ଇଟାଲୀ: ମାଠିଆ ପରି ଦେଖାଯାଉଥିବା ଘରଗୁଡ଼ିକ ଇଟାଲୀର ରବେନା ସହରରେ ନିର୍ମିତ ହୋଇଛି । ଏହା ବିଶ୍ୱର ପ୍ରଥମ ପରିବେଶ ଉପଯୋଗୀ ମାଟିରୁ ନିର୍ମିତ ସ୍ଥାୟୀ ଥ୍ରୀଡି ପ୍ରିଣ୍ଟେଡ୍ ଘର । ଏହି ନିଆରା ଘର ଇଟାଲୀର ପ୍ରାଚୀନ ସଭ୍ୟତାକୁ ଦର୍ଶାଉଛି । ଏହାର ନାମ ଟେଲ୍କା ହାଉସ୍ ରଖାଯାଇଛି । ଏହି ଘରର ଗୋଟିଏ ସେଟ୍କୁ ମାତ୍ର ୨୦୦ ଘଣ୍ଟାରେ ଥ୍ରୀଡି ପ୍ରିଣ୍ଟିଂ ଟେକ୍ନୋଲୋଜି ଦ୍ୱାରା ନିର୍ମାଣ କରାଯାଇଛି ।

ଏହି ଗମ୍ବୁଜ ଘରଗୁଡ଼ିକରେ ବାସଗୃହ, ବାଥ୍ରୁମ ଏବଂ ଶୟନ କକ୍ଷ ସହିତ ଅନେକ ସୁବିଧା ଯୋଗାଇ ଦିଆଯାଇଛି । ଡୋମ୍ ହାଉସ୍ ନିର୍ମାଣର ପରିକଳ୍ପନା ଇଟାଲୀର ଜଣାଶୁଣା ସ୍ଥପତି ତଥା ଆର୍କିଟେକଫର ମାରିଓ କୁସିନେଲା କରିଛନ୍ତି । ଏହି ନିଆରା ଘରକୁ ନୂଆ ପ୍ରଣାଳୀ ଏବଂ ମାଟିର ମିଶ୍ରଣ ସହିତ ତିଆରି କରାଯାଇଛି । ଏହାକୁ ନେଇ ମାରିଓ କହିଛନ୍ତି, ପ୍ରାଚୀନ କାଳରେ ଘରଗୁଡ଼ିକ ମାଟିରେ ତିଆରି କରାଯାଉଥିଲା, କି;ୁ ଆଜି ଏହା ଥ୍ରୀଡି ପ୍ରିଣ୍ଟିଂ ସାହାଯ୍ୟରେ ପ୍ରସ୍ତୁତ ହୋଇ ନୂଆ ଟେକ୍ନୋଲୋଜି ସହିତ ଗତି କରୁଛି ।

ଏହି ଘରେ ଏପରି ଲୋକଙ୍କୁ ଆଶ୍ରୟ ଦିଆଯିବ, ଯେଉଁମାନେ ଭୂମିହୀନ କିମ୍ବା ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛନ୍ତି କିମ୍ବା କେବେ ଘର ପାଇ ନାହାଁନ୍ତି । ଆହୁରି ମଧ୍ୟ ମାରିଓ କହିଛନ୍ତି ଯେ ଭବିଷ୍ୟତରେ ଏହିପରି ଘରଗୁଡ଼ିକ କମ୍ ସମୟ ମଧ୍ୟରେ ନିର୍ମାଣ ହୋଇପାରିବ ଏବଂ ଏହା ଦୁନିଆର ପ୍ରଥମ ଇକୋ ହାଉସ୍ ଭାବେ ବିବେଚନା କରାଯିବ ।

୬୪୫ ବର୍ଗଫୁଟ ଅଞ୍ଚଳରେ ଏହି ଡିଜାଇନର ଗୋଟିଏ ଘର ପ୍ରସ୍ତୁତ କରାଯାଇଛି । ଏହା ଦୁଇଟି ସ୍ତରରେ ତିଆରି ହୋଇଛି । ଏଥିରେ ଆବଶ୍ୟକତା ଅନୁଯାୟୀ ପ୍ରତ୍ୟେକ ସୁବିଧା ଉପଲବ୍ଧ ହେବ । ଯଦି ଏହି ଘରଗୁଡିକ ପ୍ରାକୃତିକ ବିପର୍ଯ୍ୟୟରେ ଭୁଶୁଡି ପଡ଼େ, ତେବେ ଏହାକୁ ତୁରନ୍ତ ଥ୍ରୀଡି ପ୍ରିଣ୍ଟିଂ ମାଧ୍ୟମରେ ପୁନଃ ନିର୍ମାଣ କରାଯାଇପାରିବ । ଏହି ଘରର ବିଶେଷତ୍ୱ ହେଉଛି ବିପର୍ଯ୍ୟୟ ପ୍ରବଣ ଅଞ୍ଚଳ ପାଇଁ ଏହା ଏକ ଉତ୍ତମ ବିକଳ୍ପ ଭାବେ କାମ କରିବ ।

ଯଦି ବାହ୍ୟ ତାପମାତ୍ରା ଅଧିକ ହୁଏ, ତେବେ କାନ୍ଥରସ୍ତର ମୋଟା କରାଯାଇପାରିବ । ଶୂନ୍ୟ କାର୍ବନ ନିର୍ମାଣର ଆବିଷ୍କାର ପାଇଁ ଏହି ପ୍ରକଳ୍ପକୁ ଚୟନ କରାଯାଇଥିବା ମାରିଓ କହିଛନ୍ତି । କେବଳ ସେତିକି ନୁହେଁ ଭବିଷ୍ୟତ ପାଇଁ ଏହା ଏକ ଉତ୍ତମ ଗୃହ ଭାବରେ ବର୍ଣ୍ଣନା କରାଯାଇଛି ଏବଂ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀରେ ଏହି ପ୍ରକଳ୍ପ ମଧ୍ୟ ଉପସ୍ଥାପିତ ହୋଇଥିଲା ।

Comments are closed.