନ ଦେଇପାରନ୍ତି ନାହିଁ । ସେମାନଙ୍କଠାରେ ବିଶ୍ୱାସର ଅଭାବ ଦେଖାଦିଏ । ଏମାନଙ୍କୁ ହିଁ ଷ୍ଟଡି ଡ୍ରଗ ଦିଆଯାଇଥାଏ । କିଡ୍ସ ହେଲଥ୍ର ରିପୋର୍ଟ ଅନୁଯାୟୀ ଏହି ଔଷଧ କିଛି ସମୟ ପାଇଁ ଶରୀରରେ ପରିବର୍ତ୍ତନ ଆଣିଥାଏ । ଏହା ପ୍ରତ୍ୟକ୍ଷ ଭାବେ ମସ୍ତିଷ୍କ ଉପରେ ପ୍ରଭାବ ପକାଇଥାଏ ।
ଏହି ଡ୍ରଗ ଶରୀରେ ପହଞ୍ଚିବା ପରେ ମସ୍ତିଷ୍କରେ ବିଶେଷ ପ୍ରକାରର କେମିକାଲ ରିଲିଜ କରେ । ଏହାଦ୍ୱାରା ମସ୍ତିଷ୍କର କାମ କରିବାର କ୍ଷମତାକୁ ବଢାଇଥାଏ । ହେଲେ ଦୀର୍ଘ ସମୟ ଧରି ଏହି ଔଷଧ ଖାଇବା ଦ୍ୱାରା ପାଶ୍ୱର୍ ପ୍ରତିକ୍ରିୟା ଦେଖାଯାଉଥିବା ରିପୋର୍ଟ ପ୍ରକାଶ କରିଛି । ଏହାଦ୍ୱାରା ଉଚ୍ଚ ରକ୍ତଚାପ, ହାର୍ଟ ଫେଲ୍, ଷ୍ଟ୍ରୋକ୍ ପରି ଲକ୍ଷଣ ଦେଖାଯାଇଥାଏ । ଗବେଷକଙ୍କ କହିବା ଅନୁଯାୟୀ ସାଧାରଣ ଲୋକଙ୍କୁ ଷ୍ଟଡି ଡ୍ରଗ ନେବାର କୌଣସି ଆବଶ୍ୟକତା ନାହିଁ । ଏଥିପାଇଁ ସେ ନିଜ ଦୈନନ୍ଦିନ କାର୍ଯ୍ୟରେ କିଛି ପରିବର୍ତ୍ତନ ଆଣିବା ଉଚିତ୍, ଯେପରି ଧ୍ୟାନ କରିବା, ଯୋଗ ଅଭ୍ୟାସ, ପର୍ଯ୍ୟାପ୍ତ ନିଦ୍ରା ଏବଂ ସୁସ୍ଥ ଖାଦ୍ୟ ।

Comments are closed.