ବେଙ୍ଗାଲୁରୁ: ଚତୁର୍ଥ ମ୍ୟାଚ୍ରୁ ତୃତୀୟ ମ୍ୟାଚ୍ ଜିତି ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଚଳିତ ଆଇପିଏଲ୍ ପଏଣ୍ଟ ଟେବୁଲ୍ ଶୀର୍ଷରେ ପହଞ୍ଚିଛି। ସୋମବାର ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମ୍ରେ ଖେଳାଯାଇଥିବା ରୋମାଞ୍ଚକର ମ୍ୟାଚ୍ରେ ଲକ୍ଷ୍ନୌ ୧ ୱିକେଟ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ହରାଇଛି। ଆର୍ସିବି ପକ୍ଷରୁ ଧାର୍ଯ୍ୟ କରାଯାଇଥିବା ୨୧୩ ରନ୍ର ଲକ୍ଷ୍ୟକୁ ଲକ୍ଷ୍ନୌ ନାଟକୀୟ ଭାବେ ଶେଷ ବଲ୍ରେ ହାସଲ କରିଥିଲା। ପ୍ରଥମେ ବ୍ୟାଟିଂ କରିଥିବା ଆର୍ସିବି ପାଇଁ ବିରାଟ କୋହଲି ଓ ଫାଫ୍ ଡୁପ୍ଲେସିସ୍ ଆରମ୍ଭରୁ ଚୌକା, ଛକା ବର୍ଷା କରିଥିଲେ। ପାୱାର ପ୍ଲେ ଭିତରେ ଦଳ ୫୬ ରନ୍ ସଂଗ୍ରହ କରିବା ପରେ କୋହଲି ବଡ଼ ରନ୍ ଆଡ଼କୁ ଅଗ୍ରସର ହୋଇଥିଲେ। କିନ୍ତୁ ଅମିତ ମିଶ୍ରା ଯୋଡ଼ି ଭାଙ୍ଗିବା ସହ ଲକ୍ଷ୍ନୌକୁ ପ୍ରଥମ ସଫଳତା ଦେଇଥିଲେ। ଦ୍ବାଦଶ ଓଭରର ତୃତୀୟ ବଲ୍ରେ ମିଶ୍ରାଙ୍କ ସଟ୍ ପିଚ୍ ବଲ୍କୁ କୋହଲି ମିଡ୍ ଅନ୍ ଅଞ୍ଚଳକୁ ଖେଳିଥିଲେ ବି ବଲ୍ରେ ବାଉନ୍ସ କମ୍ ଥିବାରୁ ତାହା ଅଧିକ ଦୂରକୁ ଯାଇପାରିନଥିଲା ଏବଂ ଷ୍ଟୋଇନିସ୍ଙ୍କ ହାତରେ ଧରାପଡ଼ିଯାଇଥିଲା। ଡୁପ୍ଲେସିସ୍ଙ୍କ ସହ ମିଶି ଗ୍ଲେନ୍ ମ୍ୟାକ୍ସୱେଲ୍ ଦ୍ରୁତ ରନ୍ ସଂଗ୍ରହ କରିଥିଲେ। ୧୬.୧ ଓଭରରେ ଦଳ ୧୫୦ ରନ୍ କରିଥିଲା ଏବଂ ପରବର୍ତ୍ତୀ ୨୩ ବଲ୍ରେ ୬୨ ରନ୍ ଦଳୀୟ ସ୍କୋରରେ ଯୋଡ଼ି ହୋଇଥିଲା। ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଲକ୍ଷ୍ନୌ ଆରମ୍ଭରୁ ବିପର୍ଯ୍ୟୟର ସାମ୍ନା କରିଥିଲା। ପ୍ରଥମ ଓଭରରେ କାୟଲ ମାୟର୍ସଙ୍କୁ ମହମ୍ମଦ ସିରାଜ ବୋଲ୍ଡ କରିବା ପରେ ଚତୁର୍ଥ ଓଭରରେ ୱେନ୍ ପାର୍ଣ୍ଣେଲ୍, ଦୀପକ ହୁଦା ଓ କୃର୍ନାଲ ପାଣ୍ଡ୍ୟାଙ୍କୁ ଆଉଟ୍ କରିବାରୁ ମ୍ୟାଚ୍ ଆର୍ସିବି ପଟକୁ ଢଳିଥିଲା। କିନ୍ତୁ ଷ୍ଟୋଇନିସ୍ ଓ ନିକୋଲାସ ପୂରନ୍ ପିଚ୍କୁ ଆସିବା ପରେ ମ୍ୟାଚ୍ର ଚିତ୍ର ବଦଳି ଯାଇଥିଲା। ପୂରନ୍ ଚଳିତ ଆଇପିଏଲ୍ର ସବୁଠୁ ଦ୍ରୁତତମ ୧୫ ବଲ୍ରୁ ଅର୍ଦ୍ଧଶତକୀୟ ପାଳି ଖେଳିବା ସହ ଦଳକୁ ବିଜୟ ଆଡ଼କୁ ନେଇଥିଲେ। ତେବେ ୩ ଓଭର ପୂର୍ବରୁ ସିରାଜଙ୍କ ଏକ ଅଣ୍ଟାଉଚ୍ଚ ବଲ୍କୁ ଛକା ମାରିବାକୁ ଯାଇ ପୂରନ ବାଉଣ୍ଡରି ପାଖରେ ଧରାପଡ଼ିଯାଇଥିଲେ। ବଦୋନି ପେଡାଲ୍ ସ୍ପିପ୍ରେ ଛକା ମାରିଥିଲେ ବି ହିଟ୍ ୱିକେଟ୍ ହୋଇଯାଇଥିଲେ। ତେଣୁ ମ୍ୟାଚ୍ ଶେଷ ବଲ୍ ପର୍ଯ୍ୟନ୍ତ ଯିବା ସହ ଲକ୍ଷ୍ନୌ ବିଜୟୀ ହୋଇଥିଲା।

Comments are closed.