ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ହୋଇପାରେ ଭାରତ-ପାକିସ୍ତାନ ବିଶ୍ବକପ୍‌ ମୁକାବିଲା

ନୂଆଦିଲ୍ଲୀ: ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଭାରତରେ ଖେଳାଯିବ ଦିନିକିଆ ବିଶ୍ବକପର ତ୍ରୟୋଦଶ ସଂସ୍କରଣ। ଏହାର ଖେଳସୂଚୀ ପ୍ରକାଶ ପାଇନଥିଲେ ମଧ୍ୟ ସବୁଠାରୁ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମୁକାବିଲା ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବା ସମ୍ଭାବନା ରହିଛି। ଭାରତ ଗସ୍ତ ନେଇ ପାକିସ୍ତାନ ପକ୍ଷରୁ ସ୍ପଷ୍ଟ କରାଯାଇ ନଥିବାବେଳେ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଏହା ଜଣାପଡିଛି। ଏହା ସତ୍ୟ ପ୍ରମାଣିତ ହେଲେ ୭ ବର୍ଷ ପରେ ପ୍ରଥମ ଥର ପାଇଁ ଦୁଇ ଦଳ ଭାରତ ମାଟିରେ ମୁହାଁମୁହିଁ ହେବେ। ଶେଷ ଥର ପାଇଁ ଭାରତ ମାଟିରେ ଦୁଇ ପାରମ୍ପାରିକ ପ୍ରତିଦ୍ବଦ୍ବୀ ୨୦୧୬ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ପରସ୍ପର ସହ ଲଢ଼ିଥିଲେ। ଭାରତ-ପାକିସ୍ତାନ ହାଇଭୋଲଟେଜ୍ ମୁକାବିଲା ପାଇଁ ଦର୍ଶକଙ୍କ ଭିଡ଼ ରହୁଥିବାରୁ ଅହମଦାବାଦର ୧ ଲକ୍ଷ କ୍ଷମତା ବିଶିଷ୍ଟ ଷ୍ଟାଡ଼ିୟମକୁ ଏହି ମ୍ୟାଚ୍ ଆୟୋଜନ ଅଧିକାର ପ୍ରଦାନ କରିବାକୁ ବିସିସିଆଇ ଯୋଜନା କରିଛି। ବିଦେଶରୁ ମଧ୍ୟ ବହୁ ପ୍ରଶଂସକ ଏହି ମ୍ୟାଚ୍ ପାଇଁ ଭାରତ ଗସ୍ତରେ ଆସିବା ସମ୍ଭାବନା ରହିଛି। ବିଶ୍ବର ସର୍ବବୃହତ କ୍ରିକେଟ୍ ଷ୍ଟାଡିୟମ୍ ମାନ୍ୟତା ପାଇଥିବା ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ରେ ଭାରତ ନିଜର ୨ଟି ଲିଗ୍ ମ୍ୟାଚ୍ ଖେଳିବା ଯୋଜନା ରହିଛି। ପାକିସ୍ତାନ କିନ୍ତୁ ସୁରକ୍ଷା ଦୃଷ୍ଟିରୁ ଏହାର ଅଧିକାଂଶ ମ୍ୟାଚ୍କୁ ଚେନ୍ନାଇ ଓ ବେଙ୍ଗାଲୁରୁରେ ଖେଳିବାକୁ ପସନ୍ଦ କରିଛି। କୋଲକାତାର ଇଡେନ୍ ଗାର୍ଡେନ୍ସ ଅନ୍ୟତମ ଷ୍ଟାଡିୟମ୍ ଭାବେ ବିଚାରାଧୀନ ରହିଛି।

Govt

Comments are closed.