ଚେନ୍ନାଇ ସୁପର୍ କିଙ୍ଗ୍ସକୁ ପଞ୍ଚମ ଆଇପିଏଲ୍ ଟ୍ରଫି

ଅହମଦାବାଦ: ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ରେ ଚେନ୍ନାଇ ସୁପରକିଙ୍ଗ୍ସ ୫ ୱିକେଟ୍ରେ ଗତଥରର ବିଜେତା ଗୁଜରାଟ ଟାଇଟନ୍ସକୁ ପରାସ୍ତ କରି ମହେନ୍ଦ୍ର ସିଂ ଧୋନିଙ୍କ ସ୍ବପ୍ନ ସାକାର କରିଛି। ଶେଷ ଦୁଇ ବଲ୍ରୁ ୧୦ ରନ୍ ଆବଶ୍ୟକ ପଡ଼ିଥିବାବେଳେ ମୋହିତ ଶର୍ମାଙ୍କୁ ଛକା ଓ ଚୌକା ମାରି ରବୀନ୍ଦ୍ର ଜାଡ଼େଜା ଏହାକୁ ଧୋନିଙ୍କ ଷ୍ଟାଇଲରେ ଶେଷ କରିଥିଲେ। ଅମ୍ବାତି ରାୟୁଡୁଙ୍କ ପାଇଁ ଏହା ଶେଷ ମ୍ୟାଚ୍ ହୋଇଥିବାରୁ ଆଇପିଏଲ୍ ବିଜେତା ହୋଇ ସ୍ମରଣୀୟ ବିଦାୟ ନେଇଛନ୍ତି। ଏଥିସହ ମୋଟ୍ ୬ ଥରର ଟ୍ରଫି ଜିତିବାରେ ରାୟୁଡୁ (ମୁମ୍ବାଇ ଇଣ୍ଡିଆନ୍ସ, ଚେନ୍ନାଇ ସୁପରକିଙ୍ଗ୍ସ) ମୁମ୍ବାଇ ଅଧିନାୟକ ରୋହିତ ଶର୍ମା (ଡେକାନ ଚାର୍ଜର୍ସ, ମୁମ୍ବାଇ ଇଣ୍ଡିଆନ୍ସ)ଙ୍କ ସମକକ୍ଷ ହୋଇଛନ୍ତି। ଏହି ବିଜୟ ସହ ୫ ଥରର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ସହ ଚେନ୍ନାଇ ମଧ୍ୟ ସମକକ୍ଷ ହୋଇଛି। ଏଥି ପୂର୍ବରୁ ଚେନ୍ନାଇ ୨୦୧୦, ୨୦୧୧, ୨୦୧୮ ଓ ୨୦୨୧ରେ ଆଇପିଏଲ୍ ବିଜେତା ହୋଇଥିଲା।
ବର୍ଷା ବାଧାପ୍ରାପ୍ତ ଚେନ୍ନାଇ ପାଳିରେ ପରିବର୍ତ୍ତିତ ଲକ୍ଷ୍ୟ ୧୫ ଓଭରରେ ୧୭୧ ରନ୍ ରଖାଯାଇଥିଲା ବେଳେ ୧୧.୪ ହାରରେ ରନ୍ ଆବଶ୍ୟକତା ଥିଲା। ଋତୁରାଜ ଗାଏକ୍ବାଡ ଓ ଡେଭନ କନୱେ ଆକ୍ରମଣାତ୍ମକ ଖେଳି ପାୱାରପ୍ଲେ ୪ ଓଭରରୁ ୫୨ ରନ୍ ବାହାର କରିବା ପରେ ଆଫଗାନୀ ବୋଲର ନୂର ଅହମ୍ମଦଙ୍କ ଗୋଟିଏ ଓଭରରେ ଦୁଇ ବ୍ୟାଟରଙ୍କୁ ଆଉଟ୍ କରି ବଡ଼ ସଫଳତା ଦେଇଥିଲେ। ସପ୍ତମ ଓଭରର ତୃତୀୟ ବଲ୍ରେ ଗାଏକ୍ବାଡ (୨୬) ଓ ଶେଷ ବଲ୍ରେ କନୱେ (୪୭) ଙ୍କୁ ନୂର ଆଉଟ୍ କରିଥିଲେ। ଅଜିଙ୍କ୍ୟ ରାହାଣେ (୨୭) ଚୌକା, ଛକା ପାର୍ଟିରେ ସାମିଲ ହୋଇ ଦଳକୁ ୧୦୦ ପାର୍ କରାଇଥିଲେ। ଶେଷ ମ୍ୟାଚ୍ ଖେଳୁଥିବା ଅମ୍ବାତି ରାୟୁଡୁ, ମୋହିତ ଶର୍ମାଙ୍କୁ ଦୁଇଟି ଛକା ମାରି ବଲ୍ ଓ ଆବଶ୍ୟକୀୟ ରନ୍ ବ୍ୟବଧାନ କମ୍ କରାଇଥିଲେ। ହେଲେ ରାୟୁଡୁଙ୍କ ସହ ପରବର୍ତ୍ତୀ ବଲ୍ରେ ଧୋନି ଆଉଟ୍ ହୋଇଯିବାରୁ ସିଏସ୍କେ ଶିବିରରେ ନୀରବତା ଖେଳିଯାଇଥିଲା। ତଥାପି ଶିବମ ଦୁବେ (୩୨*) ଓ ରବୀନ୍ଦ୍ର ଜାଡ଼େଜା (୧୫*) ଶେଷ ପର୍ଯ୍ୟନ୍ତ ସଂଘର୍ଷ ଜାରି ରଖି ଦଳକୁ ଜିତାଇଥିଲେ।
ଏଥିପୂର୍ବରୁ ସାଇ ସୁଦର୍ଶନଙ୍କ ବିସ୍ଫୋରକ ବ୍ୟାଟିଂ ସହିତ ରିଦ୍ଧିମାନ ଶାହା ଓ ଶୁବମନ ଗିଲ୍‌ଙ୍କ ଆକର୍ଷଣୀୟ ବ୍ୟାଟିଂ ବଳରେ ଗୁଜରାଟ ଟାଇଟନ୍ସ ଫାଇନାଲ୍‌ରେ ଚେନ୍ନାଇ ସୁପରକିଙ୍ଗ୍ସ ସମ୍ମୁଖରେ ୨୧୫ ରନ୍ର ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ପାଣିପାଗ ସ୍ଥିତିକୁ ନଜରରେ ରଖି ମହେନ୍ଦ୍ର ସିଂହ ଧୋନି ଟସ୍‌ ଜିତି କ୍ଷେତ୍ରରକ୍ଷଣ କରିବାକୁ ନିଷ୍ପତ୍ତି ନେଇଥିଲେ। ରିଦ୍ଧିମାନ ଓ ଶୁବମନ ଦମ୍‌ଦାର ଆରମ୍ଭ କରିବା ସହ ପାୱାରପ୍ଲେରୁ ୬୨ ରନ୍‌ ଉଠାଇଥିଲେ। ସପ୍ତମ ଓଭରରେ ରବୀନ୍ଦ୍ର ଜାଡ଼େଜା ଭଲ ଫର୍ମରେ ଥିବା ଶୁବମନ (୩୯)ଙ୍କୁ ଆଉଟ୍‌ କରିବାରେ ସଫଳ ହୋଇଥିଲେ। ପରେ ରିଦ୍ଧିମାନ ଓ ସୁଦର୍ଶନ ଆକ୍ରମଣ ଜାରି ରଖିବା ସହ ଉଭୟ ପଟୁ ବୋଲରଙ୍କୁ ଚୌକା ଛକା ମାରିଚାଲିଥିଲେ। ଶେଷରେ ରିଦ୍ଧିମାନଙ୍କୁ ଚହର ଆଉଟ୍‌ କରିବାରେ ସଫଳ ହୋଇଥିଲେ। ସୁଦର୍ଶନଙ୍କ ସହ ଅଧିନାୟକ ପାଣ୍ଡ୍ୟା ପାଳିକୁ ଆଗେଇ ନେବା ସହ ୧୯ ଓଭରରେ ୨୦୦ରେ ପହଞ୍ଚାଇଥିଲେ। ଶେଷ ଓଭରରେ ଶତକଠୁ ୪ ରନ୍‌ (୯୬ ରନ୍‌, ୪୭ ବଲ୍‌, ୮ଚୌକା, ୬ଛକା) ଦୂରରେ ଥିବାବେଳେ ସୁଦର୍ଶନଙ୍କୁ ମଥିଶା ପଥିରଣା ଏଲ୍‌ବିଡବ୍ଲୁ କରିଥିଲେ। ପାଣ୍ଡ୍ୟା ୧୨ ବଲ୍‌ରୁ ୨ ଛକା ସହାୟତାରେ ୨୧ ରନ୍‌ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ଥିଲେ।

Govt

Comments are closed.