ଓଡ଼ିଶାର ଗଣପର୍ବ ଭାବେ ପରିଚିତ ରଜକୁ ବିଭିନ୍ନ ଜିଲ୍ଲାରେ କିଛି ସ୍ୱତନ୍ତ୍ରଭାବେ ପାଳନ କରିଥାଆନ୍ତି । ପ୍ରତିଟି ସ୍ଥାନର ସାଂସ୍କୃତିକ ପ୍ରଭାବ ଏହି ପର୍ବ ପାଳନ ଉପରେ ପଡିଥାଏ । ତେଣୁ ପ୍ରତିଟି ସ୍ଥାନରେ ଏହାର ପାଳନରେ ଭିନ୍ନତା ଦେଖିବାକୁ ମିଳିଥାଏ ।
କଟକ
କଟକର ମୁଖ୍ୟ ପର୍ବଭାବେ ରଜ ପରିଚିତ । ବର୍ଷସାରା ଏଠିକାର ବାସିନ୍ଦା ରଜ ପର୍ବ ପାଳନ କରିବାକୁ ଚାହିଁ ଥାଅନ୍ତି । ସେମାନେ ଖୁବ ଜାକଜମକରେ ରଜକୁ ପାଳନ କରିଥାଆନ୍ତି । କେବଳ ଝିିଅ ନୁହେଁ କଟକରେ ପୁଅ ମାନେ ମଧ୍ୟ ରଜକୁ ଖୁବ ଆଗ୍ରହରେ ପାଳନ କରନ୍ତି । ସମସ୍ତେ ନିଜନିଜ କର୍ମ କ୍ଷେତ୍ରରୁ ଛୁଟି ନେଇ ଗାଁରେ ଏକାଠି ହୋଇଥାଆନ୍ତି । ପ୍ରତିଟି ଘରେ ଦୋଳି, ପିଠା, ମାଂସର ଆସନ ଯମିଥାଏ । ସ୍ଥାନେସ୍ଥାନେ ଏଠାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ । ପ୍ରତିଘରେ ଭୋଜି ଭାତର ଆୟୋଜନ ହୋଇଥାଏ । ସମସ୍ତେ ଖୁବ ଖୁସିରେ ନୂଆ ଡ୍ରେସ ପିନ୍ଧି ପିଠା ଖାଇ ଏହାର ଆନନ୍ଦ ନେଇଥାଆନ୍ତି । ସେହିଭଳି କଟକର ବିଭିନ୍ନ ସ୍ଥାନରେ ପାନ ଦୋକାନ ଖୋଲିଥାଏ । ରଜ ପାନର ମଜା ହିଁ କିଛି ଅଲଗା । ଏହି ପାନ ଗୁଡିକରେ ବିଭିନ୍ନ ପ୍ରକାର ମସଲା ପକାଯାଇ ପ୍ରସ୍ତୁତ କରାଯାଇଥାଏ । ଚେରି ଦିଆଯାଇ ଖୁବ ସୁନ୍ଦର ଭାବେ ଏହାକୁ ଭଙ୍ଗାଯାଇ ବିକ୍ରି କରାଯାଇଥାଏ, ଯାହାକୁ ଖାଇବାକୁ ସମସ୍ତଙ୍କର ଭିଡ ଯମିଥାଏ । ସେହିଭଳି ଏଠାରେ ବିଭିନ୍ନ ସ୍ଥାନରେ ଦୋଳି ବନ୍ଧାଯାଇଥାଏ ଯେଉଁଠାରେ ଝିଅ ବୋହୂମାନେ ଏକାଠି ହୋଇ ଖେଳର ମଜା ନେଇଥାଆନ୍ତି ।
ପୁରୀ
ପୁରୀରେ ମଧ୍ୟ ରଜକୁ ଖୁବ ଧୁମାଧାମରେ ପାଳନ କରାଯାଇଥାଏ । ଏଠାରେ ରଜ ତିନିଦିନ ସହିତ ବସୁମତି ସ୍ନାନର ମହତ୍ତ୍ୱ ଖୁବ ଅଧିକ । ଯାହାକୁ ଗ୍ରାମୀଣ ଭାଷାରେ ଠାକୁରାଣୀ ଗାଧୁଆ କୁହାଯାଇଥାଏ । ଏହି ଦିନ ମହାଲକ୍ଷ୍ମୀଙ୍କର ପୂଜା ଅନୁଷ୍ଠିତ ହୋଇଥାଏ । ମହାଲକ୍ଷ୍ମୀଙ୍କୁ ସକାଳୁ ହଳଦୀ ପାଣିରେ ଗାଧୁଆଯାଇ ଭୋଗ ଲଗା ଯାଇଥାଏ । ସେହିଭଳି ପୁରୀରେ ମଧ୍ୟ ରଜ ତିନିଦିନ ନୂଆ ପୋଷାକ ପିନ୍ଧିବା ସହିତ ଦୋଳି ଖେଳି ଝିଅମାନେ ରଜ ପାଳିଥାଆନ୍ତି । ସମସ୍ତଙ୍କ ସମୟ ବୁଲାବୁଲିରେ କଟିଥାଏ । ଗାଁ ମାନଙ୍କରେ ବିଭିନ୍ନ ସ୍ଥାନରେ ଲୋକମାନେ ଏକାଠି ହୋଇ ବିଭିନ୍ନ ଖେଳ ଖେଳୁଥିବାର ଦେଖିବାକୁ ମିଳିଥାଏ ।
ବଲାଙ୍ଗିର
ବଲାଙ୍ଗିରରେ ରଜ ପର୍ବର ପାଳନ ବିଶେଷଭାବେ ଚାଷ କାର୍ଯ୍ୟ ସମ୍ବନ୍ଧିତ ହୋଇଥାଏ । ଏହି ସମୟରେ ଏଠାରେ ନାରୀମାନଙ୍କୁ ସମସ୍ତ କାର୍ଯ୍ୟରୁ ପୂରା ପୁରି ଛୁଟି ଦିଆଯାଇଥାଏ । ସେମାନେ ନୂଆ ଲୁଗା ପିନ୍ଧି ଦୋଳି ଖେଳି ପିଠା ଖାଇ ରଜର ମଜା ନେଉଥିବାର ଦେଖିବାକୁ ମିଳିଥାଏ । ଏଠାର ମୁଖ୍ୟ ଆକର୍ଷଣ ହୋଇଥାଏ ପୋଡ ପିଠା, ଯାହା ଘରେ ଘରେ ପ୍ରସ୍ତୁତ ହୋଇଥାଏ । ସେହିଭଳି ଏଠାରେ କିଛି ସ୍ଥାନରେ ରଜ ମେଳାର ଆୟୋଜନ କରାଯାଇଥାଏ । ଯେଉଁଠାରେ ବିଭିନ୍ନ ଦୋକାନରେ ସାମଗ୍ରୀ ବିକ୍ରି କରାଯାଇଥାଏ ।
ସମ୍ବଲପୁର
ସମ୍ବଲପୁରରେ ମଧ୍ୟ ରଜକୁ ଖୁବ ଧୁମଧାମରେ ପାଳନ କରିଥାଆନ୍ତି । ଏହି ଦିନ ଝିଅବୋହୂମାନେ ଏକାଠି ହୋଇ ସେମାନଙ୍କର ପାରମ୍ପରିକ ଶାଢି ସମ୍ବଲପୁରୀ ଶାଢି ପିନ୍ଧି ଦୋଳି ଖେଳି, ପିଠା ଖାଇ ଏହି ପର୍ବର ମଜା ନେଇଥାଆନ୍ତି । ବିଭିନ୍ନ ସ୍ଥାନରେ ମେଳା ର ମଧ୍ୟ ଆୟୋଜନ କରାଯାଇଥାଏ । ସ୍ଥାନୀୟ ବାସିନ୍ଦାମାନେ ନିଜ ଘରକୁ ବିଭିନ୍ନ ପ୍ରକାର ସାମଗ୍ରୀରେ ସଜାଇଥାଆନ୍ତି । ଛକ ମାନଙ୍କରେ ବିଭିନ୍ନ ପ୍ରକାର ଖେଳର ଆୟୋଜନ କରାଯାଇଥାଏ । ସମସ୍ତେ ମିଳିମିଶି ବିଭିନ୍ନ ଖେଳର ମଜା ନେଇଥାଆନ୍ତି ।

Comments are closed.