ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀଙ୍କ ଘରକୁ ଅଣ୍ଡା ଓ ଟମାଟୋ ମାଡ଼ । ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସରକାରୀ ବାସଭବନ ଘେରାଉ କରିଛି ଯୁବ କଂଗ୍ରେସ। ବୁଧବାର ଶହ ଶହ କଂଗ୍ରେସ କର୍ମୀ ଓ ନେତା ମୁଖ୍ୟମନ୍ତ୍ରୀଙ୍କ ଇସ୍ତାପ ଦାବି କରି ଘେରାଉ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନକୁ ଧସେଇ ପଶିବାକୁ ଉଦ୍ୟମ କରୁଥିବାବେଳେ କଂଗ୍ରେସ କର୍ମୀଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା ପୁଲିସ । ଫଳରେ ପୁଲିସ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ କିଛି ସମୟ ଧସ୍ତାଧସ୍ତିର ଚିତ୍ର ମଧ୍ୟ ସାମ୍ନାକୁ ଆସିଛି। କିଛି ଯୁବ କଂଗ୍ରେସ କର୍ମୀଙ୍କୁ ପୁଲିସ ଉଠାଇ ନେଇଛି । ଏହି ସମୟରେ ଓଡ଼ିଆ ଅସ୍ମିତା କୁଆଡେ ଗଲା ବୋଲି ନାରାବାଜି କରୁଥିଲେ କଂଗ୍ରେସ କର୍ମୀ ।
ରାଜ୍ୟରେ ନାରୀମାନଙ୍କ ଉପରେ ନିର୍ଯାତନା ବଢିଚାଲିଥିବାବେଳେ ସରକାର ନିରବଦ୍ରଷ୍ଟା ପାଲଟିଛନ୍ତି। ଦଳିତଙ୍କୁ ମାଡ ମରାଯାଉଛି, ତାଙ୍କୁ ଲଣ୍ଡା କରାଯାଇ ରାଜରାସ୍ତାରେ ଚଲାଉଛନ୍ତି। ରାଜ୍ୟରେ ଗଣତନ୍ତ୍ର ଅଛି କି ନାହିଁ ବୋଲି ପ୍ରଶ୍ନ କରିଛି ଯୁବ କଂଗ୍ରେସ। ତେଣୁ ତୁରନ୍ତ ମୁଖ୍ୟମନ୍ତ୍ରୀ ତାଙ୍କ ପଦରୁ ଇସ୍ତାପ ଦିଅନ୍ତୁ, ନଚେତ ଆଗାମୀ ଦିନରେ ବିରୋଧକୁ ଅଧିକ ବ୍ୟାପକ କରାଯିବ ବୋଲି ଚେତାବନୀ ଦେଇଛି କଂଗ୍ରେସ। ରାଜ୍ୟରେ ମୁଖ୍ୟମନ୍ତ୍ରୀ ଯେଉଁ ସ୍ଥାନକୁ ଗସ୍ତ କରିବେ ସେଠାରେ ତାଙ୍କୁ ବିରୋଧ କରାଯିବ ବୋଲି ମଧ୍ୟ ଯୁବ କଂଗ୍ରେସ ଚେତାବନୀ ଦେଇଛି। ତେବେ ଆଗକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କର ଓଡିଶା ଗସ୍ତ କାର୍ଯ୍ୟକ୍ରମ ଥିବାବେଳେ,ଶକ୍ତି ପ୍ରଦର୍ଶନ କରୁଛି ଯୁବ କଂଗ୍ରେସ ।

Comments are closed.