ପଶ୍ଚିମ ଓଡ଼ିଶାରେ ଦୂର୍ଗାପୂଜା

0

ଦୁର୍ଗାପୂଜା ଓଡ଼ିଶାର ସବୁଠୁ ପ୍ରମୁଖ ଉତ୍ସବମାନଙ୍କ ମଧ୍ୟରୁ ଅନ୍ୟତମ । କିନ୍ତୁ ପଶ୍ଚିମ ଓଡ଼ିଶାରେ ଏହି ପୂଜାର କିଛି ଭିନ୍ନତା ରହିଛି । ପବିତ୍ର ମହାଳୟାରୁ ଏହି ପର୍ବ ଅତି ନିଷ୍ଠା ସହ ସହରରୁ ପଲ୍ଲି ପର୍ଯ୍ୟନ୍ତ ପାଳିତ ହୋଇଥାଏ । ଏହି ପର୍ବରେ ଭିନ୍ନ ସ୍ୱ୍ୱାଦ, ସଂସ୍କୃତି ଓ ଲୋକଜୀବନ ସହିତ ଜଡିତ ରହିଥାଏ । ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ପୂରପଲ୍ଲୀରେ ଦୁର୍ଗାପୂଜା କେବଳ ଧାର୍ମିକ ଅବସର ନୁହେଁ, ବରଂ ଏହା ସାମାଜିକ ସମ୍ମିଳନ, ଲୋକକଳାର ପ୍ରଦର୍ଶନ ଓ ଅନେକ ପାରମ୍ପରିକ ଉତ୍ସବୀୟ କାର୍ଯ୍ୟକଳାପ ସହିତ ସମ୍ବନ୍ଧିତ । ଏହି ପର୍ବକୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଦଶରା, ନବରାତ୍ରୀ ଓ ଦୁର୍ଗାପୂଜା ଭାବେ ପାଳନ କରାଯାଉଛି । ରାଜପରିବାର, ଜମିଦାର ପରିବାର ସମେତ ଅନେକ ସଂପ୍ରଦାୟ ଦଶହରାରେ ଅସ୍ତ୍ରପୂଜା କରିଥାନ୍ତି । ଏହି ଅବସରରେ ଖଣ୍ଡା, ଢାଲ, ଲଙ୍ଗଳ ଲୁହା, କରଣୀ ଆଦି ବିଭିନ୍ନ ପାରମ୍ପାରିକ ଯନ୍ତ୍ର ଓ ଉପକରଣ ଆଦି ଏହି ଦିନ ପୂଜା କରାଯାଇଥାଏ । ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ ହୋଇଥିବାରୁ କୃଷିଭିତ୍ତିକ ଉପକରଣ ହଳ-ଲଙ୍ଗଳ, ଐତିହାସିକ ଯୁଦ୍ଧରେ ବ୍ୟବହାର ହୋଇଥିବାରୁ ଖଣ୍ଡା, ଢାଲ ଆଦି ଉପକରଣ ଏହି ଦିନ ପୂଜା କରାଯାଇଥାଏ । କୁଶଳୀ କାରିଗରମାନେ ମଧ୍ୟ ଏହି ଦିନ ମା’ ଦୁର୍ଗାଙ୍କୁ ସ୍ମରଣ କରି ନିଜ ନିଜ ଘରେ ପୂଜାର୍ଚ୍ଚନା କରିଥାନ୍ତି । ଦଶହରା ଠାରୁ ଅନେକ ଶୁଭ କାମ ଆରମ୍ଭ କରାଯାଇଥାଏ । ଅନେକ ଲୋକ ଜୀବନର ଭୁଲକୁ ପରିତ୍ୟାଗ କରି ଭଲ ମାର୍ଗରେ ଆଗକୁ ବଢ଼ିବାକୁ ସଂକଳ୍ପ କରିଥାନ୍ତି ।
ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ଇଲାକାର ଲୋକମାନେ ସରଳ, ପରିଶ୍ରମୀ ଓ ସାହିତ୍ୟ, ସଙ୍ଗୀତ, ନୃତ୍ୟ ପ୍ରତି ଗଭୀର ଭାବରେ ଆସକ୍ତ । ସେମାନଙ୍କ ପାଇଁ ଦୁର୍ଗାପୂଜା କେବଳ ଧର୍ମୀୟ ପର୍ବ ନୁହେଁ, ବରଂ ଏହା ସାମୁହିିକ ଆନନ୍ଦର ଅବସର । ଗାଁ, ଛୋଟ ସହର କିମ୍ବା ବଡ଼ ସହର-ସବୁଠାରେ ଏହାର ଅଲଗା ପରିଚୟ ଦେଖିବାକୁ ମିଳେ ।

ପୂଜାର ଆରମ୍ଭ ଓ ଧାର୍ମିକ ମାନ୍ୟତା :

ବିଶେଷ କରି ପଶ୍ଚିମ ଓଡ଼ିଶାରେ ଦୁର୍ଗାପୂଜାର ଆରମ୍ଭ ମହାଳୟା ଦିନରୁ ହୋଇଥାଏ । ବଡ଼ ଓ ମଧ୍ୟମ ଧରଣର ସହର ମାନଙ୍କରେ ସେଦିନ ଗୃହ ଓ ମଣ୍ଡପରେ ଶ୍ରୀମାତାଙ୍କୁ ଆମନ୍ତ୍ରଣ କରାଯାଏ । ନବରାତ୍ରିର ୯ ଦିନ ସାରା, ପ୍ରତିଦିନ ସନ୍ଧ୍ୟାରେ ଆରତି, ଚଣ୍ଡୀପାଠ ଓ ଭଜନ ହୋଇଥାଏ । ପଶ୍ଚିମ ଓଡ଼ିଶାରେ କିମ୍ବା ପୁଜାରୀ/ପଣ୍ଡିତଙ୍କ ସହିତ ସ୍ଥାନୀୟ ଲୋକେ ମିଶି ସମସ୍ତ କାର୍ଯ୍ୟକୁ ସାମୁହିକ ଭାବରେ କରିଥାନ୍ତି ।

ପଶ୍ଚିମ ଓଡ଼ିଶାରେ ପୂଜା ପାଳନର ଭିନ୍ନତା :

ଯେଉଁଠାରେ ବଡ଼ ପେଣ୍ଡାଲ ଓ ଆଲୋକସଜ୍ଜାରେ ଅଧିକ ଗୁରୁତ୍ୱ ଦିଆଯାଏ, ସେଠାରେ ପଶ୍ଚିମ ଓଡ଼ିଶାରେ ଏହି ପୂଜାର ସାଧାରଣତା ଓ ଲୋକସହଭାଗୀତା ଅଧିକ ଦେଖିବାକୁ ମିଳେ । ଏଠାରେ ଅନେକ ମଣ୍ଡପ ସାଧାରଣ ବାଉଁଷ, କପଡ଼ା ଓ ନିଜ ଆଖ ପାଖରେ ମିଳୁଥିବା ଦ୍ରବ୍ୟରୁ ପ୍ରସ୍ତୁତ ହୋଇଥାଏ ।
ଦୁର୍ଗାପୂଜାର ଅବିଭାଜ୍ୟ ଅଂଶ ହେଉଛି ସାମୁହିିକ ପ୍ରସାଦ ସେବନ । ପଶ୍ଚିମ ଓଡ଼ିଶାରେ ନବମୀ କିମ୍ବା ଦଶମୀ ଦିନରେ ବଡ଼ ଆକାରରେ ଭୋଗ ପକାଯାଏ । ଏଥିରେ ଚାଉଳ, ଡାଲି, ସବୁଜ ପନିପରିବା, ଖିରି, ପାଯସ, ଭୋଗ ପ୍ରମୁଖ । ଗାଁର ସମସ୍ତେ ଏକତ୍ରୀତ ହୋଇ ଘଟ ବିସର୍ଜନ କରି ଏକା ସାଥିରେ ବସି ଭୋଗ ସେବନ କରନ୍ତି । ଏହା ମଧ୍ୟରେ ପଶ୍ଚିମ ଓଡ଼ିଶାରେ ଦୁର୍ଗାପୂଜାର ସବୁଠୁ ବଡ଼ ଆକର୍ଷଣ ହେଉଛି ସାଂସ୍କୃତିକ କାର୍ଯ୍ୟକ୍ରମ । ଗ୍ରାମାଞ୍ଚଳ ସ୍ତରରେ ନିଜ ଅଞ୍ଚଳର ସାଂସ୍କୃତିକ ଦଳ ସମ୍ବଲପୁରୀ ନୃତ୍ୟ, ଦାଣ୍ଡିଆ ଓ ପାଳା ଆଦି ଏହି ସମୟରେ ବିଶେଷ ପ୍ରଦର୍ଶିତ ହୋଇଥାଏ । ଏହି ପାଳା-ଗୀତ, ଝୁମର ନାଚ, ଲୋକସଙ୍ଗୀତ ପଶ୍ଚିମ ଓଡ଼ିଶାର ସାଂସ୍କୃତିକ ସମୃଦ୍ଧିକୁ ପ୍ରକାଶ କରେ ।
ଦଶମୀ ଦିନ ଦେବୀଙ୍କ ଘଟ ବିସର୍ଜନ ହୋଇଥାଏ । କିନ୍ତୁ ବିସର୍ଜନ ପର୍ବକୁ ଅଧିକ ଆକର୍ଷଣ କରିବାକୁ କିଛି କିଛି ସ୍ଥାନରେ ଏବେ ମିଳିତ ହୋଇ ଏହି ପର୍ବ ପାଳନ ନେଇ ପୂଜା କମିଟି କର୍ମକର୍ତ୍ତା ମାନଙ୍କ ମଧ୍ୟରେ ସହମତି ପଅକାଶ ପାଇଥାଏ । ବଡ଼ ବାଜା, ଢୋଲ, ମହୁରି ସହିତ ମାତାଙ୍କୁ ନଦୀ, ନିର୍ଦ୍ଧଷ୍ଟ ଜଳାଶୟ କିମ୍ବା ଗ୍ରାମ ପୋଖରୀରେ ବିସର୍ଜନ କରାଯାଏ । ବିସର୍ଜନରେ ଗୋଟେ ସମୁଦାୟ ଏକାସାଥିରେ ଯାଇ, ନାଚ-ଗୀତରେ ସମାପନ କରିଥାନ୍ତି । ପରିବାରର ଯେଉଁ ସଦସ୍ୟ ମାନେ କାମଧନ୍ଦା କିମ୍ବା ଚାକିରୀ ପାଇଁ ଅନ୍ୟ ସ୍ଥାନ/ରାଜ୍ୟରେ ଥାନ୍ତି ସେମାନେ ଠିକ୍‌ ପୂଜା ପୂର୍ବରୁ ଘରକୁ ଫେରିଥାନ୍ତି । ଏପରିକି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ସମୟରେ ଯେଉଁମାନେ ନୂଆଖାଇ ପାଳନ କରିବାରୁ କୌଣସି କାରଣରୁ ବଞ୍ଚିତ ହୋଇଥାନ୍ତି ସେମାନେ ଦୁର୍ଗାପୂଜା ଉତ୍ସବ ସମୟରେ ନୁଆଖାଇଥାନ୍ତି । ପୂର୍ବରୁ କାମକୁ ଯାଇଥିବା ଦାଦନଶ୍ରମିକଙ୍କ ପରିବାର ମାନେ ମଧ୍ୟ ଗାଁକୁ ଫେରନ୍ତି । ଏହାରେ ସମସ୍ତ ପରିବାର, ପଡ଼ୋଶୀ ଓ ପରିଚିତଙ୍କ ସହିତ ମିଳନର ସୁଯୋଗ ସୃଷ୍ଟି ହୋଇଥାଏ । ଏଥିରୁ ପରସ୍ପରିକ ସମ୍ପର୍କ ସୁଦୃଢ଼ ହୋଇଥାଏ ।

ପଶ୍ଚିମ ଓଡ଼ିଶାର ଗାଁ-ଆଧାରିତ ପୂଜା :

ପଶ୍ଚିମ ଓଡ଼ିଶାର ଗାଁ ମାନଙ୍କରେ ଥାନାଦେବୀ କିମ୍ବା ଗ୍ରାମଦେବୀଙ୍କୁ ବିଶେଷ ସମ୍ମାନ ଦିଆଯାଏ । ଦୁର୍ଗାପୂଜା ସମୟରେ ସେହି ଗ୍ରାମଦେବୀଙ୍କୁ ମଧ୍ୟ ବଲି ଦିଆଯାଏ ଏବଂ ଗୋଷ୍ଠୀ ମାନେ ଏକାସାଥିରେ ମେଳା କରନ୍ତି । ଏହା ପଶ୍ଚିମ ଓଡ଼ିଶାର ପୂଜା ପାଳନର ଭିନ୍ନ ପରିଚୟ ।

ଲୋକମେଳା ଓ ବାଣିଜ୍ୟିକ ଆକର୍ଷଣ :

ଦୁର୍ଗାପୂଜା ସମୟରେ ବଡ଼ ମେଳା ବସେ । ଲୋକେ ଦୂର-ଦୂରାନ୍ତରୁ ଆସି ଦୋକାନ, ଝୁଲା, ସାମ୍ବଲପୁରୀ ଶାଡ଼ି, ହାତକରଘା ପୋଷାକ, ମିଠା ଆଦି କିଣିଥାନ୍ତି । ଏଥିରେ ସ୍ଥାନୀୟ କଳାକାର ଓ ବ୍ୟବସାୟୀଙ୍କୁ ଅର୍ଥନୈତିକ ଲାଭ ହୋଇଥାଏ । ପଶ୍ଚିମ ଓଡ଼ିଶାରେ ଦୁର୍ଗାପୂଜାର ସ୍ୱାଦ ସାଧାରଣତା, ସାମୁହିିକତା ଓ ଲୋକସଂସ୍କୃତିରେ ଭରିଥାଏ । ଏଠାରେ ଆଡମ୍ବର କମ୍‌, କିନ୍ତୁ ସମ୍ପର୍କର ଆନ୍ତରିକତା, ସାଂସ୍କୃତିକ ପ୍ରଦର୍ଶନ ଓ ସମୁଦାୟର ଏକତା ବହୁତ ବଡ଼ । ପଶ୍ଚିମ ଓଡ଼ିଶାର ଲୋକଙ୍କ ପାଇଁ ଦୁର୍ଗାପୂଜା କେବଳ ପୂଜା ନୁହେଁ, ଏହା ସେମାନଙ୍କ ଜୀବନର ସାମୁହିକ ଆତ୍ମାର ପ୍ରତୀକ ।
ସତ୍ୟ ସୁନ୍ଦର ଭଞ୍ଜ
ବରିଷ୍ଠ ସାମ୍ବାଦିକ

Launching Ceremony of “AYUSHMAN BHARAT
Leave A Reply

Your email address will not be published.