ଯାଜପୁର : ପାରିବାରିକ କଳହର ଉଗ୍ର ରୂପ । ନିଜ ହାତରେ ମଥା ସିନ୍ଦୁର ପୋଛିଲା ସ୍ତ୍ରୀ । ନିଶାସକ୍ତ ସ୍ୱାମୀକୁ ଠେଙ୍ଗାରେ ପିଟି ହତ୍ୟା କରିବା ପରେ ନଦୀ କୂଳରେ ପୋତି ଦେଲା ସ୍ତ୍ରୀ ଇ ତେବେ ଘଟଣା ଘଟିବାର ୩ ଦିନ ପରେ ସ୍ତ୍ରୀ ନିଜେ ଥାନାରେ ଆସି ଆତ୍ମସମର୍ପଣ କରିଛି ଇ ଏ ଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି ସୁକିନ୍ଦା ଥାନା ଅନ୍ତର୍ଗତ ସଂସାଇଲୋ ପଞ୍ଚାୟତ ଡୁବିଖାଲ ଗାଁରେ । ମୃତକ ହେଲେ ବାବୁଲି ମୁଣ୍ଡା(୩୫) ଏବଂ ହତ୍ୟାକାରୀ ପତ୍ନୀ ଦୁମାରି ମୁଣ୍ଡା(୩୦) ବୋଲି ଜଣାପଡ଼ିଛି ଇ ଖବର ମିଳିବା ପରେ ଆଜି ସୁକିନ୍ଦା ଥାନା ପୋଲିସ ଦୁମାରିଙ୍କ ସହ ଘଟଣା ସ୍ଥଳକୁ ଯାଇ ଅନୁସନ୍ଧାନ କରିବା ସହ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ପରେ ମାମଲା ରୁଜୁ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୁକିନ୍ଦା ଥାନା ଅଧିକାରୀ ବିଲ୍ୱମଙ୍ଗଳ ସେଠୀ କହିଛନ୍ତି ।
ଘଟନାନୁସାରେ,ମୃତକ ବାବୁଲିଙ୍କ ଘର କେନ୍ଦୁଝରରେ ହୋଇଥିବା ବେଳେ ସେ ପୂର୍ବରୁ ବିବାହିତ । କେନ୍ଦୁଝରରୁ ଯାଇ ବାବୁଲି ପାରାଦୀପରେ କାମ କରୁଥିବାବେଳେ ସେ ଦୁମାରିଙ୍କୁ ୨ୟ ବିବାହ କରି ଶ୍ୱଶୁର ଘର ଗାଁ ଡୁବିଖାଲରେ ରହୁଥିଲେ । ତେବେ ବାବୁଲି ପ୍ରବଳ ନିଶା ସେବନ କରି ପ୍ରତିଦିନ ଦୁମାରିଙ୍କୁ ମାରପିଟ କରୁଥିଲେ । ଘଟଣାଦିନ ମଧ୍ୟ ବାବୁଲି ନିଶା ଖାଇ ଦୁମାରିଙ୍କୁ ବାଡେଇବାରୁ ସେ ଆତ୍ମରକ୍ଷା ପାଇଁ ଏକ ଠେଙ୍ଗା ଆଣି ବାବୁଲିଙ୍କୁ ପିଟି ଦେଇଥିଲେ । ତେବେ ଠେଙ୍ଗା ମାଡ଼ ଖାଇ ବାବୁଲି ତଳେ ପଡିଯାଇ ଆଉ ଉଠି ନଥିଲେ । ସେହି ଠାରେହିଁ ତାଙ୍କର ମୃତ୍ୟୁ ହୋଇଯିବା ପରେ ଦୁମାରି ତାଙ୍କୁ ନେଇ ଘର ଠାରୁ କିଛି ଦୂରରେ ଥିବା ଏକ ନଦୀ କୂଳରେ ଗାତ ଖୋଲି ପୋତି ଦେଇଥିଲେ । ୩ ଦିନ ପରେ ସେଠାରୁ ପଛ ଗନ୍ଧ ଆସିବାରୁ ଘଟଣା ଜଣାପଡ଼ିଥିଲେ ଇ ଏ ସଂକ୍ରାନ୍ତରେ ସ୍ଥାନୀୟ ସରପଞ୍ଚ ମଧ୍ୟ ସୁକିନ୍ଦା ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଦୁମାରିଙ୍କୁ ଅଟକ ରଖି ତଦନ୍ତ କରୁଛି। ଆଜି ସାଇଣ୍ଟିଫିକ୍ ଟିମ ପହଞ୍ଚିବା ପରେ ଗାତ ଖୋଳି ମୃତଦେହ ବାହାର କରାଯାଇଛି ।

Comments are closed.