ଟ୍ବେଣ୍ଟି-୨୦ ବିଶ୍ବକପରେ ଆଜି ଭାରତ-କାନାଡ଼ା ଔପଚାରିକ ମୁକାବିଲା

ଲାଉଡରହିଲ୍: ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଭାରତ ତାହାର ଶେଷ ଗ୍ରୁପ୍ ମ୍ୟାଚ୍ ଆଜି କାନାଡ଼ା ସହିତ ଖେଳିବ। କିନ୍ତୁ ଏହି ମ୍ୟାଚ୍ ଖେଳାଯିବା ନେଇ କମ୍ ସମ୍ଭାବନା ରହିଛି। କାରଣ ଫ୍ଲୋରିଡାରେ ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତିକୁ ନଜରରେ ରଖି ଜୁରୁରିକାଳୀନ ସ୍ଥିତି ଘୋଷଣା କରାଯାଇଛି। ତଥାପି ଏହି ମ୍ୟାଚ୍ ଭାରତ ପାଇଁ ବିଶେଷ ଗୁରୁତ୍ବ ବହନ କରୁନି। କାରଣ ରୋହିତ ଶର୍ମାଙ୍କ ଦଳ ପ୍ରଥମ ୩ ମ୍ୟାଚ୍ ଜିତି ସୁପର-୮ରେ ପହଞ୍ଚିସାରିଛି। ଏହି ଗ୍ରୁପ୍ରୁ ଆମେରିକା ମଧ୍ୟ ଦ୍ବିତୀୟ ଦଳ ଭାବେ ସୁପର-୮ରେ ପ୍ରବେଶ କରିସାରିଛି। ତେଣୁ କାନାଡ଼ା କେବଳ ସମ୍ମାନ ରଖିବା ପାଇଁ ଖେଳିବ।
ଯଦି ଶନିବାର ମ୍ୟାଚ୍ ଖେଳିବା ସମ୍ଭବ ହୁଏ, ତାହେଲେ ସବୁଠୁ ଅଧିକ ନଜର ରହିବ ବିରାଟ କୋହଲିଙ୍କ ଉପରେ। ଆଇପିଏଲ୍ରେ ନାରଙ୍ଗୀ ଟୋପି ହାସଲ କରିଥିବା କୋହଲିଙ୍କ ବିଶ୍ବକପ୍ ଅଭିଯାନ ଆଦୌ ଉତ୍ସାହଜନକ ହୋଇପାରିନି। ପୂର୍ବ ୩ ମ୍ୟାଚ୍ରେ ଭାରତର ଦଳଗତ ପ୍ରଦର୍ଶନ ବ୍ୟକ୍ତିଗତ ପ୍ରଦର୍ଶନକୁ ପଛରେ ପକାଇ ଦେଇଥିଲା। ଯେଉଁଥିପାଇଁ ଭାରତୀୟ ବ୍ୟାଟିଂ ଉପରେ ବିଶେଷ ଆଲୋଚନା ହୋଇନାହିଁ। କିନ୍ତୁ ଶୀର୍ଷ ବ୍ୟାଟର୍ଙ୍କ ଖରାପ ପ୍ରଦର୍ଶନ ମଧ୍ୟଭାଗ ଉପରେ ଅଧିକ ଚାପ ପକାଇଆସିଛି। ଶୀର୍ଷକ୍ରମକୁ ଛାଡ଼ିଦେଲେ ଭାରତର ବ୍ୟାଟିଂ ଅପେକ୍ଷାକୃତ ଭଲ ରହିଛି। ତେବେ ବୋଲିଂ ବିଭାଗ ଏହାଠୁ ଅଧିକ ଶକ୍ତିଶାଳୀ ମନେ ହେଉଛି। ୩ ମ୍ୟାଚ୍ରେ ଅର୍ଶଦୀପ ସିଂହ (୭ ୱିକେଟ୍), ହାର୍ଦିକ ପାଣ୍ଡ୍ୟା (୭ ୱିକେଟ୍), ଯଶପ୍ରୀତ୍ ବୁମ୍ରା (୫ ୱିକେଟ୍) ପ୍ରତିପକ୍ଷ ବ୍ୟାଟର୍ଙ୍କୁ ହାତ ଖୋଲିବାକୁ ଦେଇ ନାହାନ୍ତି।

Govt

Comments are closed.