ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ: ୧୮, ୧୯ ଓ ୨୦ରେ ବର୍ଷିବ

ଭୁବନେଶ୍ୱର: ସେପ୍‌ଟେମ୍ବର ୧୬: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହାର ନିକଟସ୍ଥ ମିଆଁମାର ଉପକୂଳରେ ଆଜି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା କ୍ରମଶଃ ପଶ୍ଚିମ-ଉତ୍ତରପଶ୍ଚିମ ଦିଗ ଗତି କରି ଆସନ୍ତା ୧୮ ତାରିଖରେ ଉତ୍ତର ଓଡ଼ିଶା ଉପକୂଳରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଘନୀଭୂତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି)ର ମହାନିର୍ଦ୍ଦେଶକ ମୃତୁ୍ୟଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।
ତେବେ ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ଲଘୁଚାପ ସୃଷ୍ଟି ହୋଇପାରେ । କିନ୍ତୁ ଏହା ଛୋଟ ଧରଣର ଲଘୁଚାପ ହେବ । ଏହାର ପ୍ରଭାବରେ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ୧୮ ତାରିଖ ସନ୍ଧ୍ୟା ପରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଏହାସିତ ୧୯ ଓ ୨୦ ତାରିଖରେ ଉତ୍ତର ଓଡ଼ିଶାର ଗୋଟିଏ ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଆଜି କିମ୍ବା ଆସନ୍ତା କାଲି ଓଡ଼ିଶାରେ ବର୍ଷାର ସମ୍ଭାବନା ନାହିଁ ।
ଓଡ଼ିଶାରେ ୧୮ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ପ୍ରବଳ ବର୍ଷାର ସମ୍ଭାବନା ନାହିଁ । କିଛି ସ୍ଥାନରେ ବିକ୍ଷିପ୍ତ ବର୍ଷା ହୋଇପାରେ ବୋଲି ସୂଚନା ମିଳିଛି । ୧୯ ଓ ୨୦ରେ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ଯାଜପୁର, କେନ୍ଦୁଝର, ଜଗତସିଂହପୁର ଜିଲ୍ଲାଗୁଡ଼ିକରେ ୭ ରୁ ୧୨ ସେମି ପର୍ଯ୍ୟନ୍ତ ବର୍ଷା ହୋଇପାରେ । ଅନ୍ୟପକ୍ଷରେ, ଛତିଶଗଡ଼ରେ ମଧ୍ୟ ଆସନ୍ତା ୩ ଦିନ ବର୍ଷା ହେବାର ସମ୍ଭାବନା ନାହିଁ । ସେଠାରେ କିଛି ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ହେଲେ କିଛି ସ୍ଥାନରେ ଘଡ଼ଘଡ଼ି ସହିତ ବର୍ଷାର ସମ୍ଭାବନା ରହିଛି ।

Comments are closed.