ବ୍ରୁକ୍‌ଙ୍କ ପ୍ରଥମ ଆଇପିଏଲ୍ ଶତକ: କୋଲକାତାକୁ ହରାଇଲା ହାଇଦ୍ରାବାଦ

କୋଲ୍କାତା: ହାରି ବ୍ରୁକ୍ ଚଳିତ ଆଇପିଏଲରେ ପ୍ରଥମ ଶତକ ସହାୟତାରେ ସନ୍ରାଇଜର୍ସ ହାଇଦ୍ରାବାଦ ୨୩ ରନ୍ରେ କୋଲକାତା ନାଇଟ୍ ରାଇଡର୍ସକୁ ପରାସ୍ତ କରିଛି। ଉଭୟ ଦଳ ନିଜ ନିଜ ଚତୁର୍ଥ ମ୍ୟାଚ୍ ଖେଳିଥିବା ବେଳେ ସନରାଇଜର୍ସ ହାଇଦ୍ରାବାଦ ଦ୍ବିତୀୟ ବିଜୟ ଏବଂ କୋଲକାତା ନାଇଟ୍ ରାଇଡର୍ସ ଦ୍ବିତୀୟ ପରାଜୟ ବରଣ କରିଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ ପାଇଥିବା ସନରାଇଜର୍ସ ହାଇଦ୍ରାବାଦ ପାଇଁ ହାରି ବ୍ରୁକ୍ ବିସ୍ଫୋରକ ଆରମ୍ଭ କରିଥିଲେ। ଦୁଇ ଭାରତୀୟ ବ୍ୟାଟର୍ ମୟଙ୍କ ଅଗ୍ରୱାଲ୍ ଓ ରାହୁଲ ତ୍ରିପାଠୀ ସମାନ ୯ ରନ୍ ଲେଖାଏଁ କରି ଆନ୍ଦ୍ରେ ରସେଲଙ୍କ ଶିକାର ହୋଇଥିଲେ। ବ୍ରୁକଙ୍କ ପାଇଁ ହାଇଦ୍ରାବାଦ ପ୍ରଥମ ୪ ଓଭରରୁ ୪୬ ରନ୍ ଆଦାୟ କରିବା ସହ ପାୱାର ପ୍ଲେ ଶେଷ ସୁଦ୍ଧା ୬୫ ରନ୍ ଯୋଡ଼ିଥିଲା। ଅଧିନାୟକ ଏଡେନ ମାରକ୍ରମ ୨୫ ବଲ୍ରୁ ଅର୍ଦ୍ଧଶତକ ହାସଲ କରିବାରୁ ସନରାଇଜର୍ସ ୧୧ ଓଭରରୁ ୧୦୦ ରନ୍ ସଂଗ୍ରହ କରି ନେଇଥିଲା। ବ୍ରୁକ୍ କିନ୍ତୁ ୩୨ ବଲ୍ରୁ ଅର୍ଦ୍ଧଶତକ ହାସଲ ପରେ ପରବର୍ତୀ ୫୦ ରନ୍ ପାଇଁ ମାତ୍ର ୨୩ ବଲ୍ ଖେଳିଥିଲେ। ଟ୍ବେଣ୍ଟି-୨୦ ଫର୍ମାଟରେ ଏହା ତାଙ୍କ ପ୍ରଥମ ଶତକ ଥିଲା। ଏଥି ସହ ହାଇଦ୍ରାବାଦ ଚଳିତ ସଂସ୍କରଣରେ ସର୍ବାଧିକ ଦଳଗତ ସ୍କୋର୍ ୨୨୮ ରନ୍ କରିଥିଲା। ଜବାବରେ କୋଲକାତା ନାଇଟ୍ ରାଇଡର୍ସ ପ୍ରଥମ ଓଭରରେ ରହମନୁଲ୍ଲା ଗୁରବାଜଙ୍କୁ ହରାଇଥିଲା। ଇମ୍ପାକ୍ଟ ପ୍ଲେୟାର୍ ଭେଙ୍କଟେଶ ଆୟର୍ଙ୍କ ସହ ସୁନିଲ ନାରାୟଣ, ଆନ୍ଦ୍ରେ ରସେଲ ଆଉଟ୍ ହୋଇଯିବା କୋଲ୍କାତା ନାଇଟ୍ ରାଇଡର୍ସକୁ ଚାପରେ ପକାଇଥିଲା। ଅଧିନାୟକ ନୀତୀଶ ରାଣା କିନ୍ତୁ ୨୫ ବଲ୍ରୁ ଅର୍ଦ୍ଧଶତକ ହାସଲ କରିବା ସହ ରିଙ୍କୁ ସିଂହଙ୍କୁ ସାଥି କରି ୩୮ ବଲ୍ରୁ ୬୯ ରନ୍ ଯୋଡ଼ିଥିଲେ। ୪୧ ବଲ୍ରୁ ୭୫ ରନ୍ କରିଥିବା ବେଳେ ରାଣା ଆଉଟ୍ ହୋଇଥିଲେ। ରିଙ୍କୁ ସିଂହ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ୫୮ ରନ୍ କରିଥିଲାବେଳେ ଦଳ ୨୦୫/୭ ସ୍କୋର କରିପାରିଥିଲା।

Govt

Comments are closed.