ଟ୍ବେଣ୍ଟି-୨୦ ବିଶ୍ବକପରେ ପିଏନଜିକୁ ହାରଇ ସୁପର-୮ରେ ଆଫ୍ଗାନିସ୍ତାନ: ନ୍ୟୁଜିଲାଣ୍ଡ ବିଦା

ତରୌବା: ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍ ଗ୍ରୁପ୍-ସିରୁ ୱେଷ୍ଟ୍ଇଣ୍ଡିଜ୍ ପରେ ଆଫ୍ଗାନିସ୍ତାନ ଦ୍ବିତୀୟ ଦଳ ଭାବେ ସୁପର-୮ରେ ପ୍ରବେଶ କରିଛି। ଆଫ୍ଗାନିସ୍ତାନ ୭ ୱିକେଟ୍ରେ ପପୁଆ ନ୍ୟୁଗିନିକୁ ପରାସ୍ତ କରିଛି। ଏହି ବିଜୟ ସହ ଦଳ ସୁପର-୮ ସ୍ଥାନ ନିଶ୍ଚିତ କରିଦେବାରୁ ଏହି ଗ୍ରୁପ୍ରେ ଥିବା ତାରକା ଖଚିତ ନ୍ୟୁଜିଲାଣ୍ଡ ଏଲିମିନେଟ୍ ହେବାକୁ ବାଧ୍ୟ ହୋଇଛି। ନ୍ୟୁଜିଲାଣ୍ଡର ଔପଚାରିକ ଶେଷ ମ୍ୟାଚ୍ ପିଏନ୍ଜି ସହିତ ଥିବା ବେଳେ ଗ୍ରୁପ୍ ଟପ୍ପର ହେବା ପାଇଁ ୱେଷ୍ଟଇଣ୍ଡିଜ୍ ଓ ଆଫଗାନିସ୍ତାନ ମଧ୍ୟରେ ଗୋଟିଏ ମ୍ୟାଚ୍ ଖେଳାଯିବାକୁ ବଳକା ରହିଛି। ତ୍ରିନିଦାଦସ୍ଥିତ ବ୍ରାଏନ୍ଲାରା ଷ୍ଟାଡିୟମ୍ରେ ଖେଳାଯାଇଥିବା ଗ୍ରୁପ୍-ସି ମ୍ୟାଚ୍ରେ ଫଜଲହକ୍ ଫାରୁକି (୪-୦-୧୬-୩) ଓ ନବୀନ ଉଲ୍ ହକ୍ (୨.୫-୦-୪-୨)ଙ୍କ ଘାତକ ବୋଲିଂ ସାମ୍ନା କରିପାରି ନପାରି ପପୁଆ ନ୍ୟୁଗିନି ୧୯.୫ ଓଭରରେ ୯୫ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା। ନୂର ଅହମ୍ମଦ ଗୋଟିଏ ୱିକେଟ୍ ନେଇଥିଲା ବେଳେ ଅନ୍ୟ ୪ ଜଣ ରନ୍ଆଉଟ୍ ହୋଇଥିଲେ। କିପ୍ଲିନ୍ ଦୋରିଗା ୨୭, ଅଲେଇ ନାଓ ୧୩ ଓ ଟୋନି ଉରା ୧୧ ରନ୍ କରିଥିଲେ। ଜବାବରେ ଆଫ୍ଗାନିସ୍ତାନ ୧୫.୧ ଓଭରରେ ୩ ୱିକେଟ୍ ହରାଇ ମ୍ୟାଚ୍ ଜିତି ନେଇଥିଲା। ଗୁଲ୍ବଦ୍ଦିନ ନାଏବ ୪୯* (୩୬ ବଲ୍, ୪ ଚୌକା, ୨ ଛକା) ଓ ମହମ୍ମଦ ନବି ୧୬* ରନ୍ରେ ଅପରାଜିତ ରହି ଦଳକୁ ବିଜୟ ଭେଟି ଦେଇଥିଲେ।

Govt

Comments are closed.