କର୍ଣ୍ଣାଟକ: ଆଜିକାଲି ଯୁଗରେ ସମସ୍ତଙ୍କ ଜୀବନଶୈଳୀ ବିଜ୍ଞାନର ବିଭିନ୍ନ ଉପକରଣ ଉପରେ ନିର୍ଭର କରୁଛି । ବିଭିନ୍ନ କାର୍ଯ୍ୟପାଇଁ ସମସ୍ତେ କମ୍ପୁ୍ୟଟର, ସ୍ମାର୍ଟଫୋନ୍ ଓ ଲାପଟପ୍ ଆଦି ଉପରେ ନିର୍ଭର କରୁଛନ୍ତି । ବିନା ଇଣ୍ଟରନେଟ୍ରେ କେହି ନିଜ ଜୀବନ କଳ୍ପନା ମଧ୍ୟ କରୁନାହାନ୍ତି । ହେଲେ ଏଭଳି ଜଣେ ବ୍ୟକ୍ତି ଅଛନ୍ତି ଯିଏ ଆଜି ମଧ୍ୟ ଏ ସମସ୍ତ ସୁଖ ସୁବିଧାଠୁ ଢେର ଦୂରରେ ଅଛନ୍ତି । କର୍ଣ୍ଣାଟକ ବାସିନ୍ଦା ଚନ୍ଦ୍ରଶେଖର ଆଜିକୁ ପ୍ରାୟ ୧୭ ବର୍ଷ ହେବ ଜଙ୍ଗଲରେ ଏକ କାର୍ରେ ଜୀବନ ବଞ୍ଚୁଛନ୍ତି । ସେ କିଛିଟା ବାଉଁଶ ଓ ପ୍ଲାଷ୍ଟିକ୍ ସିଟ୍କୁ ନେଇ ଏକ ଟେଣ୍ଟ ପ୍ରସ୍ତୁତ କରିଛନ୍ତି । ଏହି ଟେଣ୍ଟ ଓ କାରରେ ଥିବା ଏକ ରେଡିଓ ତାଙ୍କର ସମ୍ପତ୍ତି । ତେବେ ୨୦୦୩ ମସିହାରେ ସେ ବ୍ୟାଙ୍କର ଋଣ ସୁଝି ନପାରିବାରୁ ତାଙ୍କର ସମସ୍ତ ଜମି ନିଲାମ ହୋଇଯାଇଥିଲା । ସେ ଏହାପରେ ନିଜ ଭଉଣୀଙ୍କ ସହ ରହିବାକୁ ଚାହିଁଥିଲେ, ହେଲେ କିଛି କାରଣ ପାଇଁ ସେ ଏକୁଟିଆ ରହିବାର ନିଷ୍ପତ୍ତି ନେଇଥିଲେ । ଏହା ପରଠାରୁ ସେ ଏହି ଜଙ୍ଗଲରେ କାରରେ ରହୁଛନ୍ତି । ନିଜ ଗୁଜୁରାଣ ମେଣ୍ଟାଇବା ପାଇଁ ସେ ଜଙ୍ଗଲର କାଠରେ ଟୋକେଇ ପ୍ରସ୍ତୁତ କରି ପାଖ ଦୋକାନରେ ବିକ୍ରି କରି ସେହି ଅର୍ଥରେ ଦରକାରୀ ସାମଗ୍ରୀ କିଣନ୍ତି । ଚନ୍ଦ୍ରଶେଖରଙ୍କ ଘଟଣା ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଲୋକମାନେ ତାଙ୍କର ଏହି ଜୀବନ ଶୈଳୀକୁ କାହାଣୀ ସହ ତୂଳନା କରୁଛନ୍ତି ।

Comments are closed.