ନୀଳଗିରି : ବନ୍ଧୁ ନିମନ୍ତ୍ରଣ ନୋହିଲା । ଲୁହରେ ଭିଜିଲା ବାହାଘର ପ୍ରସ୍ତୁତି। ବନ୍ଧୁଙ୍କୁ ଆଣିବାକୁ ରେଳଷ୍ଟେସନ୍କୁ ଯାଉଥିବାବେଳେ ଡାକିନେଲା କାଳ । ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ବର ହେବାକୁ ଯାଉଥିବା ଯୁବକଙ୍କ ମୃତ୍ୟୁ ଘଟିଥିବାବେଳେ ପୁତୁରା ଗୁରୁତର ଆହତ ହୋଇ ଜୀବନ ମରଣ ସହିତ ସଂଗ୍ରାମ କରୁଛନ୍ତି। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ବାଲିଗୋହିରି ଛକ ନିକଟରେ । ତାଙ୍କ କାର ସହିତ ଏକ ଦ୍ରୁତଗାମୀ ଡମ୍ପର ମୁହାଁମୁହିଁ ଧକ୍କା ହେବାରୁ ଏହି ଦୁର୍ଘଟଣା ଘଟିଛି । ମୃତ ଯୁବକ ହେଲେ ନୀଳଗିରି ଗୋବରା ଗାଁର ହରେକୃଷ୍ଣ ମହାଳିକ ଏବଂ ଆହତ ପୁତୁରା ହେଉଛନ୍ତି ଜ୍ୟୋତିଶଙ୍କର । କ୍ଷତିପୂରଣ ଦାବିରେ ୧୯ ନଂ ରାଜ୍ୟ ରାଜପଥର ବାଲିଗୋହିରୀ ଛକ ନିକଟରେ ରାସ୍ତାରୋକ କରିଛନ୍ତି ଉତ୍ତ୍ୟକ୍ତ ଲୋକେ। ଦାବି ପୂରଣ ନହେବା ଯାଏଁ ରାସ୍ତାରୋକ ହଟିବନି ବୋଲି ଚେତାବନୀ ଦେଇଛନ୍ତି।
ସୂଚନାନୁସାରେ, ନୀଳଗିରି ଥାନା ଗାଙ୍ଗପୁରା ଗାଁର ହରେକୃଷ୍ଣ ମହାଳିକଙ୍କର ଶୁକ୍ରବାର ବିବାହ ଥିଲା । ବୁଧବାର ଭୋରୁ ତାଙ୍କ ପୁତୁରା ଜ୍ୟୋତିଶଙ୍କର ସହିତ ବାହାଘର ନିମନ୍ତେ ବନ୍ଧୁଙ୍କୁ ଆଣିବାକୁ ବାଲେଶ୍ବର ଷ୍ଟେସନକୁ ଯାଉଥିଲେ। ମାମୁ ପୁଅ ଭାଇ ଆସିବାର ଥିବା ବେଳେ କାର୍ରେ କକା ପୁତୁରା ବେଶ୍ ହସଖୁସିରେ ଯାଉଥିଲେ । ଏତିକିବେଳେ ସେରଗଡ଼-ଉଦଳା ରାସ୍ତା ବାଲିଗୋହିରି ନିକଟରେ ସାମ୍ନା ପଟରୁ ଏକ ଦ୍ରୁତଗାମୀ ଡମ୍ପର ଆସି କାର୍କୁ ଧକ୍କା ଦେଇଥିଲା । ଏପିରିକି କାର୍କୁ କିଛି ବାଟ ଟାଣି ମଧ୍ୟ ନେଇଯାଇଥିଲା । ଏତେ ଭୟଙ୍କର ଦୁର୍ଘଟଣା ପରେ ଘଟଣାସ୍ଥଳରେ ହରେକୃଷ୍ଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜ୍ୟୋତିଶଙ୍କରଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ।
ବାହାଘରକୁ ଆଉ ଗୋଟିଏ ଦିନ ଥିବାରୁ ମୃତ୍ୟୁକୁ ନେଇ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଛି । ମୃତକ ପରିବାର ଓ ଗ୍ରାମବାସୀଙ୍କ ପକ୍ଷରୁ ସେରଗଡ଼-ଝରଣାଘାଟିରେ ରାସ୍ତା ଅବରୋଧ କରିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

Comments are closed.