କାବୁଲ: ଆଫଗାନିସ୍ତାନର ରାଜଧାନୀ କାବୁଲ ପୁଣି ଥରେ ବିସ୍ପୋରଣରେ ଥରି ଉଠିଛି । ଏଥର ବିସ୍ପୋରଣ ରୁଷର ଦୂତାବାସ ନିକଟରେ ହୋଇଛି । ଏଥିରେ ରୁଷର ୨ ରାଷ୍ଟ୍ରଦୂତଙ୍କ ସମେତ ୨୦ ଜଣଙ୍କ ମୃତୁ୍ୟ ଘଟିଛି । କାବୁଲ ସହରର ଦାରୁଲ ଅମନ ଅଞ୍ଚଳରେ ଏହି ବିସ୍ପୋରଣ ଘଟିଛି । ଏହି ଅଞ୍ଚଳରେ ହିଁ ରୁଷ ଦୂତାବାସ ଅବସ୍ଥିତ ।
ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରୁଷ ଦୂତାବାସ ଫାଟକ ସମ୍ମୁଖରେ ଏହି ବିସ୍ପୋରଣ ଘଟିଛି । ଆତ୍ମଘାତୀ ବିସ୍ପୋରଣକାରୀ ଦ୍ୱାରା ଏହି ବିସ୍ପୋରଣ କରାଯାଇଛି । ଦୂତାବାସ ବାହାରେ କାର୍ଯ୍ୟରତ ତାଲିବାନ ସୁରକ୍ଷାକର୍ମୀ ଆକ୍ରମଣକାରୀଙ୍କୁ ଚିହ୍ନି ଦେଇଥିଲେ । ସେମାନେ ତାକୁ ଗୁଳି ମଧ୍ୟ କରିଥିଲେ । କି;ୁ ହଠାତ୍ ବିସ୍ପୋରଣ ହୋଇଥିଲା ।
ଅନେକ ଖବର ଅନୁଯାୟୀ ଏଥିରେ ୮ ଜଣ ବ୍ୟକ୍ତି ମୃତ୍ୟୁବରଣ କରିଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ୨ ଜଣ ଦୂତାବାସ କର୍ମଚାରୀ ଥିଲେ ବୋଲି ରୁଷୀୟ ନ୍ୟୁଜ ଏଜେନ୍ସି ଆରଆଇଏ ନୋଭୋସ୍ତି କହିଛି । ତେବେ ମୃତ କର୍ମଚାରୀମାନେ କିଏ କିମ୍ବା ସେମାନେ କିପରି ମରିଛନ୍ତି ସେନେଇ ରୁଷର ବିଦେଶ ମନ୍ତ୍ରଣାଳୟ କୌଣସି ସୂଚନା ଦେଇନାହିଁ ।
ଏହାପୂର୍ବରୁ, ଆରଆଇ ନୋଭୋଷ୍ଟି ଅଜ୍ଞାତ ସୂତ୍ରକୁ ଦର୍ଶାଇ କହଥିଲା ଯେ ଏହି ବିସ୍ପୋରଣ ଯୋଗୁଁ ୧୫-୨୦ ଜଣ ମୃତାହତ ହୋଇଛନ୍ତି । ଦୂତାବାସ ବାହାରେ ଭିସା ଆଶାୟୀ ଲୋକମାନଙ୍କ ନାଁ ଡାକିବାକୁ ରୁଷର ଜଣେ କର୍ମଚାରୀ ବାହାରକୁ ଆସିବା ବେଳେ ଏହି ବିସ୍ପୋରଣ ହୋଇଥିଲା । ପୋଲିସ କହିଛି ଯେ ଆକ୍ରମଣକାରୀ ଦୂତାବାସ ଫାଟକ ନିକଟରେ ପହଞ୍ଚିବା ପରେ ତାଙ୍କୁ ସୁରକ୍ଷାକର୍ମୀ ଗୁଳି କରି ହତ୍ୟା କରିଥିଲେ । ଏହି ଆକ୍ରମଣ ଘଟଣା ପାଇଁ ଏପର୍ଯ୍ୟନ୍ତ କୌଣସି ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରିନାହାନ୍ତି । ତେବେ ଏହା ପଛରେ ଆତଙ୍କବାଦୀ ସଂଗଠନ ତଥା ତାଲିବାନର ବିରୋଧୀ ଆଇଏସର ହାତ ଥିବା ସଂଦେହ କରାଯାଉଛି । ରୁଷ ଦୂତାବାସଟି କାବୁଲର ଉଚ୍ଚ ସୁରକ୍ଷା ସମ୍ପନ୍ନ ଦାରୁଲ୍ ଉଲୁମ ଅଞ୍ଚଳରେ ହୋଇଥିବାରୁ ତାଲିବାନର ଚିନ୍ତା ବଢିଯାଇଛି ।

Comments are closed.