ଶ୍ରମିକ ସଙ୍ଗଠନର ଭାରତ ବନ୍ଦ ଡାକରା,ବିରୋଧୀ ଦଳଙ୍କ ସମର୍ଥନ

ଭୁବନେଶ୍ୱର : ଆଜି ଦେଶବ୍ୟାପୀ ଚକ ଅଖ ବନ୍ଦ ଡାକରା ଦେଇଛି ଶ୍ରମିକ ସଙ୍ଗଠନ। ୧୭ ଦଫା ଦାବିରେ ୧୦ ଟି ବିଭିନ୍ନ କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ୨୪ ଘଣ୍ଟିଆ ଭାରତ ବନ୍ଦ ଧର୍ମଘଟ ଆନ୍ଦୋଳନ ଡାକରା ଦିଆଯାଇଛି । ୧୭ ଦଫା ଦାବି ନେଇ ୫ ବାମପନ୍ଥୀ ଦଳ ଓ ୧୦ଟି କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ (ସିଟିୟୁ) ଓ ସ୍ୱାଧୀନ ସର୍ବଭାରତୀୟ ଫେଡେରେସନକୁ ନେଇ ଗଠିତ ଟ୍ରେଡ୍ ୟୁନିୟନର ମିଳିତ ମଞ୍ଚ ଧର୍ମଘଟର ମଙ୍ଗ ସମ୍ଭାଳିବେ । ବ୍ୟାଙ୍କିଙ୍ଗ୍‌, ବୀମା, ପୋଷ୍ଟାଲ ସେବା ସମେତ ବିଭିନ୍ନ କ୍ଷେତ୍ରରେ ୨୫ କୋଟି କର୍ମଚାରୀ ରାସ୍ତାକୁ ଓହ୍ଲାଇବେ ।

ଦେଶର ଅନ୍ୟାନ୍ୟ ସ୍ଥାନ ସହିତ ଭୁବନେଶ୍ୱରରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଭୁବନେଶ୍ବର ରେଳ ଷ୍ଟେସନ ଏବଂ ସରକରୀ ବସଷ୍ଟାଣ୍ଡରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ଏପରିକି ଆମ ବସ ସହିତ ପ୍ରାଇଭେଟ ବସକୁ ଅଟକ ରଖି ବିକ୍ଷୋଭ ଜାରି ରହିଛି ।

ସେହିପରି କଟକରେ ମଧ୍ୟ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । କଟକରୁ ବିଭିନ୍ନ ସ୍ଥାନକୁ ବସ୍ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି । ନେତାଜୀ ସୁଭାଷ ବୋଷ ବସ୍ ଟର୍ମିନାଲ ପୂରା ଖାଁ ଖାଁ ଦେଖା ଯାଉଛି । କେବଳ ଚଳାଚଳ କରୁଛି ସରକାରୀ ଓ ଆମ ବସ୍ । ଫଳରେ ସାଧାରଣ ଯାତ୍ରୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଗତକାଲି ଓଡ଼ିଶା ଡ୍ରାଇଭର ମହାସଂଘ ଓ ସରକାରଙ୍କ ମଧ୍ୟରେ ହୋଇଥିବା ଆଲୋଚନା ବିଫଳ ହୋଇଛି । ଖାରବେଳ ଭବନରେ ପରିବହନ କମିସନର ଓ ସଚିବଙ୍କ ସହିତ ଅଢ଼େଇ ଘଣ୍ଟା ଧରି ଆଲୋଚନା ହୋଇଥିଲା । ପରିବହନ ମନ୍ତ୍ରୀ ବିଭୁତି ଜେନାଙ୍କ ସହିତ ମଧ୍ୟ ୪ ଘଣ୍ଟା ଧରି ଆଲୋଚନା ହେଲା, କିନ୍ତୁ କୌଣସି ନିଷ୍କର୍ଷ ବାହାରି ପାରିନାହିଁ ।

ଶ୍ରମିକ ସଂଗଠନ ପୂର୍ବରୁ, ୨୦୨୦, ୨୦୨୨ ଏବଂ ୨୦୨୪ ରେ ମଧ୍ୟ ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଥିଲା I ଏଥିରେ ଲକ୍ଷ ଲକ୍ଷ ଶ୍ରମିକ ଶ୍ରମିକ-ସମର୍ଥକ ନୀତି ଦାବି କରି ରାସ୍ତାକୁ ଓହ୍ଲାଇଥିଲେ ।

Govt

Comments are closed.