ଭୁବନେଶ୍ୱର : ସାରା ରାଜ୍ୟରେ ପାରଦ ଖସିଛି । ଡିସେମ୍ବର ମାସ ଅଧା ବେଳକୁ ରାଜ୍ୟକୁ ଶୀତ ଫେରିଛି । ଆଭ୍ୟନ୍ତରୀଣ, ଉତ୍ତରରୁ ନେଇ ଉପକୂଳ ଯାଏଁ ସବୁଠି ଥଣ୍ଡା ପବନ ବୋହୁଛି । ବୁଧୁବାର ରାତିରୁ ତାପମାତ୍ରା କମିବା ସହିତ ଶୀତ ଅନୁଭୂତ ହେଉଛି । ସେହିପରି ପୂର୍ବ ରାତି ତୁଳନାରେ କେଉଁଠି ୧ ଡିଗ୍ରୀ, ୨ ଡିଗ୍ରୀ, ଆଉ କେଉଁଠି ୩ ଡିଗ୍ରୀ କମିଛି ତାପମାତ୍ରା । ଗୁରୁବାର ନୂଆପଡ଼ାରେ ସର୍ବାଧିକ ଦିନ ତାପମାତ୍ରା ୩୨.୦ ଡିଗ୍ରୀ ଓ ସର୍ବନିମ୍ନ ରାତି ତାପମାତ୍ରା ୧୦.୨ ଡିଗ୍ରୀ ସେଲସିୟସ୍ ରହିଥିଲା। ଆସନ୍ତା ୪ରୁ ୫ ଦିନ ମଧ୍ୟରେ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ତଥାପି ରାଜ୍ୟରେ ବର୍ତ୍ତମାନ ସ୍ଥିତି ଜାରି ରହିବ । ମାତ୍ର ୨୦ ତାରିଖ ପରଠାରୁ ରାଜ୍ୟରେ ଥଣ୍ଡା ପ୍ରକୋପ ବେଶି ବଢ଼ିପାରେ ।
ରାଜ୍ୟକୁ ବିଳମ୍ବରେ ଶୀତ ଫେରିଥିବାରୁ ବର୍ତ୍ତମାନ ବିଭିନ୍ନ ସ୍ଥାନରେ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିବ। ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଶୁକ୍ରବାର ସୁନ୍ଦରଗଡ଼ରେ ଘନ କୁହୁଡ଼ିର ପ୍ରଭାବ ରହିବାକୁ ଥିବାବେଳେ ଝାରସୁଗୁଡ଼ା, ଗଞ୍ଜାମ, କଳାହାଣ୍ଡି, କୋରାପୁଟ, କନ୍ଧମାଳ, ଓ ସମ୍ବଲପୁର ଆଦି ଜିଲାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମଧରଣ କୁହୁଡ଼ି ହେବ। ୧୫ ତାରିଖ ପର୍ଯ୍ୟନ୍ତ ବରଗଡ଼ ସମେତ ଉପରୋକ୍ତ ଜିଲାଗୁଡ଼ିକରେ କୁହୁଡ଼ି ପ୍ରଭାବ ଦେଖିବାକୁ ମିଳିପାରେ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି।
ଅନ୍ୟପଟେ,ଶୀତରେ ଥରୁଛି ଶିମିଳିପାଳ । ଶିମିଳିପାଳର ଆଭ୍ୟନ୍ତରୀଣ ଅଞ୍ଚଳ ଓ ପାଦଦେଶରେ ଥିବା ଯଶିପୁର, ରରୁଆଁ, ଶୁକ୍ରୁଳି, କରଞ୍ଜିଆ ଏବଂ ଠାକୁରମୁଣ୍ଡା ଅଞ୍ଚଳରେ ପ୍ରବଳ ଘନ କୁହୁଡ଼ି ସାଙ୍ଗକୁ ଶୀତର ଲହରୀ ଜାରି ରହିଛି । ଶିମିଳିପାଳର ଉପର ବାର୍ହାକାମୁଡ଼ା ଠାରେ ସର୍ବନିମ୍ନ ୩° ଡିଗ୍ରୀ ଓ ଚହଲା ଠାରେ ସର୍ବନିମ୍ନ ୪° ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

Comments are closed.