କାଶୀର ଶିବାନନ୍ଦ ବାବାଙ୍କୁ ମୋଦି ସରକାର ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିବାକୁ ଯାଉଛନ୍ତି । ବାରାଣାସୀର କବିରନଗର ଅଞ୍ଚଳରେ ରହୁଥିବା ବାବା ଶିବାନନ୍ଦଙ୍କ ବୟସ ୧୨୬ ବର୍ଷ । ସବୁଠୁ ବଡ଼ କଥା ହେଉଛି ଯେ ସେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଅଛନ୍ତି । ଆଧାର କାର୍ଡ ଏବଂ ପାସପୋର୍ଟରେ ତାଙ୍କ ଜନ୍ମତିଥି ୮ ଅଗଷ୍ଟ ୧୮୯୬ ମସିହା ଉଲ୍ଲେଖ ରହିଛି । ଏହି ଦୃଷ୍ଟିରୁ ସେ ଦୁନିଆରୁ ସବୁଠୁ ବୟସ୍କ ବ୍ୟକ୍ତି । କିନ୍ତୁ ଗିନିଜ୍ ବୁକ ଅଫ୍ ରେକର୍ଡରେ ଜାପାନର ଚିତେସୁ ବତନବେଙ୍କ ନାମ ରହିଛି ।
ବାବା ଶିବାନନ୍ଦଙ୍କ ସୁସ୍ଥ ସ୍ୱାସ୍ଥ୍ୟ ପଛର କାରଣ ହେଉଛି ସେ ପ୍ରତିଦିନ ସିଝାଖାଦ୍ୟ ଖାଇଥାନ୍ତି । ସେ ପ୍ରତିଦିନ ଭୋର ୩ଟାରେ ଉଠି ଯୋଗାସନ କରିଥାନ୍ତି । ଏହାପରେ ପୂଜାପାଠରୁ ଦିନ ଆରମ୍ଭ କରିଥାନ୍ତି । ଶିବାନନ୍ଦ ବାବା କହିଛନ୍ତି, ସେ କେବେ ବି ଫଳ ଏବଂ କ୍ଷୀରର ସେବନ କରନ୍ତି ନାହିଁ ଏବଂ କେବଳ ସିଝାଖାଦ୍ୟ ଖାଆନ୍ତି । ଏଥିସହ କମ୍ ଲୁଣ ଥିବା ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି । ଏହି କାରଣରୁ ସେ ୧୨୬ ବର୍ଷ ଧରି ସୁସ୍ଥ ଜୀବନଯାପନ କରୁଛନ୍ତି ।
ପଦ୍ମଶ୍ରୀ ପୁରସ୍କାର ପାଇବା ଖୁସିରେ ବାବା କହିଛନ୍ତି ଯେ ସର୍ବଦା ଜୀବନକୁ ସାଧାରଣ ଭାବେ ବଞ୍ଚିବା ଉଚିତ । ଶୁଦ୍ଧ ଏବଂ ଶାକହାରୀ ଭୋଜନ ହିଁ ନିରାମୟ ଜୀବନର ମୁଖ୍ୟ କାରଣ । ଶିବାନନ୍ଦ ବାବାଙ୍କ ଏହି ପରିଣତ ବୟସରେ କଠିନ ଯୋଗାଭ୍ୟାସ କରିବାର କଳା ସେତେବେଳେ ଚର୍ଚ୍ଚାକୁ ଆସିଲା, ଯେତେବେଳେ ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଟ୍ୱିଟ କରି ତାଙ୍କ ଭିଡିଓ ସେୟାର କରିଥିଲେ । ତେବେ ଶିଳ୍ପାଙ୍କ କହିବା ଅନୁଯାୟୀ ଶିବାନନ୍ଦ ବାବାଙ୍କଠାରୁ ପ୍ରେରଣା ପାଇ ସେ ଯୋଗାସନ ଆରମ୍ଭ କରିଥିଲେ ।

Comments are closed.