ଭୋକ ସହିପାରୁନଥିବା ଶ୍ରୀକୃଷ୍ଣଙ୍କ ମୂର୍ତ୍ତି

କେରଳ: ଦୁନିଆରେ ଅନେକ ଅଜବ ମନ୍ଦିର ରହିଛି ଯାହାର ଅଲୌକିକତା ଆଖିରେ ନଦେଖିଲେ ବିଶ୍ୱାସ ହେବ ନାହିଁ । କେତେକ ରହସ୍ୟକୁ ବିଜ୍ଞାନ ମଧ୍ୟ ଭେଦ କରିପାରିନାହିଁ । ସେହିଭଳି ଏକ କୃଷ୍ଣ ମନ୍ଦିର ରହିଛି କେରଳରେ । ଏହି କୃଷ୍ଣ ମନ୍ଦିର ପ୍ରାୟ ୧୫୦୦ ବର୍ଷ ପୁରୁଣା । ଏହି ମନ୍ଦିରକୁ ନେଇ ସ୍ଥାନୀୟ ଲୋକଙ୍କ ମତରେ ରହିଛି ଅନେକ ରହସ୍ୟ । ଲୋକକଥା ଅନୁସାରେ ଏଠାରେ ପାଣ୍ଡବମାନେ ବନବାସ ସମୟରେ ଶ୍ରୀକୃଷ୍ଣଙ୍କୁ ପୂଜା କରିବା ସହିତ ଭୋଗ ମଧ୍ୟ କରୁଥିଲେ । ପାଣ୍ଡବଙ୍କ ବନବାସ ସରିବା ପରେ ସେମାନେ ଏହି କୃଷ୍ଣ ମୂର୍ତ୍ତିଙ୍କୁ ଏହିଠାରେ ଛାଡି ଚାଲିଯାଇଥିଲେ । ଯାହା ଆଜି ପର୍ଯ୍ୟନ୍ତ ପୂଜା ପାଉଛନ୍ତି । ସେହିଭଳି ଏଠାରେ ଦିନକୁ ୧୦ଥର ଭୋଗ କରାଯାଇଥାଏ । ସ୍ଥାନୀୟ ଲୋକଙ୍କ ମତରେ ଏଠାରେ ପୂଜାପାଉଥିବା କୃଷ୍ଣ ମୂର୍ତ୍ତି ଭୋକ ସହିପାରନ୍ତି ନାହିଁ । ଯଦି ଠାକୁରଙ୍କୁ ଭୋଗ ନଲଗାଯାଏ ତେବେ ମୂର୍ତ୍ତି ଶୁଖିଯାଏ ବୋଲି ଏଠାର ସ୍ଥାନୀୟ ଲୋକଙ୍କର ବିଶ୍ୱାସ ରହିଛି । ଏଠାରେ ଲାଗୁଥିବା ଭୋଗକୁ କିଛି ମାତ୍ରାରେ ଏକ ପ୍ଲେଟ୍‌ରେ କଢାଯାଇ ରଖାଯାଏ, ଏବଂ ତାହା କୁଆଡେ ଅନ୍ତର୍ଦ୍ଧାନ ହୋଇଯାଇଥାଏ ବୋଲି ଲୋକକଥା ଶୁଣିବାକୁ ମିଳିଥାଏ । ସେହିଭଳି ଗ୍ରହଣ ସମୟରେ ମଧ୍ୟ ଏହି ମନ୍ଦିର ଖୋଲା ରହିଥାଏ । ପୂର୍ବରୁ ଏଠାରେ ଗ୍ରହଣ ସମୟରେ ମନ୍ଦିର ବନ୍ଦ ରହୁଥିଲା, ହେଲେ ଗ୍ରହଣ ପରେ ମନ୍ଦିର ଖୋଲାଯିବା ପରେ ମୂର୍ତ୍ତି ଶୁଖିଯାଇଥିବା ଦେଖାଯାଇଥିଲା । ତେଣୁ ଏଠାରେ ଏହା ପରଠାରୁ ଗ୍ରହଣରେ ମଧ୍ୟ ମନ୍ଦିର ଖୋଲା ରହିଥାଏ । ଏ ସମସ୍ତ କଥା ଆଶ୍ଚର୍ଯ୍ୟକର ହୋଇଥିଲେ ମଧ୍ୟ ଏହାକୁ ସ୍ଥାନୀୟ ଲୋକ ବିଶ୍ୱାସ କରନ୍ତି । ତେବେ ଶ୍ରୀ ଆଦି ଶଙ୍କରାଚାର୍ଯ୍ୟଙ୍କ ନିର୍ଦ୍ଦେଶ ଅନୁସାରେ ମାତ୍ର ଦୁଇ ମିନିଟ୍‌ ପାଇଁ ଏହି ମନ୍ଦିରକୁ ବନ୍ଦ କରାଯାଇଥାଏ ।

Govt

Comments are closed.