ସାଧାରଣତଃ ପକ୍ଷୀମାନେ ସିଧା ଉଡୁଥିବାର ସମସ୍ତେ ଦେଖିଥିବେ, ହେଲେ ଏଭଳି ମଧ୍ୟ ପକ୍ଷୀ ଅଛି ଯିଏ ଓଲଟା ଉଡିଥାଏ । ଏହି ପକ୍ଷୀକୁ ଦୁନିଆର ସବୁଠାରୁ ଛୋଟ ପକ୍ଷୀର ଆଖ୍ୟା ମଧ୍ୟ ମିଳିଛି । ବି ହମିଂ ନାମକ ଏହି ପକ୍ଷୀଟିର ଲମ୍ବ ମାତ୍ର ୫ ରୁ ୬ ସେଣ୍ଟିମିଟର ଭିତରେ ରହିଥାଏ । ସେହିଭଳି ଏହାର ଓଜନ ୧.୫ରୁ ୨ ଗ୍ରାମ ଭିତରେ ରହିଥାଏ, ଯାହା ଗୋଟିଏ ଚାଉଳର ଦାନା ଭଳି ହୋଇଥାଏ । ତେବେ ଏହାର ରାବିବାର ଶବ୍ଦ ଅବିକଳ ମହୁମାଛି ଭଳି ତେଣୁ ଏହାକୁ ଲୋକମାନେ ମହୁମାଛି ବୋଲି ଆକଳନ କରିଥାଆନ୍ତି । ଏହି ପକ୍ଷୀଟି ଦେଖିବାକୁ ଖୁବ ସୁନ୍ଦର ହୋଇଥାଏ, ଏହାର ରଙ୍ଗ, ଆକାର ଓ ରାବିବାର ଶବ୍ଦ ଏହାକୁ ଅନ୍ୟ ପକ୍ଷୀଙ୍କ ଭିତରେ ସ୍ୱତନ୍ତ୍ର କରିଥାଏ । ସେହିଭଳି ଏହି ପକ୍ଷୀର ଅଣ୍ଡା ମଟର ଦାନାଠାରୁ ବି ଛୋଟ ହୋଇଥାଏ । ଏହି ପକ୍ଷୀଗୁଡିକ କୁବାର ଘଞ୍ଚ ଜଙ୍ଗଲ ସହିତ ଖୋଲା ସ୍ଥାନରେ ମଧ୍ୟ ଦେଖିବାକୁ ମିଳିଥାଆନ୍ତି । ତେବେ ଧୀରେଧୀରେ ବିଭିନ୍ନ କାରଣ ପାଇଁ ଏମାନଙ୍କ ସଂଖ୍ୟା କମିବାରେ ଲାଗିଛି ।

Comments are closed.