ଅହମଦାବାଦ: ଗତ ସଂସ୍କରଣରେ ତଳେ ରହିଥିବା ମୁମ୍ବାଇ ଏଥର ତୃତୀୟ ସ୍ଥାନରେ ରହି ଆଇପିଏଲ୍ ଅଭିଯାନ ଶେଷ କରିଛି। କ୍ବାଲିଫାୟର-୨ରେ ମୁମ୍ବାଇକୁ ୬୨ ରନ୍ରେ ଗୁଜରାଟ ପରାସ୍ତ କରିଛି। ଶୁବମନ ଗିଲ୍ଙ୍କ ଶତକୀୟ ପାଳି ବଳରେ ମୁମ୍ବାଇ ସମ୍ମୁଖରେ ୨୩୪ ରନ୍ର ଲକ୍ଷ୍ୟ ଥିଲେ ବି ମୋହିତ ଶର୍ମାଙ୍କ ଘାତକ ବୋଲିଂ ଆଗରେ ରୋହିତ ଶର୍ମାଙ୍କ ଦଳ ୧୭୧ ରନ୍ କରି ସମସ୍ତ ୱିକେଟ୍ ହରାଇଥିଲା। ଏହାଫଳରେ ଗୁଜରାଟ ଟାଇଟନ୍ସ ଲଗାତାର ଦ୍ବିତୀୟ ଥର ପାଇଁ ଫାଇନାଲ୍ରେ ପ୍ରବେଶ କରିବା ସହ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ରେ ରବିବାର ହେବାକୁ ଥିବା ଫାଇନାଲ୍ରେ ଚେନ୍ନାଇ ସୁପରକିଙ୍ଗ୍ସକୁ ଭେଟିବ।
ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ରୋହିତ ଶର୍ମା ଓ ନେହଲ ୱାଧିରା ପାଳି ଆରମ୍ଭ କରିଥିଲେ ସୁଦ୍ଧା ଉଭୟଙ୍କୁ ମହମ୍ମଦ ସାମି ଆଉଟ୍ କରି ପାୱାରପ୍ଲେ ଭିତରେ ପାଭିଲିଅନ୍ ଫେରାଇଥିଲେ। ତିଳକ ବର୍ମା ଓ ସୂର୍ଯ୍ୟକୁମାର ଯାଦବ ମୁମ୍ବାଇକୁ ସମ୍ଭାଳିବା ସହ ଆବଶ୍ୟକୀୟ ରନ୍ ହାର ପକାଇଚାଲିଥିଲେ। କିନ୍ତୁ ପାୱାରପ୍ଲେର ଶେଷ ବଲ୍ରେ ତିଳକଙ୍କୁ ରସିଦ ଖାନ୍ ବୋଲ୍ଡ କରି ଯୋଡ଼ି ଭାଙ୍ଗିଥିଲେ। ସୂର୍ଯ୍ୟକୁମାର ଯାଦବ ଏକାକି ଗୋଟିଏ ପଟରୁ ଲଢେଇ ଜାରି ରଖି ୬୧ ରନ୍ କରି ଆଉଟ୍ ହୋଇଥିଲେ। ସୂର୍ଯ୍ୟଙ୍କ ୱିକେଟ୍ ଯିବା ପରେ ମୁମ୍ବାଇର ସବୁ ଆଶା ମଉଳି ଯାଇଥିଲା। ମୋହିତ ଶର୍ମା ୫ ୱିକେଟ୍ ନେଇ ମୁମ୍ବାଇ ବ୍ୟାଟିଂ କ୍ରମ ଭାଙ୍ଗିଥିଲେ।
ଏଥିପୂର୍ବରୁ ବର୍ଷା ଯୋଗୁଁ ଅଧଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିବା ଏହି ମ୍ୟାଚ୍ରେ ଟସ୍ ଜିତି ରୋହିତ ବୋଲିଂ କରିଥିଲେ। ଆରମ୍ଭରୁ ରକ୍ଷଣାତ୍ମକ ଖେଳି ଶୁବମନ ଗିଲ୍ ଓ ରିଦ୍ଧିମାନ ଶାହ ପାୱାରପ୍ଲେ ମଧ୍ୟରେ ୫୦ ରନ୍ ବାହାର କରିଥିଲେ। ପୀୟୂଷ ଚାୱଲା ତାଙ୍କ ପ୍ରଥମ ଓଭରରେ ରିଦ୍ଧିମାନ (୧୮)ଙ୍କୁ ଆଉଟ୍ କରିବା ପରେ ସାଇ ସୁଦର୍ଶନଙ୍କୁ ସାଥୀ କରି ଗିଲ୍ ଦଳର ରନ୍ ଗତି ବଢାଇଥିଲେ। ତିନିଟି ଜୀବନଦାନ ପାଇବା ପରେ ଗିଲ୍ ଅଧିକ ଆକ୍ରମଣାତ୍ମକ ଖେଳି ୪୯ ବଲ୍ରୁ ଚଳିତ ଆଇପିଏଲ୍ରେ ତୃତୀୟ ଶତକ ଅର୍ଜନ କରିଥିଲେ। ଏଥିସହ ପ୍ଲେ ଅଫ୍ରେ ଦ୍ରୁତତମ ଶତକରେ ଗିଲ୍ ମଧ୍ୟ ରିଦ୍ଧିମାନ ଶାହ (୨୦୧୪ ଫାଇନାଲ୍) ଓ ରଜତ ପଟିଦାର (୨୦୨୨ ଏଲିମିନେଟର)ଙ୍କ ସମକକ୍ଷ ହୋଇଥିଲେ। ଏହି ଶତକ ଜରିଆରେ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ମାଇକେଲ୍ କ୍ଲିଙ୍ଗରଙ୍କ ସହ ୪ ଟ୍ବେଣ୍ଟି-୨୦ ପାଳିରେ ୩ ଶତକ ମାରିବା କୀର୍ତ୍ତିମାନର ସମକକ୍ଷ ମଧ୍ୟ ହୋଇଛନ୍ତି। ପୁଣି ଆଇପିଏଲ୍ ପ୍ଲେ ଅଫ୍ରେ ବୀରେନ୍ଦ୍ର ସେହବାଗ୍ (୧୨୨ ରନ୍, ୨୦୧୪)ଙ୍କୁ ପଛରେ ପକାଇ ସର୍ବାଧିକ ରନ୍ ସଂଗ୍ରହକାରୀ ହୋଇଛନ୍ତି। ଏଥିସହ ଗୋଟିଏ ସଂସ୍କରଣରେ ୩ ଶତକ ମାରିବାରେ ବିରାଟ କୋହଲି (୨୦୧୬) ଓ ଜୋସ୍ ବଟଲର୍ (୨୦୨୨)ଙ୍କ ସମକକ୍ଷ ହୋଇଛନ୍ତି। ପ୍ଲେ ଅଫ୍ରେ ସପ୍ତମ ଶତକ ଅର୍ଜନକାରୀ ହେବା ସହ ସର୍ବକନିଷ୍ଠ (୨୩ ବର୍ଷ ୨୬୦ ଦିନ) ଭାବେ ୧୦୦+ ରନ୍ ସଂଗ୍ରହ କରିଥିଲେ। ୬୦ ବଲ୍ରୁ ୭ ଚୌକା ଓ ୧୦ ଛକା ସହାୟତାରେ ଗିଲ୍ ୧୨୯ ରନ୍ କରିଥିଲା ବେଳେ ୧୭ତମ ଓଭରରେ ପୂର୍ବ ମ୍ୟାଚ୍ର ହିରୋ ଆକାଶ ମାଧୱାଲ୍ ତାଙ୍କୁ ଆଉଟ୍ କରି ମୁମ୍ବାଇକୁ ସାମାନ୍ୟ ଆଶ୍ବସ୍ତି ଦେଇଥିଲେ। ଗିଲ୍ଙ୍କ ଏହି କୀର୍ତ୍ତିମାନ ଭରା ପାଳିରେ ସାଥୀ ଥିବା ସାଇ ସୁଦର୍ଶନ ବଡ଼ ସଟ୍ ମାରିବାରେ ସଫଳତା ପାଉନଥିବାରୁ ସ୍ବତଃ ରିଟାୟର୍ଡ ଆଉଟ୍ ହୋଇଯାଇଥିଲେ।

Comments are closed.