ଇଜିପ୍ଟ ସେପ୍ଟେମ୍ବର ୧୭: ଆଜିକାଲି ଅନେକ କାର୍ଯ୍ୟ ରୋବଟ୍ ଦ୍ୱାରା ସମ୍ଭବ ହୋଇପାରୁଛି । ରୋବଟ୍କୁ ବ୍ୟବହାର କରି ସହଜ ସୁବିଧାରେ ଅନେକ କାର୍ଯ୍ୟ କରିହେଉଛି । ତେବେ ଇଜିପ୍ଟର ଜଣେ ଯୁବ ଇଞ୍ଜିନିୟର ପବନକୁ ପାଣିରେ ରୁପାନ୍ତର କରିପାରୁଥିବା ରୋବଟ୍ ପ୍ରସ୍ତୁତ କରି ସମସ୍ତଙ୍କୁ ଚକିତ କରିଛନ୍ତି । ଇଜିପଫର ୨୮ ବର୍ଷୀୟ ଯୁବ ଇଞ୍ଜିନିୟର ମହମୁଦ ଏଲ୍ କୋମି ଏଭଳି ଏକ ରୋବଟ୍ ତିଆରି କରିଛନ୍ତି ଯିଏ ମରୁଭୂମିରେ ପବନକୁ ପାଣିରେ ରୂପାନ୍ତର କରିପାରିବ । ଇଞ୍ଜିନିୟରଙ୍କ ଦାବି ଅନୁଯାୟୀ ଏହି ରୋବ ମଙ୍ଗଳ ଗ୍ରହରେ ଥିବା ଆଦ୍ରତାକୁ ପାଣିରେ ରୂପାନ୍ତର କରିପାରିବ । ଏହି ରୋବଟ୍ଟି ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସି ସହାୟତାରେ କାର୍ଯ୍ୟ କରୁଥିବା ବେଳେ ରିମୋଟ ସହାୟତାରେ ନିୟନ୍ତ୍ରଣ ହେଉଥିବା ନେଇ ମହମୁଦ ସୂଚନା ଦେଇଛନ୍ତି । ସେ ଏଭଳି ଅନେକ ରୋବଟ୍ ନିର୍ମାଣ କରିପାରିବେ ଯେଉଁମାନେ ଦିନକୁ ପ୍ରାୟ ୫ହଜାର ଲିଟର ପାଣି ପ୍ରସ୍ତୁତ କରିପାରିବେ ବୋଲି ସେ ମତ ଦେଇଛନ୍ତି । ଏହାସହ ଏହି ଉପାୟରେ କମ୍ ଖର୍ଚ୍ଚରେ ପାଣି ପ୍ରସ୍ତୁତ ହୋଇପାରିବ ବୋଲି ସେ କହିଛନ୍ତି । ବର୍ତ୍ତମାନ ମେକାନିକାଲ୍ ହିଟ୍ ଏକ୍ସଚେଞ୍ଜ ପ୍ରକିୟାରେ ପବନରୁ ପାଣି ପ୍ରସ୍ତୁତ କରାଯାଉଛି । ତେବେ ଏଥିରୁ କମଖର୍ଚ୍ଚରେ ଏହି ରୋବ ସାହାଯ୍ୟରେ ପବନରୁ ପାଣି ପ୍ରସ୍ତୁତ କରାଯାଇପାରିବ ବୋଲି ସେ ଦାବି କରିଛନ୍ତି । ତାଙ୍କୁ ଏହି ରୋବଟ୍ଟି ପ୍ରସ୍ତୁତ କରିବା ପାଇଁ ୯ମାସ ସମୟ ଲାଗିଛି । ସେହିଭଳି ଏହି ରୋବଟ୍କୁ ଯେଉଁ ସ୍ଥାନରେ ଶୁଖିଲା ପଡିଥାଏ ସେହି ସ୍ଥାନରେ ମଧ୍ୟ ବ୍ୟବହାର କରାଯାଇ ପାରିବ ବୋଲି ମହମୁଦ ସୂଚନା ଦେଇଛନ୍ତି ।

Comments are closed.