କଲମ୍ବୋ: ଜୁଲାଇ ୦୯: ଦେଶ ଛାଡି ପଳାଇଲେ ଶ୍ରୀଲଙ୍କା ରାଷ୍ଟ୍ରପତି । ପ୍ରବଳ ବିରୋଧ ପରେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ଷେ ପଳାୟନ କରିଛନ୍ତି । ଘରେ ପଶି ବିକ୍ଷୋଭକାରୀମାନେ ଭଙ୍ଗାରୁଜା କରିବା ପରେ ସେ ଦେଶ ଛାଡିବାକୁ ବାଧ୍ୟ ହୋଇଛନ୍ତି । ଶ୍ରୀଲଙ୍କାରେ ଜାରି ରହିଛି ଆର୍ଥିକ ସଙ୍କଟ । ଦିନକୁ ଦିନ ଏଠି ପରିସ୍ଥିତି ବିଗିଡିବାରେ ଲାଗିଛି । ଏହାକୁ ନେଇ ଲୋକେ ରାସ୍ତାକୁ ଓହ୍ଲାଇ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଶନିବାର ବିକ୍ଷୋଭକାରୀମାନେ ରାଷ୍ଟ୍ରପତି ଗୋଟାବାୟାଙ୍କ ଘରକୁ ଘେରି ଦେଇଥିଲେ । ପ୍ରବଳ ଭଙ୍ଗାରୁଜା କରିଥିଲେ । ସେମାନେ ଗୋଟାବାୟାଙ୍କ ଇସ୍ତଫା ଦାବି କରିଥିଲେ । ଏହାପରେ ଶ୍ରୀଲଙ୍କା ରାଷ୍ଟ୍ରପତି ନିଜ ଘାରି ଛାଡି କେଉଁଆଡେ ପଳାଇ ଯାଇଥିବା କୁହାଯାଉଛି । ସେପଟେ ଶୁକ୍ରବାର ଦିନ ଶ୍ରୀଲଙ୍କାରେ ଅନିଶ୍ଚିନ୍ତ କାଳ ପାଇଁ କର୍ଫ୍ୟୁ ଲଗାଯାଇଥିଲା । ଏହାସହ ସେନାକୁ ବି ଜାଗ୍ରତ କରିଥିଲେ ଶ୍ରୀଲଙ୍କା ସରକାର । ଶ୍ରୀଲଙ୍କା ପୁଲିସ ପ୍ରମୁଖ ଚନ୍ଦନା ବିକ୍ରମ ରତନେ କହିଛନ୍ତି କି ରାଜଧାନୀ କଲମ୍ବୋ ଓ ତାର ଆଖପାଖ ଅଞ୍ଚଳରେ ହଜାର ହଜାର ପ୍ରଦର୍ଶନକାରୀ ପ୍ରବେଶ କରିବା ଫଳରେ ଶୁକ୍ରବାର ରାତିରେ କର୍ଫ୍ୟୁ ଲଗାଯାଇଥିଲା । ଶୁକ୍ରବାର ପୁଲିସ କର୍ଫ୍ୟୁ ଲଗାଇବା ପୂର୍ବରୁ କଲମ୍ବୋରେ ଛାତ୍ର ବିକ୍ଷୋଭକାରୀଙ୍କ ଉପରକୁ ଲୁହ ବୁହା ଗ୍ୟାସ୍ ଓ ପାଣି ମାଡ କରିଥିଲା । ଏହି ସରକାର ବିରୋଧୀ ପ୍ରଦର୍ଶନରେ କେବଳ ଛାତ୍ର ନୁହନ୍ତି ଧାର୍ମିକ ନେତା, ରାଜନୈତିକ ଦଳ, ଶିକ୍ଷକ, କୃଷକ, ଚିକିତ୍ସକ ଓ ମାଛଧରାଳୀ ଏବଂ ସାମାଜିକ କାର୍ଯ୍ୟକର୍ତା ମଧ୍ୟ ସାମିଲ ଅଛନ୍ତି ।

Comments are closed.