ପ୍ରତିବର୍ଷ ଜୁନ୍ ୫ ତାରିଖରେ ବିଶ୍ୱ ପରିବେଶ ଦିବସ ପାଳନ କରାଯାଉଛି । ୧୯୭୩ ମସିହାରୁ ଦୀର୍ଘ ୪୯ ବର୍ଷ ଧରି ଏହି ଦିବସ ପାଳିତ ହେଉଛି । ଏହି ଦିବସ ପାଳନର ଉଦ୍ଦେଶ୍ୟ ହେଉଛି ପରିବେଶ ପ୍ରତି ସକରାତ୍ମକ ଜନଜାଗ୍ରତତା ସୃଷ୍ଟି କରିବା ଏବଂ ପରିବେଶର ସୁରକ୍ଷା କରିବା । ୧୯୭୩ ମସିହାରେ ପ୍ରଥମ ବିଶ୍ୱ ପରିବେଶ ଦିବସ ପାଳନ କରାଯାଇଥିଲା । ସାମୁଦ୍ରିକ ପ୍ରଦୂଷଣ, ଅଧିକ ଜନସଂଖ୍ୟା, ଗ୍ଲୋବାଲ୍ ଓ୍ୱାର୍ମିଂ, ସ୍ଥାୟୀ ବିକାଶ ଏବଂ ବନ୍ୟଜନ୍ତୁ ଅପରାଧ ଭଳି ପରିବେଶ ସମ୍ବନ୍ଧିତ ବିଭିନ୍ନ ସମସ୍ୟା ଉପରେ ସଚେତନତା ବୃଦ୍ଧି କରିବା ପାଇଁ ଏହା ଏକ ପ୍ଲାଟ୍ଫର୍ମ ରୂପେ କାର୍ଯ୍ୟ କରୁଛି । ଏହି ପ୍ଲାଟ୍ଫର୍ମକୁ ସମର୍ଥନ ଜଣାଇ ପ୍ରତିବର୍ଷ ୧୪୩ଟି ଦେଶ ଏହି ଦିବସକୁ ପାଳନ କରୁଛନ୍ତି । ଯୁକ୍ତରାଷ୍ଟ୍ରସଂଘର ପରିବେଶ କାର୍ଯ୍ୟକ୍ରମ ଅନ୍ତର୍ଗତ ଏହି ଦିବସ ପାଳନ କରାଯାଉଛି । ଏହାକୁ ବହୁ ବେସରକାରୀ ଅନୁଷ୍ଠାନ, ବ୍ୟବସାୟିକ ଅନୁଷ୍ଠାନ, ସରକାରୀ ସଂସ୍ଥାଗୁଡିକ ପକ୍ଷରୁ ସମର୍ଥନ ମିଳିଛିି । ମାନବ ପରିବେଶକୁ ନେଇ ୧୯୭୨ ମସିହା ଜୁନ୍ ୫ ତାରିଖରୁ ଯୁକ୍ତରାଷ୍ଟ୍ରସଂଘର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଯୁକ୍ତରାଷ୍ଟ୍ରସଂଘର ଆସେମ୍ଲି ଦ୍ୱାରା ୧୯୭୨ ମସିହାରେ ଏହି ଦିବସକୁ ପ୍ରତିଷ୍ଠା କରାଯାଇଥିଲା । ଏହାର ଠିକ୍ ବର୍ଷେ ପରେ ୧୯୭୩ ମସିହାରେ କେବଳ ଗୋଟିଏ ପୃଥିବୀ ଶୀର୍ଷକ ଥିମ୍ ଉପରେ ପ୍ରଥମ ବିଶ୍ୱ ପରିବେଶ ଦିବସ ପାଳିତ ହେଲା ।

Comments are closed.